Home Featuredଅନୁଗୋଳରେ ଅଭିଯୋଗରେ ବେଆଇନ କୋଇଲା ଷ୍ଟକୟାର୍ଡ, ପ୍ରଦୂଷଣକୁ ନେଇ ଚିନ୍ତା

ଅନୁଗୋଳରେ ଅଭିଯୋଗରେ ବେଆଇନ କୋଇଲା ଷ୍ଟକୟାର୍ଡ, ପ୍ରଦୂଷଣକୁ ନେଇ ଚିନ୍ତା

by Sunita Jena
0 comments

ଅନୁଗୋଳ ଜିଲ୍ଲା ହଣ୍ଡପା ରେଳଷ୍ଟେସନ ନିକଟରେ ଘରୋଇ ଜମିରେ ବିପୁଳ ପରିମାଣର କୋଇଲା ମହଜୁଦ ରଖାଯାଇଥିବା ନେଇ ଅଭିଯୋଗ ଉଠିଛି। ନିୟମ ଉଲ୍ଲଂଘନ କରି ରେଲୱେ ସାଇଡିଂ ବାହାରେ କୋଇଲା ଷ୍ଟକୟାର୍ଡ ଚାଲୁଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଦୀର୍ଘଦିନ ଧରି ଏହି ଅଞ୍ଚଳରେ କୋଇଲା ଗଚ୍ଛିତ କରାଯାଉଛି। କୋଇଲା ଉଠାଇବା ଓ ପରିବହନ ସମୟରେ ଧୂଳି ଉଡ଼ି ଆଖପାଖ ଗାଁର ପରିବେଶ ପ୍ରଭାବିତ ହେଉଛି। ଏଥିସହ ନିକଟସ୍ଥ ନାଳର ପାଣି ମଧ୍ୟ ପ୍ରଦୂଷିତ ହେଉଥିବା ଅଭିଯୋଗ ରହିଛି।

ଅଭିଯୋଗ ଆହୁରି ଗୁରୁତର ହେବାର କାରଣ ହେଉଛି, ଏହି ଜମିରେ ପୂର୍ବରୁ ଅନ୍ୟ ବେଆଇନ କାର୍ଯ୍ୟକଳାପ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ସରକାରୀ ସିଲ୍ ଭାଙ୍ଗି ପୁଣି ସେଠାରେ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ମଧ୍ୟ ରହିଛି। ଏହା ସତ ହେଲେ ଘଟଣାଟି ଗୁରୁତର ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ କହିଛନ୍ତି।ଅନ୍ୟପଟେ, ଗାଁ ରାସ୍ତା ଦେଇ କୋଇଲା ପରିବହନ ହେଉଥିବାରୁ ରାସ୍ତାର ଅବସ୍ଥା ଖରାପ ହେବା ସହ ସରକାରୀ ରାଜସ୍ୱ ହାନିର ଆଶଙ୍କା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏତେ ବଡ଼ ପରିମାଣର କୋଇଲା କେଉଁଠାରୁ ଆସୁଛି, କିଏ ଏହାକୁ ଗଚ୍ଛିତ କରୁଛି ଏବଂ ଷ୍ଟକୟାର୍ଡ ପାଇଁ ଆବଶ୍ୟକ ଅନୁମତି ରହିଛି କି ନାହିଁ—ତାହାର ଯାଞ୍ଚ ଦାବି ହୋଇଛି।

ଅଭିଯୋଗ ପରେ ଖଣି ବିଭାଗ ପକ୍ଷରୁ ଘଟଣାସ୍ଥଳ ଯାଞ୍ଚ ପାଇଁ ଏକ ଟିମ୍ ପଠାଯାଇଛି। ତଦନ୍ତ ରିପୋର୍ଟ ମିଳିବା ପରେ ନିୟମ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ତାଳଚେର ଖଣି ଉପନିର୍ଦ୍ଦେଶକ ଦେବେନ୍ଦ୍ର ନାଥ ଦଳାଇ କହିଛନ୍ତି। ଏବେ ତଦନ୍ତ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି।

You may also like

Leave a Comment