Home Nationalଓଡ଼ିଶା ସମେତ ୫ ରାଜ୍ୟରେ ରେଳ ଭିତ୍ତିଭୂମିକୁ ବଡ଼ ଧକ୍କା

ଓଡ଼ିଶା ସମେତ ୫ ରାଜ୍ୟରେ ରେଳ ଭିତ୍ତିଭୂମିକୁ ବଡ଼ ଧକ୍କା

by Sunita Jena
0 comments

ଦେଶର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଖଡ଼ଗପୁର–ଝାରସୁଗୁଡ଼ା ବାଗଡ଼େହି ଚତୁର୍ଥ ରେଳଲାଇନ୍‌ ସମେତ ରେଳ ମନ୍ତ୍ରଣାଳୟର ତିନୋଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଏହି ତିନି ପ୍ରକଳ୍ପ ପାଇଁ ମୋଟ ୧୦,୭୮୩ କୋଟି ଟଙ୍କା ବ୍ୟୟ ହେବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ୨୦୨୯-୩୦ ଆର୍ଥିକ ବର୍ଷ ସୁଦ୍ଧା ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ ରଖାଯାଇଛି।

ଏହି ଯୋଜନାରେ ଖଡ଼ଗପୁର–ଝାରସୁଗୁଡ଼ା ଚତୁର୍ଥ ଲାଇନ୍‌ ବ୍ୟତୀତ କଟନୀ–ପେଣ୍ଡ୍ରା ରୋଡ୍‌ ଚତୁର୍ଥ ଲାଇନ୍‌ ଏବଂ ବିଳାସପୁରର ଉସଲାପୁର–ପେଣ୍ଡ୍ରା ରୋଡ୍‌ ତୃତୀୟ ଲାଇନ୍‌ ମଧ୍ୟ ରହିଛି। ଏହି ସମସ୍ତ ପ୍ରକଳ୍ପ ମିଶି ରେଳ ନେଟୱର୍କରେ ପ୍ରାୟ ୬୫୬ କିଲୋମିଟର ନୂଆ ଟ୍ରାକ୍‌ ଯୋଡ଼ିବ।ପ୍ରକଳ୍ପଗୁଡ଼ିକ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଦେଇ ଯିବ। ଏହାର ପ୍ରଭାବରେ ପ୍ରାୟ ୪,୭୯୦ଟି ଗାଁର ରେଳ ଯୋଗାଯୋଗ ଓ ପରିବହନ ସୁବିଧା ଉନ୍ନତ ହେବ। ଏହି ଅଞ୍ଚଳଗୁଡ଼ିକରେ ପ୍ରାୟ ୫୬ ଲକ୍ଷ ଲୋକ ଏହାର ଲାଭ ପାଇପାରିବେ।

ଓଡ଼ିଶା ପାଇଁ ବିଶେଷ ଭାବେ ଏହି ପ୍ରକଳ୍ପ ମାଲ ପରିବହନ ଓ ଶିଳ୍ପ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଛି। ଅତିରିକ୍ତ ରେଳ ଲାଇନ୍‌ ହେବା ଫଳରେ ଟ୍ରେନ୍‌ ଚଳାଚଳର କ୍ଷମତା ବଢ଼ିବା ସହ ମାଲ ପରିବହନ ଅଧିକ ସୁଗମ ହେବ। ଏହା ଶିଳ୍ପ ସଂସ୍ଥାଗୁଡ଼ିକର ପରିବହନ ଖର୍ଚ୍ଚ କମାଇବାରେ ମଧ୍ୟ ସହାୟକ ହୋଇପାରେ।ସରକାରୀ ଆକଳନ ଅନୁଯାୟୀ, ନୂଆ ରେଳ ଭିତ୍ତିଭୂମି ଦ୍ୱାରା ପ୍ରତିବର୍ଷ ପ୍ରାୟ ୨୭ ନିୟୁତ ଟନ୍‌ ଅତିରିକ୍ତ ମାଲ ପରିବହନ କରାଯାଇପାରିବ। ଏଥିସହ ସଡ଼କ ପରିବହନ ଉପରେ ନିର୍ଭରଶୀଳତା କମିବାରୁ ଇନ୍ଧନ ବ୍ୟବହାର ଓ ପ୍ରଦୂଷଣ ହ୍ରାସ ପାଇବାର ଆଶା ରହିଛି। ପ୍ରାୟ ୧୨ କୋଟି ଲିଟର ତେଲ ଆମଦାନି କମିବା ସହ ପ୍ରାୟ ୬୨ କୋଟି କିଲୋଗ୍ରାମ୍‌ CO₂ ନିର୍ଗମନ ହ୍ରାସ ହୋଇପାରେ ବୋଲି ଆକଳନ କରାଯାଇଛି।

ରେଳ ଯୋଗାଯୋଗ ବଢ଼ିଲେ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଲାଭବାନ ହେବ। ଓଡ଼ିଶାର ତାରାତାରିଣୀ ମନ୍ଦିର ଓ ଝାରସୁଗୁଡ଼ା ଅଞ୍ଚଳର ଐତିହାସିକ ଧାର୍ମିକ ସ୍ଥଳ ସହ ଅନ୍ୟ ପର୍ଯ୍ୟଟନସ୍ଥଳୀକୁ ଯାତାୟାତ ସୁବିଧା ଆହୁରି ଭଲ ହୋଇପାରେ। ସେହିପରି ମଧ୍ୟପ୍ରଦେଶ ଓ ଛତିଶଗଡ଼ର ବାନ୍ଧବଗଡ଼, ଅମରକଣ୍ଟକ, ଅଚାନକମାର ଓ ରତନପୁର ଭଳି ସ୍ଥାନ ମଧ୍ୟ ଉନ୍ନତ ରେଳ ସଂଯୋଗ ପାଇବ।ସମସ୍ତ ପ୍ରକଳ୍ପକୁ ପିଏମ୍‌ ଗତିଶକ୍ତି ନ୍ୟାସନାଲ୍‌ ମାଷ୍ଟର ପ୍ଲାନ୍‌ ସହ ସମନ୍ୱୟ କରି ଆଗକୁ ବଢ଼ାଯିବ। ଏହା ମାଧ୍ୟମରେ ମାଲ ପରିବହନ, ଶିଳ୍ପ ବିକାଶ, ଯାତ୍ରୀ ଯୋଗାଯୋଗ ଓ ଆଞ୍ଚଳିକ ଅର୍ଥନୀତିକୁ ଗତି ଦେବା ଲକ୍ଷ୍ୟ ରହିଛି।

You may also like

Leave a Comment