ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ଅଢ଼େଇ ବର୍ଷ ପୁରୁଣା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ। ଘଟଣାସ୍ଥଳରୁ ମିଳିଥିବା ଏକ ଯୋଡ଼ା ଚପଲ ଏବଂ DNA ପରୀକ୍ଷା ଏହି ମାମଲାର ସବୁଠାରୁ ବଡ଼ ପ୍ରମାଣ ପାଲଟିଛି। ମୃତକଙ୍କ ପୁଅ ଚପଲକୁ ଚିହ୍ନଟ କରିବା ପରେ DNA ପରୀକ୍ଷାରେ ମୃତଦେହର ପରିଚୟ ସ୍ପଷ୍ଟ ହୋଇଥିଲା। ଏହାପରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଛି।
ସୂଚନା ଅନୁସାରେ, ୨୦୨୩ ନଭେମ୍ବର ୮ ତାରିଖରେ ଉଦଳା ଥାନା ଅଧୀନ ବାହୁବନ୍ଧ ସୁରେଇସାହି କାଜୁ ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ କୂଅରୁ ଅଜଣା ବ୍ୟକ୍ତିଙ୍କ ପଚାଗଳା ମୃତଦେହ ଉଦ୍ଧାର କରାଯାଇଥିଲା। ସେତେବେଳେ ପୋଲିସ ମୃତକଙ୍କ ପରିଚୟ ଜାଣିପାରି ନଥିଲା। ପ୍ରାୟ ତିନି ମାସ ପରେ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିଲା।
୨୦୨୬ ଜୁନ୍ ୧୭ ତାରିଖରେ ସୁଖୁଆସାହି ଗାଁର ବିଶ୍ୱନାଥ ସିଂହ ନିଜ ନିଖୋଜ ବାପାଙ୍କୁ ଖୋଜିବା ପାଇଁ ଥାନାକୁ ଯାଇଥିଲେ। ସେଠାରେ ରଖାଯାଇଥିବା ଏକ ଯୋଡ଼ା ଚପଲକୁ ସେ ତାଙ୍କ ବାପା ଯୁବରାଜ ସିଂହଙ୍କର ବୋଲି ଚିହ୍ନଟ କରିଥିଲେ।
ବିଶ୍ୱନାଥ କହିଛନ୍ତି, ବାପା ନିଖୋଜ ହେବା ପରେ ସେ ସବୁଠି ତାଙ୍କୁ ଖୋଜିଥିଲେ। ଭଉଣୀଙ୍କ ଘର ଏବଂ ବଡ଼ସାହି ଅଞ୍ଚଳରେ ମଧ୍ୟ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ମିଳିନଥିଲା। ପରେ ବନ ବିଭାଗ କାର୍ଯ୍ୟାଳୟରୁ ଖବର ମିଳିଥିଲା ଯେ ତାଙ୍କ ବାପାଙ୍କ ମୃତଦେହ ଏକ କୂଅରେ ଫିଙ୍ଗି ଦିଆଯାଇଛି।
ଏହାପରେ କ୍ରାଇମବ୍ରାଞ୍ଚ DNA ପରୀକ୍ଷା କରିଥିଲା। ପରୀକ୍ଷାରେ ମୃତଦେହଟି ୭୫ ବର୍ଷୀୟ ଯୁବରାଜ ସିଂହଙ୍କର ବୋଲି ସ୍ପଷ୍ଟ ହୋଇଥିଲା।
ଏହି ଘଟଣା ସମ୍ପର୍କରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି ଯେ, ଆରମ୍ଭରେ ମୃତକଙ୍କ ପରିଚୟ ଜାଣିବା ପାଇଁ ଆଖପାଖ ଅଞ୍ଚଳର ନିଖୋଜ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରି DNA ପରୀକ୍ଷା କରାଯାଇଥିଲା। କିନ୍ତୁ କୌଣସି ନମୁନା ମେଳ ଖାଇନଥିଲା।
ତଦନ୍ତ ବେଳେ ପୋଲିସ ଦେଖିଥିଲା ଯେ ମୃତକଙ୍କ ପାଦରେ ଦୁଇଟି ଭିନ୍ନ ଆକାରର ଚପଲ ଥିଲା। ଗୋଟିଏ ଚପଲ ୪ ନମ୍ବର ଏବଂ ଅନ୍ୟଟି ୫ ନମ୍ବର ଥିଲା। ଏହି ତଥ୍ୟକୁ ପୋଲିସ ଗୁରୁତ୍ୱପୂର୍ଣ୍ଣ ସୁରାକ ଭାବେ ଧରି ତଦନ୍ତ ଜାରି ରଖିଥିଲା। ପରେ ମୃତକଙ୍କ ପୁଅ ଚପଲକୁ ଚିହ୍ନଟ କରିବା ପରେ DNA ପରୀକ୍ଷାରେ ସବୁ ସ୍ପଷ୍ଟ ହୋଇଥିଲା।
କ୍ରାଇମବ୍ରାଞ୍ଚର ତଦନ୍ତରୁ ଜଣାପଡ଼ିଛି ଯେ, ଏକ ଭୋଜିରୁ ଘରକୁ ଫେରୁଥିବା ବେଳେ ଯୁବରାଜ ସିଂହ ନିଖୋଜ ହୋଇଥିଲେ। ପୂର୍ବରୁ ମଧ୍ୟ ସେ ଘରୁ ବାହାରି କିଛି ଦିନ ପରେ ଫେରି ଆସୁଥିବାରୁ ପରିବାର ପକ୍ଷରୁ କୌଣସି ନିଖୋଜ ଅଭିଯୋଗ ଦାଖଲ କରାଯାଇନଥିଲା।
ତଦନ୍ତରେ ସାମ୍ନାକୁ ଆସିଛି ଯେ, ଗୁଣିଗାରେଡ଼ି ସନ୍ଦେହରେ ଯୁବରାଜ ସିଂହଙ୍କୁ ହତ୍ୟା କରାଯାଇଥିଲା। ଅଭିଯୋଗ ଅନୁସାରେ, ବଂଶାହି ଗାଁର ସନାଗୌର ମୋହନ ସିଂହ, ନରହରି ସିଂହ ଏବଂ ଜଣେ ନାବାଳକ ଶ୍ରୀନାଥ ସିଂହ ତାଙ୍କୁ ଜଙ୍ଗଲକୁ ନେଇ ଦଉଡ଼ିରେ ଗଳା ଚିପି ହତ୍ୟା କରିଥିଲେ। ପରେ ମୃତଦେହକୁ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲେ।
ମୃତକଙ୍କ ବଡ଼ ପୁଅ ରଘୁନାଥ ସିଂହ କହିଛନ୍ତି, ଘରେ କେହି ନଥିବା ସୁଯୋଗରେ ତାଙ୍କ ବାପାଙ୍କୁ ଡାକି ନେଇଥିଲେ। ପରିବାର ସବୁଠି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ଜଙ୍ଗଲକୁ ନେଇ ତାଙ୍କୁ ନିଶା ଦେଇ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, ଯଦି ତାଙ୍କ ବାପା ପ୍ରକୃତରେ ଗୁଣିଗାରେଡ଼ି କରୁଥାନ୍ତେ, ତାହାହେଲେ ପରିବାରର ଅନ୍ୟ ସଦସ୍ୟମାନେ କେମିତି ସୁରକ୍ଷିତ ରହିଥାନ୍ତେ।
ଏହି ମାମଲାରେ କ୍ରାଇମବ୍ରାଞ୍ଚ ସନାଗୌର ମୋହନ ସିଂହ, ନରହରି ସିଂହ ଏବଂ ନାବାଳକ ଶ୍ରୀନାଥ ସିଂହଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଅଢ଼େଇ ବର୍ଷ ପରେ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା ମିଳିଛି।
