ଦକ୍ଷିଣ କାଶ୍ମୀରର ଶୋପିଆନ ଜିଲ୍ଲାରେ ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେସନ ଲଗାତାର ଚତୁର୍ଥ ଦିନରେ ପହଞ୍ଚିଛି। ନିଷିଦ୍ଧ ସଂଗଠନ ଲସ୍କର-ଏ-ତୋଇବା (LeT) ସହ ଜଡ଼ିତ ଦୁଇ ସ୍ଥାନୀୟ ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା, ଜମ୍ମୁ-କାଶ୍ମୀର ପୋଲିସ ଏବଂ ସିଆରପିଏଫ୍ (CRPF) ମିଳିତ ଭାବେ ବ୍ୟାପକ ତଲାସି ଅଭିଯାନ ଚଳାଇଛନ୍ତି।
ଏହି ଅପରେସନ ମୁଖ୍ୟତଃ ଶୋପିଆନର ମିମନ୍ଦର ଓ ଚାନାପୋରା ଅଞ୍ଚଳର ଘଞ୍ଚ ସେଓ ବଗିଚାରେ ଚାଲିଛି। ସୁରକ୍ଷା ସଂସ୍ଥାର ମତ ଅନୁସାରେ, ଦୁଇ ଆତଙ୍କବାଦୀ ସେଠାରେ ଲୁଚିଥିବା ସନ୍ଦେହ କରାଯାଉଛି।
ଶୁକ୍ରବାର ସୁରକ୍ଷା ବ୍ୟବସ୍ଥାରେ ଲାଗିଥିବା ଫେସ୍ ଡିଟେକ୍ସନ କ୍ୟାମେରାରେ ଦୁଇ ସନ୍ଦିଗ୍ଧଙ୍କ ଫଟୋ ଧରାପଡ଼ିବା ପରେ ସୁରକ୍ଷାବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।
ରାତି ସମୟରେ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭିଯାନକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା। ସୋମବାର ସକାଳେ ପୁଣି ଥରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।
ସୁରକ୍ଷା ଏଜେନ୍ସିଙ୍କ କହିବା ଅନୁସାରେ, ଦୁଇ ଆତଙ୍କବାଦୀଙ୍କ ପରିଚୟ ଲତିଫ ଓ ଜାକିର ଭାବେ ହୋଇଛି। ସେନା ଜବାନ ସେମାନଙ୍କ ନିକଟକୁ ପହଞ୍ଚିବା ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷାବାହିନୀ ମଧ୍ୟ ପାଲଟା ଗୁଳି ଚଳାଇଥିଲେ ଏବଂ ମୁଠଭେଡ଼ ଆରମ୍ଭ ହୋଇଥିଲା।
ଅପରେସନକୁ ଆହୁରି ସୁଦୃଢ଼ କରିବା ପାଇଁ ଭାରତୀୟ ସେନାର ବିଶେଷ ଭିକ୍ଟର ଫୋର୍ସ ଅତିରିକ୍ତ ଜବାନ ମୁତୟନ କରିଛି। ଘଞ୍ଚ ଗଛପଲା ଓ ସବୁଜ ପରିବେଶ ଯୋଗୁଁ ଡ୍ରୋନ ନଜରଦାରି ମଧ୍ୟ କଷ୍ଟସାଧ୍ୟ ହେଉଛି, ଯାହା ଆତଙ୍କବାଦୀଙ୍କୁ ଲୁଚିବାର ସୁଯୋଗ ଦେଉଛି।
ସୁରକ୍ଷା ଅଧିକାରୀଙ୍କ କହିବା ଅନୁସାରେ, ଲତିଫ ଓ ଜାକିର ଉଭୟେ କୁଲଗାମ ଜିଲ୍ଲାର ବାସିନ୍ଦା। ଜାକିର ୨୦୨୪ ମସିହାରୁ ଲସ୍କର-ଏ-ତୋଇବା ସହ ଜଡ଼ିତ ଥିବାବେଳେ ଲତିଫ ଗତ ବର୍ଷ ଏହି ସଂଗଠନରେ ସାମିଲ ହୋଇଥିଲା।
ଅଧିକାରୀମାନଙ୍କ ମତରେ, ଶୋପିଆନ ଦକ୍ଷିଣ କାଶ୍ମୀରକୁ ମଧ୍ୟ କାଶ୍ମୀର ଓ ପୀର ପଞ୍ଜାଲ ଅଞ୍ଚଳ ସହ ଯୋଡ଼ୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ। ତେଣୁ ଏଠାରେ ସ୍ଥାନୀୟ ଆତଙ୍କବାଦୀଙ୍କ ସକ୍ରିୟତା ସୁରକ୍ଷା ଏଜେନ୍ସିଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଏମାନଙ୍କୁ ଧରିବା କିମ୍ବା ନିଷ୍କ୍ରିୟ କରିବା ଦ୍ୱାରା ସ୍ଥାନୀୟ ଆତଙ୍କବାଦୀ ନେଟୱର୍କକୁ ଦୁର୍ବଳ କରିବା ସହ ନୂଆ ନିଯୁକ୍ତିକୁ ମଧ୍ୟ ରୋକାଯାଇପାରିବ ବୋଲି ସୁରକ୍ଷା ସଂସ୍ଥାମାନେ କହିଛନ୍ତି।
