Home Featuredହୀରାକୁଦ ବୁଡ଼ି ଅଞ୍ଚଳ ଚାଷୀଙ୍କୁ ବଡ଼ ଆଶ୍ୱସ୍ତି; ରବି ଧାନ କିଣିବାକୁ ଅନୁମତି ଦେଲେ ରାଜ୍ୟ ସରକାର

ହୀରାକୁଦ ବୁଡ଼ି ଅଞ୍ଚଳ ଚାଷୀଙ୍କୁ ବଡ଼ ଆଶ୍ୱସ୍ତି; ରବି ଧାନ କିଣିବାକୁ ଅନୁମତି ଦେଲେ ରାଜ୍ୟ ସରକାର

by Lokanath Panigrahi
0 comments

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାରର ବୁଡ଼ି ଅଞ୍ଚଳରେ ରବି ଧାନ ଚାଷ କରିଥିବା ଚାଷୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଚଳିତ ୨୦୨୫-୨୬ ରବି ଋତୁରେ ଏହି ଅଞ୍ଚଳରେ ଚାଷ କରିଥିବା ୭୯୬ ଜଣ ଚାଷୀଙ୍କ ଧାନ ସରକାରୀ ମଣ୍ଡିରେ କିଣିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅନୁମତି ପ୍ରଦାନ କରିଛି।

ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ପ୍ରସ୍ତାବକୁ ବିଚାର କରି ସରକାର ଏହି ନିଷ୍ପତ୍ତି ନେଇଥିବା ବେଳେ ବିଭାଗର ଅତିରିକ୍ତ ସଚିବ ସୁଦାମ ଚରଣ ମଣ୍ଡଳ ଜିଲ୍ଲାପାଳଙ୍କୁ ଚିଠି ଲେଖି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ୭୯୬ ଜଣ ଚାଷୀଙ୍କ ନାମ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି (PACS) ମାଧ୍ୟମରେ P-PAS ପୋର୍ଟାଲ୍‌ରେ ପଞ୍ଜୀକୃତ କରାଯିବ। ଚାଷୀମାନେ ଯେପରି ନିର୍ବିଘ୍ନରେ ସେମାନଙ୍କ ଅବଶିଷ୍ଟ ରବି ଧାନ ବିକ୍ରି କରିପାରିବେ, ସେଥିପାଇଁ ଦୁଇ ଦିନ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକୁ ‘ଅତ୍ୟନ୍ତ ଜରୁରୀ’ ଭାବେ ଚିହ୍ନଟ କରାଯାଇଛି। ବୈଷୟିକ ସହଯୋଗ ପାଇଁ ଓଡ଼ିଶା ମହାକାଶ ବ୍ୟବହାର ପ୍ରୟୋଗ କେନ୍ଦ୍ର (ORSAC) ଏବଂ ବିଭାଗୀୟ ପ୍ରୋଗ୍ରାମ୍ ମ୍ୟାନେଜରଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି।

କେବଳ ଚଳିତ ବର୍ଷ ପାଇଁ ସ୍ୱତନ୍ତ୍ର ରିହାତି

ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ନିଷ୍ପତ୍ତି କେବଳ ୨୦୨୫-୨୬ ରବି ଋତୁ ପାଇଁ ଏକକାଳୀନ ଅନୁକମ୍ପାମୂଳକ ପଦକ୍ଷେପ। ଭବିଷ୍ୟତରେ ବୁଡ଼ି ଅଞ୍ଚଳ କିମ୍ବା ଅନ୍ୟ କୌଣସି ସରକାରୀ ଜମିରେ ବେଆଇନ ଭାବେ ଧାନ ଚାଷ କରାଗଲେ ସେହି ଧାନକୁ ସରକାରୀ ମଣ୍ଡିରେ କ୍ରୟ କରାଯିବ ନାହିଁ ବୋଲି ସରକାର ଚେତାବନୀ ଦେଇଛନ୍ତି।

ପତ୍ର ସଂଖ୍ୟା ୧୧୨୫୧ରେ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାରେ ଏହା ସ୍ପଷ୍ଟ କରାଯାଇଛି। ଏହାର ନକଲ ଅବଗତି ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି।

ଏହି ନିଷ୍ପତ୍ତି ଫଳରେ ହୀରାକୁଦ ବୁଡ଼ି ଅଞ୍ଚଳର ଶତାଧିକ ଚାଷୀ ସେମାନଙ୍କ ଉତ୍ପାଦିତ ଧାନକୁ ସରକାରୀ ସହାୟକ ମୂଲ୍ୟରେ ବିକ୍ରି କରିପାରିବେ, ଯାହା ସେମାନଙ୍କୁ ବଡ଼ ଆର୍ଥିକ ଆଶ୍ୱସ୍ତି ଦେବ।

You may also like

Leave a Comment