‘ଶେଷ ପାହାଚର ବ୍ୟକ୍ତିଙ୍କ ନିକଟରେ ବିକାଶ ପହଞ୍ଚାଇବା ଆମ ସଂକଳ୍ପ’
ଭୁବନେଶ୍ୱର, ୨୫ ସେପ୍ଟେମ୍ବର ୨୦୨୬: ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଚିନ୍ତାଧାରାରେ ଥିବା ‘ଏକାତ୍ମ ମାନବବାଦ’ ଓ ‘ଅନ୍ତ୍ୟୋଦୟ’କୁ ଆଧାର କରି ଶାସନ ବ୍ୟବସ୍ଥାକୁ ଆଗକୁ ନେବା ସହ ସମାଜର ଶେଷ ପାହାଚରେ ଥିବା ଲୋକଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ସରକାରର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଜୟଦେବ ଭବନରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ମୁଖ୍ୟମନ୍ତ୍ରୀ କହିଥିଲେ, ଦୀନଦୟାଲ ଉପାଧ୍ୟାୟ ଭାରତୀୟ ରାଜନୈତିକ ଚିନ୍ତାଧାରାରେ ଏକ ଭିନ୍ନ ଦର୍ଶନର ପରିକଳ୍ପନା କରିଥିଲେ। ପାଶ୍ଚାତ୍ୟ ଚିନ୍ତାଧାରାର ବିକଳ୍ପ ଭାବେ ସେ ‘ଏକାତ୍ମ ମାନବବାଦ’ର ବିଚାର ଦେଇଥିଲେ। ମଣିଷର କେବଳ ଭୌତିକ ଆବଶ୍ୟକତା ପୂରଣ ନୁହେଁ, ଶରୀର, ମନ, ବୁଦ୍ଧି ଓ ଆତ୍ମାର ସନ୍ତୁଳିତ ବିକାଶ ଆବଶ୍ୟକ ବୋଲି ତାଙ୍କ ଦର୍ଶନରେ ଗୁରୁତ୍ୱ ଦିଆଯାଇଥିଲା।
ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଦୀନଦୟାଲଙ୍କ ‘ଅନ୍ତ୍ୟୋଦୟ’ ଧାରଣାର ମୂଳ ଉଦ୍ଦେଶ୍ୟ ହେଉଛି ସମାଜର ସବୁଠାରୁ ପଛୁଆ ଓ ବଞ୍ଚିତ ବର୍ଗଙ୍କ ନିକଟରେ ବିକାଶର ସୁଯୋଗ ପହଞ୍ଚାଇବା। ସ୍ୱାଧୀନତା ପରେ ଦୀର୍ଘ ସମୟ ଧରି ଏହି ଚିନ୍ତାଧାରାକୁ ଯଥେଷ୍ଟ ଗୁରୁତ୍ୱ ମିଳିନଥିବା ନେଇ ସେ ମତ ପ୍ରକାଶ କରିଥିଲେ।
୨୦୧୪ ପରେ ଦେଶରେ ‘ଅନ୍ତ୍ୟୋଦୟ’ ଆଧାରିତ ଅନେକ କଲ୍ୟାଣମୂଳକ ପଦକ୍ଷେପ ନିଆଯାଇଥିବା ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ଉଜ୍ଜ୍ୱଳା, ଜନଧନ, ପ୍ରଧାନମନ୍ତ୍ରୀ ଆବାସ, ଆୟୁଷ୍ମାନ ଭାରତ ଓ ‘ମେକ୍ ଇନ୍ ଇଣ୍ଡିଆ’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଗରିବ ଓ ସାଧାରଣ ଲୋକଙ୍କୁ ସୁବିଧା ଯୋଗାଇବାର ଉଦ୍ୟମ ହେଉଥିବା ସେ କହିଥିଲେ।
ଏହା ସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ’ ମାଧ୍ୟମରେ ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ, କୌଶଳ ବିକାଶ, ସ୍ୱଚ୍ଛତା ଓ ଗରିବ କଲ୍ୟାଣ ସମ୍ପର୍କିତ କାର୍ଯ୍ୟକ୍ରମ ହେଉଥିବା ସେ ଦର୍ଶାଇଥିଲେ।
ଶ୍ରମିକଙ୍କ ପାଇଁ ଦୀନଦୟାଲ କର୍ମଚାରୀ ନିବାସ
ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ଆରମ୍ଭ କରାଯାଇଛି।
ସେହିପରି କଳିଙ୍ଗନଗର, ଝାରସୁଗୁଡ଼ା, ରାଉରକେଲା, ଭୁବନେଶ୍ୱର, ଜଗତପୁର, କେନ୍ଦୁଝର ଓ ଦାମନଯୋଡ଼ି ଭଳି ଶିଳ୍ପାଞ୍ଚଳରେ ଶ୍ରମିକଙ୍କ ରହଣି ପାଇଁ ‘ଦୀନଦୟାଲ କର୍ମଚାରୀ ନିବାସ’ ଅଧୀନରେ ଆପାର୍ଟମେଣ୍ଟ ଓ ହଷ୍ଟେଲ ନିର୍ମାଣ କରାଯାଉଥିବା ସେ କହିଥିଲେ।
କୃଷକ ଓ ମହିଳାଙ୍କ ପାଇଁ ଯୋଜନା
ରାଜ୍ୟର ପ୍ରାୟ ୮୦ ପ୍ରତିଶତ ଲୋକଙ୍କୁ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ରେ ଅତିରିକ୍ତ ୫ କେଜି ମାଗଣା ଚାଉଳ ଯୋଗାଇ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଥିଲେ।
ମହିଳାଙ୍କ ପାଇଁ ‘ସୁଭଦ୍ରା ଯୋଜନା’ ଓ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା ଚାଲୁ ରହିଥିବା ବେଳେ ସ୍ନାତକ ପରେ ଏକ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ର ପରିକଳ୍ପନା କରାଯାଇଥିବା ସେ ସୂଚନା ଦେଇଥିଲେ।
‘ସମୃଦ୍ଧ କୃଷକ ଯୋଜନା’ରେ ୧୯ ଲକ୍ଷ ଚାଷୀ ଧାନ ପାଇଁ କ୍ୱିଣ୍ଟାଲ ପିଛା ୩,୧୦୦ ଟଙ୍କା ପାଉଥିବା ମଧ୍ୟ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ।
ନିବେଶ ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା
ରାଜ୍ୟର ଶିଳ୍ପ ଓ ନିବେଶ କ୍ଷେତ୍ର ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଦୁଇ ବର୍ଷ ତିନି ମାସ ମଧ୍ୟରେ ଓଡ଼ିଶାକୁ ୨୨.୫୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି।
କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନ ଓ ଚିନ୍ତାଧାରା ଉପରେ ମତ ରଖିଥିଲେ। ଗ୍ରାମୀଣ ସ୍ୱାବଲମ୍ବନ, ସାଂସ୍କୃତିକ ଜାତୀୟତାବାଦ ଓ ଜନସେବାକୁ ନେଇ ଦୀନଦୟାଲଙ୍କ ଚିନ୍ତାଧାରା ସମ୍ପର୍କରେ ସେ ଆଲୋଚନା କରିଥିଲେ।
ସ୍ତମ୍ଭକାର, ଲେଖକ ଓ ଗବେଷକ ଡ. ଶିବ ଶକ୍ତି ନାଥ ବକ୍ସି ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ‘ଏକାତ୍ମ ମାନବବାଦ’ ଓ ‘ଅନ୍ତ୍ୟୋଦୟ’ ଦର୍ଶନ ଉପରେ ଆଲୋଚନା କରିଥିଲେ।
ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳଙ୍କ ସମେତ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଲୋକ ଉପସ୍ଥିତ ଥିଲେ।
