ଭୁବନେଶ୍ୱର: ଦ୍ରୁତ ସହରୀକରଣ ସହ ବଡ଼ ସହର ଏବଂ ଜିଲ୍ଲା ମୁଖ୍ୟାଳୟ ଦେଇ ଯାଇଥିବା ଜାତୀୟ ରାଜପଥରେ ଯାନଜଟ ବଢ଼ୁଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନୂତନ ‘ଅର୍ବାନ୍ ଡି-କଞ୍ଜେସନ୍ ପଲିସି’ ଲାଗୁ କରିବାକୁ ପଦକ୍ଷେପ ନେଇଛି। ଏହାକୁ ରାଜ୍ୟରେ କାର୍ଯ୍ୟକର କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।
ନୂଆ ନୀତି ଅନୁଯାୟୀ, ସହରାଞ୍ଚଳରେ ନିର୍ମାଣ ହେବାକୁ ଥିବା ରିଂ ରୋଡ୍ ଓ ବାଇପାସ୍ଗୁଡ଼ିକୁ ସର୍ବନିମ୍ନ ଚାରି ଲେନ ବିଶିଷ୍ଟ ସମ୍ପୂର୍ଣ୍ଣ ଆକ୍ସେସ୍-କଣ୍ଟ୍ରୋଲ କରିଡର ଭାବେ ବିକଶିତ କରାଯିବ। ଯାନବାହନ କେବଳ ନିର୍ଦ୍ଧାରିତ ଇଣ୍ଟରଚେଞ୍ଜ ଓ ସ୍ଲିପ୍ ରୋଡ୍ ମାଧ୍ୟମରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବ। ସିଧାସଳଖ ରାସ୍ତା ସଂଯୋଗକୁ ଅନୁମତି ଦିଆଯିବ ନାହିଁ। ଇଣ୍ଟରଚେଞ୍ଜ ମଧ୍ୟରେ ଅତି କମରେ ୫ କିଲୋମିଟର ଦୂରତା ରଖିବାକୁ ପ୍ରସ୍ତାବ ରହିଛି।
ରାଜପଥରେ ଭବିଷ୍ୟତରେ ପୁଣି ଟ୍ରାଫିକ ସମସ୍ୟା ନ ସୃଷ୍ଟି ହେବା ପାଇଁ ରିଂ ରୋଡ୍ ଓ ବାଇପାସ୍ର ଉଭୟ ପାର୍ଶ୍ୱରେ ୧୫ ମିଟର ପର୍ଯ୍ୟନ୍ତ ‘ନୋ-ଡେଭେଲପମେଣ୍ଟ ଗ୍ରୀନ୍ ଜୋନ୍’ ଘୋଷଣା କରାଯିବ। ଏହି ଅଞ୍ଚଳରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣକୁ ଅନୁମତି ମିଳିବ ନାହିଁ।
ଏହା ବାହାରେ ସର୍ବାଧିକ ୨ କିଲୋମିଟର ପର୍ଯ୍ୟନ୍ତ ରେଗୁଲେଟେଡ୍ ଡେଭେଲପମେଣ୍ଟ ଜୋନ୍ (RDZ) ଗଠନ କରାଯିବ। ଏହି ଅଞ୍ଚଳରେ ଆବାସିକ, ବ୍ୟବସାୟିକ, ଶିଳ୍ପ ଓ ପ୍ରତିଷ୍ଠାନଗତ ବିକାଶକୁ ନିର୍ଦ୍ଧାରିତ ଯୋଜନା ଅନୁସାରେ ଅନୁମତି ଦିଆଯିବ। ଏହା ଫଳରେ ରାଜପଥ କଡ଼ରେ ଅନିୟନ୍ତ୍ରିତ ବସତି ଓ ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ିଉଠିବାକୁ ରୋକାଯାଇପାରିବ।
ନୀତିରେ ସହରର ମାଷ୍ଟର ପ୍ଲାନ୍ ସହ ରିଂ ରୋଡ୍ ଓ ବାଇପାସ୍ ପ୍ରକଳ୍ପକୁ ସମନ୍ୱୟ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଆଗାମୀ ୫୦ ବର୍ଷର ସହର ବିସ୍ତାର, ଜନସଂଖ୍ୟା ବୃଦ୍ଧି ଓ ଯାତାୟାତ ଆବଶ୍ୟକତାକୁ ଆଧାର କରି ଏହି ପ୍ରକଳ୍ପଗୁଡ଼ିକର ଯୋଜନା ଓ ଡିଜାଇନ୍ ପ୍ରସ୍ତୁତ ହେବ। ସ୍ଥାନୀୟ ଯାନବାହନ ପାଇଁ ପୃଥକ ସର୍ଭିସ୍ ରୋଡ୍ ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଜମି ଅଧିଗ୍ରହଣ ପାଇଁ ମଧ୍ୟ ନୂଆ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି। ପାଞ୍ଚ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର ଓ ରାଜ୍ୟ ରାଜଧାନୀ ପାଇଁ ୬୦ରୁ ୭୫ ମିଟର ଏବଂ ଏକରୁ ପାଞ୍ଚ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଓ ଜିଲ୍ଲା ମୁଖ୍ୟାଳୟ ପାଇଁ ୪୫ରୁ ୬୦ ମିଟର ପର୍ଯ୍ୟନ୍ତ ରାଇଟ୍ ଅଫ୍ ୱେ (RoW) ନିର୍ଦ୍ଧାରଣ କରାଯିବ।
ନୂଆ ବାଇପାସ୍ ଚାଲୁ ହେବା ପରେ ପୁରୁଣା ଜାତୀୟ ରାଜପଥକୁ ରାଜ୍ୟ ସରକାରଙ୍କ ନିକଟକୁ ହସ୍ତାନ୍ତର କରି ସହରର ଆଭ୍ୟନ୍ତରୀଣ ସଡ଼କ ବ୍ୟବସ୍ଥାର ଅଂଶ କରାଯିବାର ଯୋଜନା ରହିଛି।
ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଆର୍ଥିକ ଅଂଶୀଦାରିତ୍ୱ ପାଇଁ ବିଭିନ୍ନ ବିକଳ୍ପ ରଖାଯାଇଛି। ଜମି ଅଧିଗ୍ରହଣରେ ସହଯୋଗ, ଲ୍ୟାଣ୍ଡ ପୁଲିଂ ବ୍ୟବସ୍ଥା କିମ୍ବା ଭାଲ୍ୟୁ କ୍ୟାପଚର୍ ଫାଇନାନ୍ସିଂ ଭଳି ମଡେଲ୍ ମାଧ୍ୟମରେ ରାଜ୍ୟ ସରକାର ଭାଗିଦାର ହୋଇପାରିବେ। ଏହା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହେବ।
ସରକାରଙ୍କ ଆଶା ଅନୁଯାୟୀ, ରିଂ ରୋଡ୍, ବାଇପାସ୍ ଓ ଏଲିଭେଟେଡ୍ କରିଡର ନିର୍ମାଣ ମାଧ୍ୟମରେ ସହରାଞ୍ଚଳରେ ଟ୍ରାଫିକ ଚାପ କମିବ, ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ ପାଇବ, ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପକୁ ଗତି ମିଳିବ ଏବଂ ଦୀର୍ଘମିଆଦିରେ ସୁପରିକଳ୍ପିତ ସହର ବିକାଶକୁ ଏହି ନୀତି ସହାୟକ ହେବ।
