GRP କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟା ମାମଲାକୁ ନେଇ ବିବାଦରେ ଥିବା IPS ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକ (DGP)ଙ୍କୁ ଚିଠି ଲେଖାଯାଇଛି।
ଗତ ୧୮ ତାରିଖରେ ଜାରି ହୋଇଥିବା ସରକାରୀ ଆଦେଶ ଅନୁଯାୟୀ, ଦୟାଲ ଗଙ୍ଗୱାରଙ୍କୁ ଅଲ୍ ଇଣ୍ଡିଆ ସର୍ଭିସେସ୍ (ଡିସିପ୍ଲିନ୍ ଆଣ୍ଡ ଅପିଲ୍) ରୁଲ୍ସ, ୧୯୬୯ ଅନୁସାରେ ନିଲମ୍ବନ କରାଯାଇଛି। ଗୃହ ବିଭାଗର ଅତିରିକ୍ତ ସଚିବ ତ୍ରିଲୋଚନ ମାଝୀଙ୍କ ପକ୍ଷରୁ ଜାରି ଚିଠିରେ କୁହାଯାଇଛି ଯେ, ଉକ୍ତ ନିୟମ ଅନୁଯାୟୀ ନିଲମ୍ବନର ୩୦ ଦିନ ମଧ୍ୟରେ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ବାଧ୍ୟତାମୂଳକ।
ଏହାକୁ ଦୃଷ୍ଟିରେ ରଖି DGPଙ୍କୁ ଅଭିଯୋଗପତ୍ର, ଅଭିଯୋଗର ବିସ୍ତୃତ ବିବରଣୀ, ପ୍ରମାଣ ତାଲିକା ଏବଂ ଡ୍ରାଫ୍ଟ ମେମୋରାଣ୍ଡମ ପ୍ରସ୍ତୁତ କରି ତୁରନ୍ତ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଆସିଥିବା ଅଭିଯୋଗର ସମ୍ପୂର୍ଣ୍ଣ ବିବରଣୀ କିମ୍ବା ତଦନ୍ତ ସମ୍ପର୍କିତ ତଥ୍ୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ। ତଥାପି ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ଦିଗରେ ସରକାରୀ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବା ସ୍ପଷ୍ଟ ହୋଇଛି।
