କୋରାପୁଟର ପାରମ୍ପରିକ କୃଷି ପରମ୍ପରା ଏବେ ପରିବର୍ତ୍ତନର ଚାପରେ। ଅଳ୍ପ ସମୟରେ ଅଧିକ ଉତ୍ପାଦନ ମିଳିବା ଆଶାରେ ଚାଷୀମାନେ ହାଇବ୍ରିଡ୍ ଓ ଉନ୍ନତ କିସମର ଧାନ ବିହନ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ଏହାର ପ୍ରଭାବରେ ଡିଏପି, ୟୁରିଆ ଓ ପଟାସ୍ ଭଳି ରାସାୟନିକ ସାରର ବ୍ୟବହାର ମଧ୍ୟ ବଢ଼ିଛି। ଫଳରେ ସ୍ଥାନୀୟ ମାଟି ଓ ପରିବେଶ ସହ ଖାପ ଖାଉଥିବା ଅନେକ ପାରମ୍ପରିକ ଦେଶୀଧାନ କିସମର ଚାଷ ଧୀରେ ଧୀରେ କମିବାରେ ଲାଗିଛି।
ପୂର୍ବରୁ କୋରାପୁଟର ପାହାଡ଼ିଆ ଓ ଉପତ୍ୟକା ଅଞ୍ଚଳରେ ଅନେକ ପ୍ରକାରର ସ୍ଥାନୀୟ ଧାନ ଚାଷ ହେଉଥିଲା। ଚାଷୀମାନେ ନିଜ ଜମିରୁ ଭଲ ଧାନ ବାଛି ତାହାକୁ ପରବର୍ତ୍ତୀ ବର୍ଷ ପାଇଁ ବିହନ ଭାବେ ସାଇତି ରଖୁଥିଲେ। ଏହି ପାରମ୍ପରିକ ବ୍ୟବସ୍ଥା ଫଳରେ ସ୍ଥାନୀୟ ଧାନର ବିଭିନ୍ନ କିସମ ପିଢ଼ି ପରେ ପିଢ଼ି ରହିଆସିଥିଲା। କିନ୍ତୁ ଏବେ ଅଧିକ ଉତ୍ପାଦନ ଓ ବଜାର ଚାହିଦାକୁ ପ୍ରାଥମିକତା ଦେଇ ଚାଷୀମାନେ ହାଇବ୍ରିଡ୍ ଏବଂ ଗବେଷଣାଲବ୍ଧ କିସମ ଆଡକୁ ମୁହାଁଉଛନ୍ତି। ଏହା ସହିତ ରାସାୟନିକ ସାର ଉପରେ ବଢ଼ୁଥିବା ନିର୍ଭରଶୀଳତା ମାଟିର ସ୍ୱାସ୍ଥ୍ୟ ଓ ଜୈବିକ ଗୁଣକୁ ମଧ୍ୟ ପ୍ରଭାବିତ କରୁଥିବା ନେଇ ଚିନ୍ତା ବଢ଼ିଛି। ଗୋବର ଓ ପ୍ରାକୃତିକ ଖତର ବ୍ୟବହାର କମିବାରୁ ପାରମ୍ପରିକ କୃଷି ପଦ୍ଧତି ମଧ୍ୟ ପଛକୁ ଯାଉଛି।
ବାଉଁଶୁଣିମୁଣ୍ଡି, ଭାଲୁ ଧାନ, ହଳଦୀ ଧାନ, ଗଦାକୁଟା, ବାଗୁରିଚୁରି, ଆସାମଚୁରି ଓ ପାତ୍ରା ଧାନ ଭଳି ଅନେକ ଦେଶୀ କିସମର ଚାଷ ଆଜି ଅନେକ ଅଞ୍ଚଳରେ ସୀମିତ ହୋଇପଡ଼ିଛି। ତଥାପି କିଛି ଚାଷୀ ଏବେ ବି ପାରିଜାତ, ବାୟା ଅଳସୀ ଓ ଯଯାତି ଭଳି ପୁରୁଣା କିସମକୁ ଜୀବିତ ରଖିଛନ୍ତି। କୋରାପୁଟର କଳା ଜିରା ଓ ଲିକିଟିମାଛି ଭଳି ସୁଗନ୍ଧିତ ଦେଶୀଧାନ ଏହି ଅଞ୍ଚଳର କୃଷି ପରିଚୟକୁ ଆହୁରି ସମୃଦ୍ଧ କରିଛି। ସ୍ୱତନ୍ତ୍ର ସୁଗନ୍ଧ, ସ୍ୱାଦ ଏବଂ ସ୍ଥାନୀୟ ଜଳବାୟୁ ସହ ଖାପ ଖୁଆଇବାର କ୍ଷମତା ଯୋଗୁଁ ଏହି କିସମଗୁଡ଼ିକର ନିଜସ୍ୱ ଗୁରୁତ୍ୱ ରହିଛି।
ଜଳବାୟୁ ପରିବର୍ତ୍ତନ ଓ କୃଷି କ୍ଷେତ୍ରର ନୂଆ ଚ୍ୟାଲେଞ୍ଜ ମଧ୍ୟରେ ସ୍ଥାନୀୟ ପରିବେଶ ସହ ଖାପ ଖାଉଥିବା ଦେଶୀ ବିହନ ଭବିଷ୍ୟତରେ ଚାଷୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରେ। ତେଣୁ ଏହି ବିଲୁପ୍ତପ୍ରାୟ କିସମଗୁଡ଼ିକର ଚିହ୍ନଟ, ଦସ୍ତାବିଜୀକରଣ ଓ ସଂରକ୍ଷଣ ସହ ବିହନ ବ୍ୟାଙ୍କ ଗଠନ ଆବଶ୍ୟକ। ଏଥିସହ ଦେଶୀଧାନ ଚାଷ କରୁଥିବା ଚାଷୀଙ୍କୁ ପ୍ରୋତ୍ସାହନ ଏବଂ ଏହି ଧାନ ପାଇଁ ଉଚିତ ବଜାର ସୁବିଧା ମିଳିଲେ କୋରାପୁଟର ପାରମ୍ପରିକ କୃଷି ଐତିହ୍ୟକୁ ସୁରକ୍ଷିତ ରଖାଯାଇପାରିବ।
