ଶ୍ରୀଜଗନ୍ନାଥଙ୍କ ତିନି ରଥ ମଧ୍ୟରୁ ମା’ ସୁଭଦ୍ରାଙ୍କ ରଥ ଦର୍ପଦଳନ ବା ଦେବଦଳନ ନାମରେ ପରିଚିତ। ବିଧି ଅନୁଯାୟୀ ତିନି ରଥର ନିର୍ମାଣଶୈଳୀ, ପାର୍ଶ୍ୱଦେବଦେବୀ ଓ ଅନ୍ୟାନ୍ୟ ବୈଶିଷ୍ଟ୍ୟ ପରସ୍ପରଠାରୁ ଭିନ୍ନ। ଦର୍ପଦଳନ ରଥର ଅଧିଷ୍ଠାତ୍ରୀ ଦେବତା ହେଲେ ମା’ ସୁଭଦ୍ରା ଓ ଶ୍ରୀସୁଦର୍ଶନ।
ଦର୍ପଦଳନ ରଥର ଉଚ୍ଚତା ୪୪ ଫୁଟ ୬ ଇଞ୍ଚ। ପ୍ରଚଳିତ ତଥ୍ୟ ଅନୁସାରେ ଏହା ୫୯୩ ଖଣ୍ଡ କାଠରେ ନିର୍ମିତ ହୋଇଥିବାବେଳେ କେତେକ ଗବେଷକଙ୍କ ମତରେ ୭୧୧ ଖଣ୍ଡ କାଠ ବ୍ୟବହୃତ ହୁଏ। ରଥରେ ୧୨ଟି ଚକ ରହିଥାଏ, ଯାହାର ନାମ ଦୀପ୍ତ। ରଥର ଆବରଣ କୃଷ୍ଣ ଓ ଲୋହିତ ବର୍ଣ୍ଣର ହୋଇଥାଏ।
ରଥର ରକ୍ଷକ ଦେବୀ ଜୟଦୁର୍ଗା, ଧ୍ୱଜାରେ ତ୍ରିପୁରାସୁନ୍ଦରୀ ବିରାଜମାନ କରୁଥିବାବେଳେ ଚାମର ସେବା କରନ୍ତି ସୁମେଧା ଦେବୀ। ରଥର ଆୟୁଧ ପଦ୍ମ କହ୍ଲାର ଏବଂ ପୀଠର ନାମ କାମ୍ପଲ୍ୟ। ସାରଥିଙ୍କ ନାମ ଅର୍ଜୁନ। ମତାନ୍ତରରେ ଦେବଦତ୍ତ ଓ ସାତ୍ୟକୀଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଏ।
ଦର୍ପଦଳନର ଚାରି ଅଶ୍ୱ ରକ୍ତବର୍ଣ୍ଣର। ସେମାନଙ୍କର ନାମ ରୋଚିକା, ମୋଚିକା, ଜିତା ଓ ଅପରାଜିତା। ଅନ୍ୟ ମତ ଅନୁଯାୟୀ ଏହି ଅଶ୍ୱମାନଙ୍କ ନାମ ପ୍ରଜ୍ଞା, ଅନୁଜ୍ଞା, ଘୋରା ଓ ଅଘୋରା ବୋଲି କୁହାଯାଏ।
ରଥର ଋଷି ଯାଜ୍ଞବଳ୍କ୍ୟ ହୋଇଥିବାବେଳେ ରଥମୁଖରେ ବ୍ରହ୍ମବର୍ତ୍ତା, ରକ୍ଷୟିତ୍ରୀ ଭାବେ ଉଗ୍ରଚଣ୍ଡୀ, ଦେବୀ ଭାବେ ଶ୍ରୀ ଓ ଭୂ, ଏବଂ ଯକ୍ଷ ଭାବେ କିଂଜ୍ବଳିକା ବିରାଜମାନ କରନ୍ତି। ରଥର ଶକ୍ତିମାନଙ୍କ ମଧ୍ୟରେ ଶକ୍ତିସପ୍ତା, ଜୟା, ବିଜୟା, ଘୋରା, ଅଘୋରା, ସୂକ୍ଷ୍ମା ଓ ଜ୍ଞାନାଙ୍କ ଉଲ୍ଲେଖ ମିଳେ।
ଋଷି ପଟାରେ ଭୃଗୁ, ସୁପ୍ରଭ, ବଜ୍ର, ଶୃଙ୍ଗୀ, ଧ୍ରୁବ, ଉଲ୍ଲୁକ ଓ ପ୍ରବର୍ତ୍ତକ ଋଷିମଣ୍ଡଳ ବିରାଜମାନ କରନ୍ତି। ରଥର କୁମ୍ଭ ଅମୃତ, ଜୀବା ଓ କାୟା, ଦ୍ୱାରପାଳ ଗଙ୍ଗା ଓ ଯମୁନା, ଗନ୍ଧର୍ବ ହା ହା, ଚାରଣ ମହାକ୍ରୂର, ରତ୍ନ ମାଣିକ୍ୟ, ନେତ ନାଦାମ୍ବିକା ଓ ରଥକାଳ କାଳନେମୀ ବୋଲି ବର୍ଣ୍ଣିତ ହୋଇଛନ୍ତି।
ଦଧିନଉତି ଉପରେ ଥିବା କଳସ ତ୍ରୟର ନାମ ପରା, ଅପରା ଓ ବୈଖାରୀ। କଳସ ଉପରେ ଥିବା ଶୂନ୍ୟଚକ୍ର ସୁଦର୍ଶନ ନାମରେ ପରିଚିତ। ରଥର ଦଉଡ଼ିର ନାମ ସ୍ୱର୍ଣ୍ଣଚୂଡ଼ ଏବଂ ରଥପାଳ ହରିହର ବୋଲି ଉଲ୍ଲେଖ ରହିଛି।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ଦର୍ପଦଳନ ରଥର ଦର୍ଶନ ମନୁଷ୍ୟର ଦର୍ପକୁ ନାଶ କରିବା ସହ ସମସ୍ତ ରୋଗ ଓ ସନ୍ତାପ ଦୂର କରିଥାଏ।
