Home Featuredଲଗାଣ ବର୍ଷାରେ କାନ୍ଥ ଧସି ବୃଦ୍ଧ ମୃତ

ଲଗାଣ ବର୍ଷାରେ କାନ୍ଥ ଧସି ବୃଦ୍ଧ ମୃତ

by Lokanath Panigrahi
0 comments

ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକ ଅଞ୍ଚଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅବିରତ ବର୍ଷାରେ ଅନେକ କଚ୍ଚା ଘର ଦୁର୍ବଳ ହୋଇପଡ଼ିଥିବାବେଳେ ନୁହାଝାଳିଆ ପଞ୍ଚାୟତର ନୁହାଝାଳିଆ ଗ୍ରାମରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ମୃତକ ହେଲେ ରୁହ୍ୟା ହାଁସଦା, ସେ କଙ୍କା ହାଁସଦାଙ୍କ ପୁଅ। ସୂଚନା ଅନୁସାରେ, ବୁଧବାର ରାତିରେ ସେ ନିଜ ଘରେ ଶୋଇଥିବା ସମୟରେ ଲଗାଣ ବର୍ଷାରେ ଦୁର୍ବଳ ହୋଇପଡ଼ିଥିବା କାନ୍ଥ ହଠାତ୍ ଭୁଶୁଡ଼ି ତାଙ୍କ ଉପରେ ପଡ଼ିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଖବର ପାଇ ମୋରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମୃତକଙ୍କ ପରିବାର ଆର୍ଥିକ ଭାବେ ଦୁର୍ବଳ। ସରକାରଙ୍କ ପକ୍ଷରୁ ପକ୍କା ଘର ସହିତ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।

ଅନ୍ୟପକ୍ଷରେ, ଅବିରତ ବର୍ଷା ଯୋଗୁଁ ଅଞ୍ଚଳର ବହୁ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଚାଷ ଜମି, ଗ୍ରାମ ରାସ୍ତା ଓ ବସତି ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କଚ୍ଚା ଓ ଜରାଜୀର୍ଣ୍ଣ ଘରରେ ରହୁଥିବା ପରିବାରମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆବଶ୍ୟକ ରିଲିଫ୍ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି।

You may also like

Leave a Comment