ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ପୁଣିଥରେ ବନ୍ୟା ଆଶଙ୍କା ଦେଖାଦେଇଛି। ବିଶେଷକରି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ଜଳକା ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଦ୍ରୁତ ଗତିରେ ବଢ଼ୁଛି।
ବିପଦ ସଙ୍କେତ ଛୁଇଁଲା ଜଳକା
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ର ମଥାନୀଠାରେ ଜଳକା ନଦୀର ଜଳସ୍ତର ମଙ୍ଗଳବାର ସକାଳ ୬ଟା ସୁଦ୍ଧା ୬.୫୦ ମିଟରରେ ପହଞ୍ଚିଛି। ଏହା ନଦୀର ବିପଦ ସଙ୍କେତ ସ୍ତର।
ଗତ ଦୁଇ ଦିନ ଧରି ବାଲେଶ୍ୱର ସମେତ ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାର ଉପରମୁଣ୍ଡ ଅଞ୍ଚଳରେ ଜୋରଦାର ବର୍ଷା ହେଉଛି। ଏହାର ପ୍ରଭାବରେ ଜଳକା ନଦୀରେ ଜଳସ୍ତର ଲଗାତାର ବଢ଼ି ଚାଲିଛି।
ମୟୂରଭଞ୍ଜର ରସଗୋବିନ୍ଦପୁର, ମୋରଡ଼ା, ସୁଳିଆପଡ଼ା ଓ ଚିତ୍ରଡ଼ା ଭଳି ଅଞ୍ଚଳରେ ମଧ୍ୟ ଭାରି ବର୍ଷା ହୋଇଥିବାରୁ ନଦୀର ଜଳସ୍ତର ବଢ଼ିବାରେ ଏହାର ପ୍ରଭାବ ପଡ଼ିଛି। ବର୍ଷା ଜାରି ରହିଥିବାରୁ ଜଳକା ନଦୀରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀର ହେବା ନେଇ ଆଶଙ୍କା ବଢ଼ିଛି।
ପ୍ରାୟ ୫୦ଟି ଗାଁ ପ୍ରଭାବିତ ହେବା ଆଶଙ୍କା
ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଲେ ବସ୍ତା ବ୍ଲକ୍ର ପ୍ରାୟ ୧୦ଟି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ପ୍ରାୟ ୫୦ଟି ଗାଁ ପ୍ରଭାବିତ ହୋଇପାରେ।
ଦୁଧହଂସା, ବାହାର୍ଦ୍ଦା, ନଟକାଟା, ବ୍ରହ୍ମଣ୍ଡା, ମଥାନୀ ଓ ବରୁଣଗଡ଼ିଆ ଭଳି ଅଞ୍ଚଳକୁ ବନ୍ୟା ପାଣି ପ୍ରଭାବିତ କରିବାର ଆଶଙ୍କା ରହିଛି। ଏହା ସହିତ ବାଲେଶ୍ୱର ସଦର ବ୍ଲକ୍ର ଦୁଇଟି ପଞ୍ଚାୟତ ମଧ୍ୟ ପ୍ରଭାବିତ ହୋଇପାରେ।
ବନ୍ୟା ହେଲେ ବଡ଼ ଅଞ୍ଚଳର ଚାଷଜମିରେ ପାଣି ପଶିବା ସହ ଅମଳ ହେବାକୁ ଥିବା ଫସଲ ନଷ୍ଟ ହେବାର ଆଶଙ୍କା ରହିଛି।
ବଢ଼ୁଛି ବୁଢ଼ାବଳଙ୍ଗର ଜଳସ୍ତର
ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଦ୍ରୁତ ଗତିରେ ବଢ଼ୁଛି। ବାରିପଦାଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଛି।
ବାରିପଦା ସହରର ତଳିଆ ଅଞ୍ଚଳରେ ମଧ୍ୟ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ବିଶେଷକରି ୭ ଓ ୮ ନମ୍ବର ୱାର୍ଡର କିଛି ଅଞ୍ଚଳରେ ପାଣି ଜମିଥିବା ଖବର ମିଳିଛି।
ପରିସ୍ଥିତିକୁ ଦେଖି କିଛି ଲୋକ ସୁରକ୍ଷିତ ଓ ଉଚ୍ଚ ସ୍ଥାନକୁ ଚାଲିଯାଇଛନ୍ତି। ପ୍ରଶାସନ ମଧ୍ୟ କିଛି ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛି। ତଳିଆ ଓ ବିପଦପ୍ରବଣ ଅଞ୍ଚଳ ଉପରେ ପ୍ରଶାସନ ନଜର ରଖିଛି।
ମୟୂରଭଞ୍ଜର ଅନେକ ଅଞ୍ଚଳରେ ଭାରି ବର୍ଷା
ବାରିପଦା ସମେତ ବାଙ୍ଗିରିପୋଷି, କୁଳିଅଣା, ବିଶୋଇ ଓ ଯଶୀପୁର ଅଞ୍ଚଳରେ ମଧ୍ୟ ଭାରି ବର୍ଷା ହୋଇଛି। ଏହି ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଆହୁରି ବଢ଼ିବାରେ ଲାଗିଛି।
ଗାଲୁଡିହ ବ୍ୟାରେଜ୍ର ୯ଟି ଗେଟ୍ ଖୋଲା
ଏପଟେ ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜ୍ର ୯ଟି ଗେଟ୍ ଖୋଲାଯାଇଛି। ଏହା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ପୁଣିଥରେ ବଢ଼ିବାର ସମ୍ଭାବନା ରହିଛି।
ଏଭଳି ସ୍ଥିତିରେ ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ଆଶଙ୍କା ବଢ଼ିଛି। ଆଗକୁ ଯଦି ବର୍ଷା ଆହୁରି ବଢ଼େ, ତେବେ ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ। ଏଥିପାଇଁ ପ୍ରଶାସନ ସତର୍କ ରହିବା ସହ ବିପଦପ୍ରବଣ ଅଞ୍ଚଳ ଉପରେ ନଜର ରଖିଛି।
