Home Odishaତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୃତ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୃତ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

by Gulshan Pandey
0 comments

ଭୁବନେଶ୍ୱର, ୨୨ ଜୁନ୍: ତାମିଲନାଡୁର ତିରୁଭଲ୍ଲୁରରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହା ସହ ମୃତ ଶ୍ରମିକମାନଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF)ରୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଦୁଃଖଦ ଘଟଣା ତାଙ୍କୁ ଅତ୍ୟନ୍ତ ମର୍ମାହତ କରିଛି। ମୃତ ଶ୍ରମିକମାନଙ୍କ ପରିବାରବର୍ଗଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇବା ସହ ଆହତ ଓଡ଼ିଆ ଶ୍ରମିକମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ସରକାରୀ ସୂଚନା ଅନୁସାରେ, ଦୁର୍ଘଟଣା ପରଠାରୁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ଗତକାଲି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରି ଆହତ ଓଡ଼ିଆ ଶ୍ରମିକମାନଙ୍କ ଉପଯୁକ୍ତ ଚିକିତ୍ସା ଏବଂ ଆବଶ୍ୟକ ସହାୟତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ସରକାରଙ୍କ ତିନିଜଣ ବରିଷ୍ଠ ଅଧିକାରୀ ତିରୁଭଲ୍ଲୁରରେ ପହଞ୍ଚିଛନ୍ତି। ସେମାନେ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଆହତ ଶ୍ରମିକମାନଙ୍କ ଚିକିତ୍ସା, ରହଣି ବ୍ୟବସ୍ଥା ଓ ଅନ୍ୟାନ୍ୟ ଆବଶ୍ୟକ ସହାୟତା କାର୍ଯ୍ୟର ତଦାରଖ କରୁଛନ୍ତି।

ଦୁର୍ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକ ଓ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

You may also like

Leave a Comment