Home Cultureଦର୍ପଦଳନରେ ବିରାଜମାନ ମା’ ସୁଭଦ୍ରା ଓ ଶ୍ରୀସୁଦର୍ଶନ, ଉଚ୍ଚତା ୪୪ ଫୁଟ ୬ ଇଞ୍ଚ

ଦର୍ପଦଳନରେ ବିରାଜମାନ ମା’ ସୁଭଦ୍ରା ଓ ଶ୍ରୀସୁଦର୍ଶନ, ଉଚ୍ଚତା ୪୪ ଫୁଟ ୬ ଇଞ୍ଚ

by Lokanath Panigrahi
0 comments

ଶ୍ରୀଜଗନ୍ନାଥଙ୍କ ତିନି ରଥ ମଧ୍ୟରୁ ମା’ ସୁଭଦ୍ରାଙ୍କ ରଥ ଦର୍ପଦଳନ ବା ଦେବଦଳନ ନାମରେ ପରିଚିତ। ବିଧି ଅନୁଯାୟୀ ତିନି ରଥର ନିର୍ମାଣଶୈଳୀ, ପାର୍ଶ୍ୱଦେବଦେବୀ ଓ ଅନ୍ୟାନ୍ୟ ବୈଶିଷ୍ଟ୍ୟ ପରସ୍ପରଠାରୁ ଭିନ୍ନ। ଦର୍ପଦଳନ ରଥର ଅଧିଷ୍ଠାତ୍ରୀ ଦେବତା ହେଲେ ମା’ ସୁଭଦ୍ରା ଓ ଶ୍ରୀସୁଦର୍ଶନ।

ଦର୍ପଦଳନ ରଥର ଉଚ୍ଚତା ୪୪ ଫୁଟ ୬ ଇଞ୍ଚ। ପ୍ରଚଳିତ ତଥ୍ୟ ଅନୁସାରେ ଏହା ୫୯୩ ଖଣ୍ଡ କାଠରେ ନିର୍ମିତ ହୋଇଥିବାବେଳେ କେତେକ ଗବେଷକଙ୍କ ମତରେ ୭୧୧ ଖଣ୍ଡ କାଠ ବ୍ୟବହୃତ ହୁଏ। ରଥରେ ୧୨ଟି ଚକ ରହିଥାଏ, ଯାହାର ନାମ ଦୀପ୍ତ। ରଥର ଆବରଣ କୃଷ୍ଣ ଓ ଲୋହିତ ବର୍ଣ୍ଣର ହୋଇଥାଏ।

ରଥର ରକ୍ଷକ ଦେବୀ ଜୟଦୁର୍ଗା, ଧ୍ୱଜାରେ ତ୍ରିପୁରାସୁନ୍ଦରୀ ବିରାଜମାନ କରୁଥିବାବେଳେ ଚାମର ସେବା କରନ୍ତି ସୁମେଧା ଦେବୀ। ରଥର ଆୟୁଧ ପଦ୍ମ କହ୍ଲାର ଏବଂ ପୀଠର ନାମ କାମ୍ପଲ୍ୟ। ସାରଥିଙ୍କ ନାମ ଅର୍ଜୁନ। ମତାନ୍ତରରେ ଦେବଦତ୍ତସାତ୍ୟକୀଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଏ।

ଦର୍ପଦଳନର ଚାରି ଅଶ୍ୱ ରକ୍ତବର୍ଣ୍ଣର। ସେମାନଙ୍କର ନାମ ରୋଚିକା, ମୋଚିକା, ଜିତା ଓ ଅପରାଜିତା। ଅନ୍ୟ ମତ ଅନୁଯାୟୀ ଏହି ଅଶ୍ୱମାନଙ୍କ ନାମ ପ୍ରଜ୍ଞା, ଅନୁଜ୍ଞା, ଘୋରା ଓ ଅଘୋରା ବୋଲି କୁହାଯାଏ।

ରଥର ଋଷି ଯାଜ୍ଞବଳ୍କ୍ୟ ହୋଇଥିବାବେଳେ ରଥମୁଖରେ ବ୍ରହ୍ମବର୍ତ୍ତା, ରକ୍ଷୟିତ୍ରୀ ଭାବେ ଉଗ୍ରଚଣ୍ଡୀ, ଦେବୀ ଭାବେ ଶ୍ରୀଭୂ, ଏବଂ ଯକ୍ଷ ଭାବେ କିଂଜ୍ବଳିକା ବିରାଜମାନ କରନ୍ତି। ରଥର ଶକ୍ତିମାନଙ୍କ ମଧ୍ୟରେ ଶକ୍ତିସପ୍ତା, ଜୟା, ବିଜୟା, ଘୋରା, ଅଘୋରା, ସୂକ୍ଷ୍ମା ଓ ଜ୍ଞାନାଙ୍କ ଉଲ୍ଲେଖ ମିଳେ।

ଋଷି ପଟାରେ ଭୃଗୁ, ସୁପ୍ରଭ, ବଜ୍ର, ଶୃଙ୍ଗୀ, ଧ୍ରୁବ, ଉଲ୍ଲୁକ ଓ ପ୍ରବର୍ତ୍ତକ ଋଷିମଣ୍ଡଳ ବିରାଜମାନ କରନ୍ତି। ରଥର କୁମ୍ଭ ଅମୃତ, ଜୀବା ଓ କାୟା, ଦ୍ୱାରପାଳ ଗଙ୍ଗା ଓ ଯମୁନା, ଗନ୍ଧର୍ବ ହା ହା, ଚାରଣ ମହାକ୍ରୂର, ରତ୍ନ ମାଣିକ୍ୟ, ନେତ ନାଦାମ୍ବିକା ଓ ରଥକାଳ କାଳନେମୀ ବୋଲି ବର୍ଣ୍ଣିତ ହୋଇଛନ୍ତି।

ଦଧିନଉତି ଉପରେ ଥିବା କଳସ ତ୍ରୟର ନାମ ପରା, ଅପରା ଓ ବୈଖାରୀ। କଳସ ଉପରେ ଥିବା ଶୂନ୍ୟଚକ୍ର ସୁଦର୍ଶନ ନାମରେ ପରିଚିତ। ରଥର ଦଉଡ଼ିର ନାମ ସ୍ୱର୍ଣ୍ଣଚୂଡ଼ ଏବଂ ରଥପାଳ ହରିହର ବୋଲି ଉଲ୍ଲେଖ ରହିଛି।

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଦର୍ପଦଳନ ରଥର ଦର୍ଶନ ମନୁଷ୍ୟର ଦର୍ପକୁ ନାଶ କରିବା ସହ ସମସ୍ତ ରୋଗ ଓ ସନ୍ତାପ ଦୂର କରିଥାଏ।

You may also like

Leave a Comment