ପୁରୀ: ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଉଛି ‘ଦକ୍ଷିଣ ମୋଡ଼’। ବାହୁଡ଼ା ଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖକୁ ତିନି ରଥକୁ ସ୍ଥାନାନ୍ତର କରାଯିବାର ପ୍ରକ୍ରିୟାକୁ ଦକ୍ଷିଣ ମୋଡ଼ ବୋଲି କୁହାଯାଏ। ଏହି ନୀତି କେବଳ ରଥ ଚଳାଚଳର ଏକ ବୈଶିଷ୍ଟ୍ୟ ନୁହେଁ, ବରଂ ଏହା ସହ ଜଡ଼ିତ ରହିଛି ଗଭୀର ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ଓ ପ୍ରାଚୀନ ପରମ୍ପରା।
ସାଧାରଣତଃ ରଥଯାତ୍ରା ଏବଂ ବାହୁଡ଼ା ସମୟରେ ରଥର କେବଳ ସାମ୍ନା ପାର୍ଶ୍ୱରେ ଦଉଡ଼ି ବାନ୍ଧି ଟଣାଯାଏ। ଯଦି ରଥ ମଝିରାସ୍ତାରେ ଅଟକିଯାଏ, ତେବେ ସେଠାରେ ସିନା ଭଙ୍ଗାଯାଏ, କିନ୍ତୁ ରଥକୁ କେବେ ବି ପଛକୁ ଟଣାଯାଏ ନାହିଁ। ମାତ୍ର ଦକ୍ଷିଣ ମୋଡ଼ ସମୟରେ ଏହି ପରମ୍ପରାରେ ବ୍ୟତିକ୍ରମ ଦେଖାଯାଏ। ସେତେବେଳେ ରଥର ସାମ୍ନା ଓ ପଛ ଉଭୟ ପାର୍ଶ୍ୱରେ ଦଉଡ଼ି ବାନ୍ଧି ଏହାକୁ ସଠିକ୍ ଦିଗରେ ମୋଡ଼ କରାଯାଏ।
ଗବେଷକ ଭାସ୍କର ମିଶ୍ରଙ୍କ ରଚିତ ‘ଶ୍ରୀଗୁଣ୍ଡିଚା ଯାତ୍ରା’ ପୁସ୍ତକ ଅନୁଯାୟୀ, ଦକ୍ଷିଣ ମୋଡ଼ ପଛରେ ରହିଛି ଆଧ୍ୟାତ୍ମିକ ବିଶ୍ୱାସ। ରଥଯାତ୍ରା ସମୟରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇଥିବାରୁ ଦେବୀ ହେରା ପଞ୍ଚମୀ ଦିନ ଗୁପ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ ପାଇଁ ରଥକୁ ଦକ୍ଷିଣାଭିମୁଖୀ କରିବାର ପରମ୍ପରା ପ୍ରଚଳିତ ହୋଇଥିବା କୁହାଯାଏ।
ଦକ୍ଷିଣ ମୋଡ଼ ସମୟରେ ଆଉ ଏକ ସ୍ୱତନ୍ତ୍ର ପରମ୍ପରା ମଧ୍ୟ ପାଳନ କରାଯାଏ। ରଥଯାତ୍ରା ଓ ବାହୁଡ଼ା ଦିନ ସାଧାରଣତଃ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଏ। କିନ୍ତୁ ଦକ୍ଷିଣ ମୋଡ଼ ବେଳେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ, ତା’ ପରେ ତାଳଧ୍ୱଜ ଏବଂ ଶେଷରେ ନନ୍ଦିଘୋଷ ରଥକୁ ମୋଡ଼ କରାଯାଏ।
ଅତୀତରେ କଳା ବେଠିଆଙ୍କ ସହ ହାତୀମାନଙ୍କ ସହଯୋଗରେ ରଥର ଦକ୍ଷିଣ ମୋଡ଼ କରାଯାଉଥିଲା। ରଥକୁ ସାମ୍ନା ଓ ପଛ ଉଭୟ ପାର୍ଶ୍ୱରୁ ଟଣାଯାଉଥିବା ବେଳେ ହାତୀମାନେ ଠେଲି ସହଯୋଗ କରୁଥିଲେ। ବର୍ତ୍ତମାନ ହାତୀ ବ୍ୟବହାର ବନ୍ଦ ହୋଇଥିବା ବେଳେ ଦଉଡ଼ିର ସାହାଯ୍ୟରେ ରଥକୁ ସଠିକ୍ ସ୍ଥାନରେ ରଖାଯାଉଛି।
ପୂର୍ବରୁ ଦକ୍ଷିଣ ମୋଡ଼ ସମ୍ପୂର୍ଣ୍ଣ କରିବାକୁ ଦୁଇ ଦିନ ପର୍ଯ୍ୟନ୍ତ ସମୟ ଲାଗୁଥିଲା। କିନ୍ତୁ ରାସ୍ତାର ଉନ୍ନତି ଏବଂ ବ୍ୟବସ୍ଥାପନାର ସୁଧାର ଫଳରେ ଏବେ ଏହି ପ୍ରକ୍ରିୟା ଗୋଟିଏ ଦିନରେ ସମ୍ପନ୍ନ ହେଉଛି। ରଥ ଟାଣିବା ପାଇଁ ସାଧାରଣ ଭକ୍ତଙ୍କ ଉପସ୍ଥିତି ନ ଥିଲେ ମଧ୍ୟ, ଘଣ୍ଟୁଆମାନେ ଘଣ୍ଟ ବଜାଇବା ଓ ଡାହୁକମାନେ ରଥକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର ଦାୟିତ୍ୱ ନିର୍ବାହ କରନ୍ତି।
ଗବେଷକଙ୍କ ସୂଚନା ଅନୁସାରେ, ୧୯୮୫-୮୬ ପୂର୍ବରୁ ଗୁଣ୍ଡିଚା ମନ୍ଦିରରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱ ଖାଲୁଆ ଥିବାରୁ ବର୍ଷାଦିନେ ପାଣି ଜମି ରହୁଥିଲା ଏବଂ ଦକ୍ଷିଣ ମୋଡ଼ କରିବାରେ ବହୁ ସମସ୍ୟା ସୃଷ୍ଟି ହେଉଥିଲା। ପରେ ରାସ୍ତା ସମତଳ କରାଯିବା ପରେ ଏହି ପ୍ରକ୍ରିୟା ଅଧିକ ସହଜ ଓ ସୁବ୍ୟବସ୍ଥିତ ହୋଇପାରିଛି।
ଆଜି ଏହି ସ୍ୱତନ୍ତ୍ର ନୀତି ମାଧ୍ୟମରେ ତିନି ରଥ ଦକ୍ଷିଣାଭିମୁଖୀ ହୋଇ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତ ହେବେ। ରଥଯାତ୍ରାର ଏହି ଅନନ୍ୟ ପରମ୍ପରାକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି।
