Home Featuredଆସୁଛି ନୂଆ ଲଘୁଚାପ, ଓଡ଼ିଶାରେ ବଢ଼ିବ ବର୍ଷା; ମତ୍ସ୍ୟଜୀବୀଙ୍କୁ ୪ ଦିନ ସମୁଦ୍ର ଯିବାକୁ ମନା

ଆସୁଛି ନୂଆ ଲଘୁଚାପ, ଓଡ଼ିଶାରେ ବଢ଼ିବ ବର୍ଷା; ମତ୍ସ୍ୟଜୀବୀଙ୍କୁ ୪ ଦିନ ସମୁଦ୍ର ଯିବାକୁ ମନା

by Lokanath Panigrahi
0 comments

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଅଞ୍ଚଳରେ ଆସନ୍ତାକାଲି ଏକ ନୂଆ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ସହ ଅଗଷ୍ଟ ୧୩ରୁ ୧୫ ମଧ୍ୟରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।

ବର୍ଷାର ତୀବ୍ରତା ବଢ଼ିଲେ ଉତ୍ତର ଓଡ଼ିଶାର କିଛି ନଦୀରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହିଛି। ଏହାକୁ ନଜରରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି।

ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ସାରା ରାଜ୍ୟ ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି। ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଅନୁଗୋଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ସମେତ ଅନେକ ଜିଲ୍ଲାରେ ଭାରି ବର୍ଷା ସହ ବଜ୍ରପାତ ହୋଇପାରେ।

ଆସନ୍ତାକାଲିଠାରୁ ଲଘୁଚାପର ପ୍ରଭାବ ଅଧିକ ସ୍ପଷ୍ଟ ହେବ। ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ ଓ କଟକ—ଏହି ୫ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟ ୨୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି।

ଅଗଷ୍ଟ ୧୩ ତାରିଖ ପାଇଁ ୩ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଅନ୍ୟ ୨୭ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଅଗଷ୍ଟ ୧୪ରେ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ରହିବ। ଆଉ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଅଧୀନରେ ରଖାଯାଇଛି।

ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ସତର୍କତା ଜାରି ହୋଇଛି। ଆଜିଠାରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଘଣ୍ଟାପ୍ରତି ପ୍ରାୟ ୩୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ। ସୁରକ୍ଷା ଦୃଷ୍ଟିରୁ ମତ୍ସ୍ୟଜୀବୀମାନେ ପାଣିପାଗ ବିଭାଗର ସତର୍କ ସୂଚନାକୁ ଅନୁସରଣ କରିବାକୁ କୁହାଯାଇଛି।

You may also like

Leave a Comment