Home Featuredତୃତୀୟ ଦିନରେ ବି ଅଚଳ ବିଧାନସଭା, ବିରୋଧୀଙ୍କ ପ୍ରତିବାଦ ଜାରି

ତୃତୀୟ ଦିନରେ ବି ଅଚଳ ବିଧାନସଭା, ବିରୋଧୀଙ୍କ ପ୍ରତିବାଦ ଜାରି

by Sunita Jena
0 comments

ଚଳିତ ମୌସୁମୀ ଅଧିବେଶନରେ ଲଗାତାର ତୃତୀୟ ଦିନରେ ମଧ୍ୟ ବିଧାନସଭାର ସ୍ୱାଭାବିକ କାର୍ଯ୍ୟ ଚାଲିପାରିନାହିଁ। ବିରୋଧୀ ଦଳର ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗ ନେଇ ଗୃହ ମଧ୍ୟଭାଗକୁ ଆସି ପ୍ରତିବାଦ କରିବାରୁ ଦୁଇଟି ପର୍ଯ୍ୟାୟରେ ଗୃହକାର୍ଯ୍ୟ ଅଳ୍ପ ସମୟ ମଧ୍ୟରେ ମୁଲତବୀ ହୋଇଛି। ଶୁକ୍ରବାର ପୂର୍ବାହ୍ଣରେ ଗୃହ ଆରମ୍ଭ ହେବା ପରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ନିଜ ନିଜ ପ୍ରସଙ୍ଗ ନେଇ ନାରାବାଜି କରିଥିଲେ। ବିଜେଡି ପକ୍ଷରୁ ପୂର୍ବରୁ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ପ୍ରତିବାଦ ହୋଇଥିବା ବେଳେ ଆଜି MMDR ସଂଶୋଧନ ଆଇନକୁ ନେଇ ଦଳୀୟ ସଦସ୍ୟମାନେ ଆପତ୍ତି ଉଠାଇଥିଲେ। କଂଗ୍ରେସ ବିଧାୟକମାନେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଲଗାତାର ପ୍ରତିବାଦ କରିଥିଲେ।

ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଖଣିଜ ସମ୍ପଦ ଓ ରାଜସ୍ୱ ଅଧିକାର ସମ୍ପର୍କିତ ନାରା ଦେଇଥିଲେ। ହୋହଲ୍ଲା ମଧ୍ୟରେ ଉପବାଚସ୍ପତି ପ୍ରଶ୍ନକାଳ ଚଳାଇବାକୁ ଚେଷ୍ଟା କରିଥିଲେ। କିଛି ପ୍ରଶ୍ନର ଉତ୍ତର ମନ୍ତ୍ରୀମାନେ ରଖିଥିଲେ ମଧ୍ୟ ଗୃହରେ ହେଉଥିବା ନାରାବାଜି ଯୋଗୁଁ ଉତ୍ତର ସ୍ପଷ୍ଟ ଭାବେ ଶୁଣାଯାଇନଥିଲା। ପରିସ୍ଥିତିରେ ପରିବର୍ତ୍ତନ ନଆସିବାରୁ ପ୍ରାୟ ୧୩ ମିନିଟ୍‌ ପରେ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା।

ଗୃହ ମୁଲତବୀ ପରେ କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ଧାରଣା ଦେଇଥିଲେ। ଏପଟେ ବିଜେଡି ବିଧାୟକମାନେ ଓଡ଼ିଶା ଖଣି ନିଗମ (OMC) କାର୍ଯ୍ୟାଳୟ ଆଡ଼କୁ ଯାଇ ସେଠାରେ ପ୍ରତିବାଦ କରିଥିଲେ। ଅରୁଣ ସାହୁଙ୍କ ନେତୃତ୍ୱରେ ବିଧାୟକମାନେ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ କିଛି ସମୟ ପାଇଁ ଠେଲାପେଲା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା।

ଅପରାହ୍ଣ ୪ଟାରେ ଗୃହ ପୁଣି ବସିବା ପରେ ମଧ୍ୟ ଚିତ୍ର ବଦଳିନଥିଲା। ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗରେ ନାରାବାଜି ଜାରି ରଖିଥିଲେ। ଏହି ସମୟରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଜନବିଶ୍ୱାସ ବିଲ୍‌ ଉପରେ ଆଲୋଚନା ପାଇଁ ପ୍ରସ୍ତାବ ରଖିଥିଲେ। କିନ୍ତୁ ହୋହଲ୍ଲା ଜାରି ରହିବାରୁ ମାତ୍ର ପ୍ରାୟ ୪ ମିନିଟ୍‌ ପରେ ଗୃହକୁ ପୁଣି ମୁଲତବୀ କରାଯାଇ ଆସନ୍ତାକାଲି ପର୍ଯ୍ୟନ୍ତ ଅଧିବେଶନ ବନ୍ଦ ରଖାଯାଇଛି। ଏହି ଘଟଣାକ୍ରମ ମଧ୍ୟରେ ବିରୋଧୀ ଦଳ ଓ ସରକାରୀ ପକ୍ଷ ମଧ୍ୟରେ ଆଲୋଚନା ମାଧ୍ୟମରେ ଗୃହକୁ ସ୍ୱାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ହୋଇନଥିବା ଜଣାପଡ଼ିଛି।

You may also like

Leave a Comment