ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଏକ ବଡ଼ଧରଣର ପୁନର୍ଗଠନ ହୋଇପାରେ। ସୂତ୍ର ଅନୁସାରେ, ଜୁଲାଇ ତୃତୀୟ ସପ୍ତାହ ସୁଦ୍ଧା ଏହି ଅଦଳବଦଳ ଚୂଡ଼ାନ୍ତ ରୂପ ନେଇପାରେ। ଜୁଲାଇ ୨୧ରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ପୂର୍ବରୁ କିମ୍ବା ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ଯୋଜନା ଥିବା ଚର୍ଚ୍ଚା ହେଉଛି।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରାଯାଇଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିବା ସୂଚନା ମିଳିଛି। ବିଜେପିର ନୂତନ ସାଙ୍ଗଠନିକ ଦଳ ସହ ସମନ୍ୱୟ ରଖି ସରକାରରେ ଏହି ପରିବର୍ତ୍ତନ କରାଯିବାକୁ ଦଳ ଗୁରୁତ୍ୱ ଦେଉଛି।
ବିଜେପିର ‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ନୀତି ଅନୁଯାୟୀ ଦଳୀୟ ସଙ୍ଗଠନରେ ନୂଆ ଦାୟିତ୍ୱ ପାଇଥିବା କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ଅବ୍ୟାହତି ଦିଆଯାଇପାରେ। ଉତ୍ତର ପ୍ରଦେଶ ବିଜେପିର ସଭାପତି ଦାୟିତ୍ୱ ପାଇଥିବା ପଙ୍କଜ ଚୌଧୁରୀ ଏବଂ ଦିଲ୍ଲୀ ବିଜେପିର ସଭାପତି ହୋଇଥିବା ହର୍ଷ ମାଲହୋତ୍ରାଙ୍କ ନାମ ଏହି ତାଲିକାରେ ରହିଥିବା ଚର୍ଚ୍ଚା ହେଉଛି।
ଅନ୍ୟପଟେ, ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ପଞ୍ଜାବର ଆଗାମୀ ରାଜନୈତିକ ସମୀକରଣକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁଙ୍କୁ ବର୍ତ୍ତମାନ ପାଇଁ ମନ୍ତ୍ରିମଣ୍ଡଳରେ ବଜାୟ ରଖାଯାଇପାରେ। ନିକଟରେ ଜର୍ଜ କୁରିଆନ୍ଙ୍କ ଇସ୍ତଫା ପରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ପୂରଣ କରିବା ସହ କେତେକ ରାଷ୍ଟ୍ରମନ୍ତ୍ରୀଙ୍କୁ ସାଙ୍ଗଠନିକ ଦାୟିତ୍ୱକୁ ଫେରାଇ ଆଣିବା ନେଇ ମଧ୍ୟ ଆଲୋଚନା ଚାଲିଛି।
ମନ୍ତ୍ରିମଣ୍ଡଳ ପୁନର୍ଗଠନରେ କେତେକ ପ୍ରମୁଖ ମନ୍ତ୍ରଣାଳୟରେ ପରିବର୍ତ୍ତନ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇପାରେ ବୋଲି କୁହାଯାଉଛି। ସେହିପରି ତାଙ୍କ ସ୍ଥାନରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କିମ୍ବା ଆର୍ବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଅର୍ଥମନ୍ତ୍ରୀ କରାଯିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ସେହିପରି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟରେ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଆଲୋଚନା ହେଉଛି।
ଏହାଛଡ଼ା, ସହଯୋଗୀ ଦଳଗୁଡ଼ିକୁ ଅଧିକ ପ୍ରତିନିଧିତ୍ୱ ଦେବା ଉଦ୍ଦେଶ୍ୟରେ ଶିବସେନା ନେତା ଶ୍ରୀକାନ୍ତ ସିନ୍ଦେଙ୍କ ସମେତ କେତେକ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ବୋଲି ସୂତ୍ରରୁ ପ୍ରକାଶ।
ଜୁଲାଇ ୬ରୁ ୧୧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସେ ଦେଶକୁ ଫେରିବା ପରେ ନୂଆ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ଅନୁଷ୍ଠାନ ହୋଇପାରେ। ଏହି ପୁନର୍ଗଠନ ମାଧ୍ୟମରେ ମହିଳା, ଓବିସି ବର୍ଗ ଏବଂ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବା ପ୍ରମୁଖ ରାଜ୍ୟଗୁଡ଼ିକୁ ଅଧିକ ପ୍ରତିନିଧିତ୍ୱ ଦେବା ଉପରେ ଶାସକ ଦଳ ଗୁରୁତ୍ୱ ଦେଉଥିବା ସୂଚନା ମିଳୁଛି।
ତେବେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ନେଇ କେନ୍ଦ୍ର ସରକାର କିମ୍ବା ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ।
