Home Featuredଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ମାଡ଼, ପୋଲିସ କଲା ଉଦ୍ଧାର; ୩ରୁ ଅଧିକ ଅଭିଯୁକ୍ତ ଗିରଫ

ଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ମାଡ଼, ପୋଲିସ କଲା ଉଦ୍ଧାର; ୩ରୁ ଅଧିକ ଅଭିଯୁକ୍ତ ଗିରଫ

by Gulshan Pandey
0 comments

ଓଡ଼ିଶାରେ ଚୋର ସନ୍ଦେହକୁ ନେଇ ଜନତାଙ୍କ ହିଂସା ଘଟଣା ଥମିବାର ନାଁ ନେଉନାହିଁ। ପ୍ରଥମେ ଭୁବନେଶ୍ୱର, ପରେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଏବଂ ଏବେ ସମ୍ବଲପୁରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଚୋର ବୋଲି ସନ୍ଦେହ କରି କିଛି ଲୋକ ଜଣେ ପ୍ରବାସୀ ଶ୍ରମିକଙ୍କୁ ଘେରି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସମୟ ମଧ୍ୟରେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା।

ଏହି ଘଟଣା ସମ୍ବଲପୁର ସହରର ଖେତରାଜପୁର ଥାନା ଅଞ୍ଚଳ ଅଧୀନ ବଡ଼ବଜାର ଧୋବାପଡ଼ା ଅଞ୍ଚଳରେ ଘଟିଛି। ଘଟଣାର କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ କିଛି ଯୁବକ ଜଣେ ବ୍ୟକ୍ତିଙ୍କୁ ଟାଣି ନେଉଥିବା ଏବଂ ତାଙ୍କ ବ୍ୟାଗ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। ସେଠାରେ ବହୁ ଲୋକ ଏକାଠି ହୋଇ ତାଙ୍କୁ ଘେରି ରଖିଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ପଚରାଉଚରା ପରେ ତାଙ୍କ ପରିଚୟ ବିଷ୍ଣୁ ସିବୁ ବୋଲି ଜଣାପଡ଼ିଥିଲା। ସେ କେରଳର ବାସିନ୍ଦା ଏବଂ ଜଣେ ଶ୍ରମିକ ଭାବେ କାମ କରୁଥିଲେ।

ପୋଲିସ ସୂଚନା ଅନୁସାରେ, ବିଷ୍ଣୁ ପୂର୍ବରୁ ବରଗଡ଼ ଜିଲ୍ଲାରେ ଏକ ଆଜବେଷ୍ଟସ୍ ସେଡ଼ରେ ୱେଲ୍ଡର ଭାବେ କାମ କରୁଥିଲେ। ତେବେ କିଛି ମାସ ଧରି ତାଙ୍କ ପାଖରେ କୌଣସି କାମ ନଥିଲା। ନୂଆ କାମ ଖୋଜିବା ପାଇଁ ସେ ପ୍ରାୟ ୧୫ ଦିନ ହେବ ସମ୍ବଲପୁର ଆସିଥିଲେ।

ସ୍ଥାନୀୟ କିଛି ଯୁବକ ତାଙ୍କ ଭାଷା ଓ ଚେହେରାକୁ ନେଇ ସନ୍ଦେହ କରିଥିଲେ। ସେମାନେ ପଚାରିବା ବେଳେ ବିଷ୍ଣୁ ମଲୟାଳମ ଭାଷାରେ ଉତ୍ତର ଦେଇଥିଲେ, ଯାହାକୁ ସ୍ଥାନୀୟ ଲୋକ ବୁଝିପାରିନଥିଲେ। ଏହାପରେ ସେ ଚୋରି କରିବାକୁ ଆସିଥିବା ସନ୍ଦେହରେ କିଛି ଲୋକ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଅତିରିକ୍ତ ଏସପି ଅଜୟ ମିଶ୍ର କହିଛନ୍ତି ଯେ, ଘଟଣାର ସୂଚନା ମିଳିବା ପରେ ପୋଲିସ ତୁରନ୍ତ ପହଞ୍ଚି ମାମଲା ରୁଜୁ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି। ବିଷ୍ଣୁଙ୍କ ଶରୀରରେ କୌଣସି ଗୁରୁତର ଆଘାତ ଚିହ୍ନ ମିଳିନାହିଁ ଏବଂ ସେ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି।

ପରେ ପୋଲିସ ତାଙ୍କର ଜଣେ ପରିଚିତଙ୍କ ସହ ଯୋଗାଯୋଗ କରିଥିଲା। ବିଷ୍ଣୁ ନିଜ ଘରକୁ ଫେରିଯିବାକୁ ଇଚ୍ଛା ପ୍ରକାଶ କରିବା ପରେ ତାଙ୍କୁ ସୁରକ୍ଷିତ ଭାବେ କେରଳ ପଠାଇବା ବ୍ୟବସ୍ଥା କରାଯାଇଛି।

ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିବା ସହ ୩ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି। ନିକଟ ଦିନଗୁଡ଼ିକରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚୋର ଗୁଜବକୁ ନେଇ ଘଟୁଥିବା ଜନତାଙ୍କ ହିଂସା ଘଟଣା ଚିନ୍ତା ବଢ଼ାଇଛି।

You may also like

Leave a Comment