ପୁରୀ: ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ୍ ଭାରତୀୟ ଶାଖା ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିବୃତିକୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ବର୍ଲିନରେ ଅଦିନିଆ ରଥଯାତ୍ରା ପାଇଁ ସେ ଅନୁମତି ଦେଇଥିଲେ କିମ୍ବା ଏହାକୁ ସମର୍ଥନ କରିଥିଲେ ବୋଲି ଯେଉଁ ଦାବି କରାଯାଉଛି, ତାହା ସମ୍ପୂର୍ଣ୍ଣ ଭୁଲ ଏବଂ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିବାର ଉଦ୍ଦେଶ୍ୟରେ କରାଯାଇଛି।
ଗଜପତି ମହାରାଜଙ୍କ କହିବା ଅନୁସାରେ, ୧୯୯୧ ମସିହାରେ ସେ ଏକ ସମ୍ମିଳନୀରେ ଯୋଗଦେବା ପାଇଁ ବର୍ଲିନ ଯାଇଥିଲେ। ସେହି ସମୟରେ ଇସ୍କନ୍ ପକ୍ଷରୁ ରଥଯାତ୍ରାର ଆୟୋଜନ ହୋଇଥିଲା ଏବଂ ସେତେବେଳେ ଏହା ନିର୍ଦ୍ଧାରିତ ତିଥି ବାହାରେ ଅନୁଷ୍ଠିତ ହେଉଥିବା ବିଷୟ ସେ ଜାଣିବାକୁ ପାଇଥିଲେ। କିନ୍ତୁ ଏହି କାର୍ଯ୍ୟକ୍ରମକୁ ସେ ଅନୁମୋଦନ କିମ୍ବା ପ୍ରଶଂସା କରିଥିବା କଥା ସତ୍ୟ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଭାରତକୁ ଫେରିବା ପରେ ଇସ୍କନ୍ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ଶାସ୍ତ୍ରସମ୍ମତ ତିଥିରେ ରଥଯାତ୍ରା ପାଳନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେହି ଅନୁରୋଧ ଗ୍ରହଣ କରାଯାଇନଥିଲା। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା ଏବଂ ପରମ୍ପରା ବିରୋଧୀ କାର୍ଯ୍ୟକ୍ରମର ବିରୋଧ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଦିନଠାରୁ ଇସ୍କନ୍ର ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେବା ବନ୍ଦ କରିଥିବା ସେ କହିଛନ୍ତି।
ଗଜପତି ମହାରାଜଙ୍କ ସୂଚନା ଅନୁଯାୟୀ, ସମ୍ପ୍ରତି ସେ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଇସ୍କନ୍ କର୍ତ୍ତୃପକ୍ଷଙ୍କୁ ଏକ ଇ-ମେଲ୍ ପଠାଇଥିଲେ। ଏହା ପରେ ଆସିଥିବା ପ୍ରତିକ୍ରିୟାରେ ଇସ୍କନ୍ ପକ୍ଷରୁ ତାଙ୍କ ନାମ ଉଲ୍ଲେଖ କରି ବର୍ଲିନ ରଥଯାତ୍ରାକୁ ସେ ସମର୍ଥନ କରିଥିବା ଦାବି କରାଯାଇଛି, ଯାହାକୁ ସେ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି।
ତାଙ୍କ ମତରେ, ରଥଯାତ୍ରା ଭଳି ମହାନ ପରମ୍ପରା ଶାସ୍ତ୍ର ଓ ପ୍ରାଚୀନ ବିଧିବିଧାନ ଅନୁସାରେ ହିଁ ପାଳନ ହେବା ଉଚିତ। ଏହି ପରମ୍ପରାକୁ ବଜାୟ ରଖିବା ସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।
ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ବିଧିବଦ୍ଧ ପ୍ରତିକ୍ରିୟା ଜାରି କରାଯିବ ବୋଲି ଗଜପତି ମହାରାଜ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପରମ୍ପରା ସମ୍ପର୍କରେ ଭୁଲ ତଥ୍ୟ ପ୍ରଚାର ହେଲେ ଭକ୍ତମାନଙ୍କ ମଧ୍ୟରେ ଅନାବଶ୍ୟକ ବିଭ୍ରାନ୍ତି ସୃଷ୍ଟି ହୋଇପାରେ। ତେଣୁ ଏହି ବିଷୟରେ ସଠିକ୍ ତଥ୍ୟ ସାମ୍ନାକୁ ଆଣିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।
