Home Featuredହୀରାକୁଦରୁ ବନ୍ୟାଜଳ ନିଷ୍କାସନ: କଟକରେ କଡ଼ା କଟକଣା, ନଦୀକୁ ଯିବା ସମ୍ପୂର୍ଣ୍ଣ ନିଷେଧ

ହୀରାକୁଦରୁ ବନ୍ୟାଜଳ ନିଷ୍କାସନ: କଟକରେ କଡ଼ା କଟକଣା, ନଦୀକୁ ଯିବା ସମ୍ପୂର୍ଣ୍ଣ ନିଷେଧ

by Lokanath Panigrahi
0 comments

କଟକ: ହୀରାକୁଦ ଜଳଭଣ୍ଡାରରୁ ଆଜି (୯ ଜୁଲାଇ) ବନ୍ୟାଜଳ ନିଷ୍କାସନ କରାଯାଉଥିବା ପରିପ୍ରେକ୍ଷୀରେ କଟକ ଜିଲ୍ଲାରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସାଧାରଣ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA)ର ଅଧ୍ୟକ୍ଷ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ବିପର୍ଯ୍ୟୟ ପରିଚାଳନା ଆଇନ–୨୦୦୫ର ଧାରା–୩୪ ଅନୁଯାୟୀ ଏକାଧିକ କଟକଣା ଜାରି କରିଛନ୍ତି।

ଜାରି ଆଦେଶ ଅନୁଯାୟୀ, ମହାନଦୀ ଓ ଏହାର ସମସ୍ତ ଶାଖା ନଦୀରେ ଗାଧୋଇବା, ପହଁରିବା, ଡଙ୍ଗା ଚଳାଚଳ ବ୍ୟତୀତ ଅନ୍ୟ କୌଣସି ମନୋରଞ୍ଜନମୂଳକ କିମ୍ବା ବ୍ୟବସାୟିକ କାର୍ଯ୍ୟକଳାପ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।

କଟକ ମହାନଗର ନିଗମ (CMC) କମିଶନର ଏବଂ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନଦୀ ଘାଟଗୁଡ଼ିକରେ ମାଇକ୍ ଯୋଗେ ସଚେତନତା ପ୍ରଚାର କରିବା, ନିରନ୍ତର ନଜରଦାରି ରଖିବା ଏବଂ ଏଥିପାଇଁ ନୋଡାଲ ଅଧିକାରୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସମ୍ପୃକ୍ତ ଥାନାର ଆଇଆଇସି ଓ ପୁଲିସ ପାଟ୍ରୋଲିଂ ଟିମ୍‌କୁ ଏହି କଟକଣାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ସହ ଲୋକଙ୍କୁ ନଦୀ ଘାଟ ଅଞ୍ଚଳକୁ ଯିବାରୁ ବାରଣ କରିବାକୁ କୁହାଯାଇଛି।

ଏହାସହ ଜିଲ୍ଲାର ସମସ୍ତ ବାଲିଘାଟର କାର୍ଯ୍ୟକଳାପ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ମହାନଦୀ ଓ ଏହାର ଉପନଦୀ ଉପରେ ଥିବା ସମସ୍ତ ସେତୁ, ବ୍ୟାରେଜ (ମୁଣ୍ଡଳି ଓ ଯୋବ୍ରା ସମେତ) ଏବଂ ନଦୀବନ୍ଧ ଉପରେ ବନ୍ୟାଜଳ ଦେଖିବା, ସେଲ୍‌ଫି ନେବା, ଫଟୋ କିମ୍ବା ଭିଡିଓ ରେକର୍ଡ କରିବା ପାଇଁ ଭିଡ଼ ଜମାଇବା ଏବଂ ବିପଦପୂର୍ଣ୍ଣ ଭାବେ ନଦୀକୂଳ ନିକଟକୁ ଯିବା ଉପରେ ମଧ୍ୟ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି।

ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ଯେ, ଏହି ଆଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ–୨୦୦୫ର ଧାରା ୫୧ରୁ ୬୦ ଏବଂ ପ୍ରଯୁଜ୍ୟ ଅନ୍ୟାନ୍ୟ ଆଇନ ଅନୁଯାୟୀ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜିଲ୍ଲା ପ୍ରଶାସନ ଲୋକଙ୍କୁ ଅନାବଶ୍ୟକ ଭାବେ ନଦୀକୂଳ କିମ୍ବା ଘାଟକୁ ନଯିବା, ଗୁଜବକୁ ବିଶ୍ୱାସ ନକରିବା ଏବଂ ପ୍ରଶାସନର ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରିଛି।

You may also like

Leave a Comment