Home Odishaରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ: ଜୋରଦାର ପ୍ରସ୍ତୁତି, ୨୦ରେ ମୋଦୀଙ୍କ ସହ ଐତିହାସିକ କାର୍ଯ୍ୟକ୍ରମ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ: ଜୋରଦାର ପ୍ରସ୍ତୁତି, ୨୦ରେ ମୋଦୀଙ୍କ ସହ ଐତିହାସିକ କାର୍ଯ୍ୟକ୍ରମ

by Gulshan Pandey
0 comments

ବାରିପଦା, ୧୮ ଜୁନ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଅପରାହ୍ନ ୩ଟା ୪୫ ମିନିଟ୍‌ରେ ଦାଣ୍ଡବୋଷ ବିମାନବନ୍ଦରରେ ପହଞ୍ଚିବେ। ଗସ୍ତ ଅବସରରେ ସେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ଏଥିରେ ଏମ୍‌ସ୍‌ ଦ୍ୱାରା ଆୟୋଜିତ ଏକ ମେଡିକାଲ କ୍ୟାମ୍ପ, କୁସୁମୀ ବ୍ଲକର ୧୧୩ଟି ଗାଁ ପାଇଁ ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ଓ ହଟବଦ୍ରାରେ ବ୍ରହ୍ମା କୁମାରୀ ସଂସ୍ଥା ପକ୍ଷରୁ ନିର୍ମିତ ‘ମାତୃ ଶକ୍ତି ଭବନ’ ଅନ୍ତର୍ଭୁକ୍ତ ରହିଛି।

ଏହା ସହ ଜିଲ୍ଲାର ନୂତନ ପୁଲିସ କାର୍ଯ୍ୟାଳୟର ଲୋକାର୍ପଣ ମଧ୍ୟ ତାଙ୍କ ହସ୍ତରେ ହେବ। ଏହି ଭବନ ଜିଲ୍ଲାର ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ରାଷ୍ଟ୍ରପତି ରାଇରଙ୍ଗପୁରସ୍ଥିତ ନିଜ ବାସଭବନରେ ରାତ୍ରିଯାପନ କରିବେ।

ଏହି ଗସ୍ତର ବିଶେଷ ଆକର୍ଷଣ ହେଉଛି ଜୁନ୍ ୨୦ ତାରିଖର କାର୍ଯ୍ୟକ୍ରମ। ସେହିଦିନ ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜ ଗସ୍ତରେ ଆସିବେ। ପ୍ରଥମଥର ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏକାସାଙ୍ଗରେ ମୟୂରଭଞ୍ଜ ମାଟିରେ ଉପସ୍ଥିତ ରହିବେ।

୨୦ ତାରିଖ ସକାଳ ୧୦ଟା ୩୦ରେ ରାଷ୍ଟ୍ରପତି ପାହାଡ଼ପୁରରେ ପହଞ୍ଚିବେ ଏବଂ ପରେ ପ୍ରଧାନମନ୍ତ୍ରୀ ମଧ୍ୟ ସେଠାରେ ଯୋଗଦେବେ। ଉଭୟ ଗ୍ରାମଦେବତୀ ଗୋଷାଣୀ ପୀଠ, ସାନ୍ତାଳୀ ଓ ହୋ-ମୁଣ୍ଡା ଯାହିରା ପରିଦର୍ଶନ କରିବା ସହ ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଶିକ୍ଷିତ ଯୁବକ-ଯୁବତୀଙ୍କ ସହ ଆଲୋଚନା କରିବେ।

ପରେ ପ୍ରଧାନମନ୍ତ୍ରୀ ଦାଣ୍ଡବୋଷରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧନ କରିବେ। ଏହି ଐତିହାସିକ ଗସ୍ତକୁ ନେଇ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଉତ୍ସାହର ପରିବେଶ ଦେଖାଦେଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

You may also like

Leave a Comment