Home Featuredଅବସର ନେବାର ସପ୍ତାହକ ପୂର୍ବରୁ ଲାଞ୍ଚ ନେଇ ଧରାପଡ଼ିଲେ ରାୟଗଡ଼ାର ନିର୍ବାହୀ ଯନ୍ତ୍ରୀ, ୨ ଲକ୍ଷ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ

ଅବସର ନେବାର ସପ୍ତାହକ ପୂର୍ବରୁ ଲାଞ୍ଚ ନେଇ ଧରାପଡ଼ିଲେ ରାୟଗଡ଼ାର ନିର୍ବାହୀ ଯନ୍ତ୍ରୀ, ୨ ଲକ୍ଷ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ

by Gulshan Pandey
0 comments

ରାୟଗଡ଼ା: ଅବସର ନେବାକୁ ମାତ୍ର ସପ୍ତାହେକ ବାକି ଥିବା ବେଳେ ଲାଞ୍ଚ ନେଉଥିବା ଅଭିଯୋଗରେ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ନିର୍ବାହୀ ଯନ୍ତ୍ରୀଙ୍କୁ ମଙ୍ଗଳବାର ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ଅଭିଯୁକ୍ତ ଅଧିକାରୀଙ୍କ ନାମ ପ୍ରସନ୍ନ ପଟ୍ଟନାୟକ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଜଣେ ସ୍ଥାନୀୟ ଠିକାଦାରଙ୍କ ବିଲ୍ ପାସ୍ କରିବା ପାଇଁ ପ୍ରସନ୍ନ ପଟ୍ଟନାୟକ ଟଙ୍କା ଦାବି କରୁଥିଲେ। ଏନେଇ ଠିକାଦାର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଏକ ଟ୍ରାପ୍ ଅପରେସନ୍ କରିଥିଲା।

ଏହି ଅପରେସନ୍ ସମୟରେ ପ୍ରସନ୍ନ ପଟ୍ଟନାୟକ ଠିକାଦାରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ।

ଅଭିଯୁକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଧରିବା ପରେ ଭିଜିଲାନ୍ସ ଟିମ୍ ତାଙ୍କ ସହ ଜଡିତ ଚାରିଟି ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି। ରାୟଗଡ଼ା, ନୟାଗଡ଼ ଓ ଭୁବନେଶ୍ୱରର ଦୁଇଟି ସ୍ଥାନରେ ଏହି ତଲାସି ଚାଲିଥିବା ସୂଚନା ମିଳିଛି। ତାଙ୍କର ଅନ୍ୟ କୌଣସି ଆୟ ବହିର୍ଭୂତ ସମ୍ପତ୍ତି ରହିଛି କି ନାହିଁ, ସେନେଇ ଯାଞ୍ଚ କରାଯାଉଛି।

ବିଭାଗୀୟ ରେକର୍ଡ ଅନୁସାରେ, ପ୍ରସନ୍ନ ପଟ୍ଟନାୟକ ଚଳିତ ମାସ ୩୦ ତାରିଖରେ ଅବସର ନେବାକୁ ଥିଲେ। କିନ୍ତୁ ଅବସର ପୂର୍ବରୁ ହିଁ ଲାଞ୍ଚ ମାମଲାରେ ସେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି।

ଅଭିଯୋଗକାରୀ ଠିକାଦାର ସନ୍ୟାସୀ ସୁବୁଦ୍ଧି କହିଛନ୍ତି ଯେ, ପ୍ରସନ୍ନ ପଟ୍ଟନାୟକ ସବୁବେଳେ ଠିକାଦାରମାନଙ୍କୁ ହଇରାଣ କରୁଥିଲେ। କୌଣସି ବିଲ୍ ପାସ୍ କରିବା ପାଇଁ ଟଙ୍କା ଦାବି କରୁଥିଲେ। ଏପରିକି ଅଭିଜ୍ଞତା ପ୍ରମାଣପତ୍ର ଦେବା ପାଇଁ ମଧ୍ୟ ୫୦ ହଜାର ଟଙ୍କା ମାଗୁଥିଲେ।

ଠିକାଦାରଙ୍କ କହିବା ଅନୁସାରେ, ପ୍ରସନ୍ନ ପଟ୍ଟନାୟକଙ୍କ ଅବସର ସମୟ ନିକଟରେ ଥିବାରୁ ସେ ନିଜ ବିଲ୍ ଶୀଘ୍ର ପାସ୍ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଅଭିଯୁକ୍ତ ଅଧିକାରୀ ୩ ଲକ୍ଷ ଟଙ୍କା ଦାବି କରିଥିଲେ। ଠିକାଦାର ନିଜର ଆର୍ଥିକ ଅସୁବିଧା କଥା କହିବା ସହ ବିଲ୍ ପାସ୍ ହେବା ପରେ ଟଙ୍କା ଦେବେ ବୋଲି କହିଥିଲେ ମଧ୍ୟ ଅଧିକାରୀ ରାଜି ହୋଇନଥିଲେ।

ପରେ ଭିଜିଲାନ୍ସର ସହଯୋଗରେ ଯୋଜନା କରାଯାଇଥିଲା ଏବଂ ୨ ଲକ୍ଷ ଟଙ୍କା ନେବା ବେଳେ ପ୍ରସନ୍ନ ପଟ୍ଟନାୟକଙ୍କୁ ରଙ୍ଗେହାତ ଧରାଯାଇଥିଲା।

ଏହି ଘଟଣା ପରେ ବିଭାଗରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି। ଚଢ଼ାଉ ସମୟରେ ମିଳୁଥିବା ଦସ୍ତାବିଜ ଓ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି।

You may also like

Leave a Comment