Home Odishaସୁନ୍ଦରଗଡ଼ ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚ ନେଇ ସିଏଜିଙ୍କ ଆପତ୍ତି

ସୁନ୍ଦରଗଡ଼ ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚ ନେଇ ସିଏଜିଙ୍କ ଆପତ୍ତି

by Sunita Jena
0 comments

ସୁନ୍ଦରଗଡ଼ ଜିଲ୍ଲାରେ ଖଣି ପ୍ରଭାବିତ ଲୋକଙ୍କ ଉନ୍ନତି ପାଇଁ ଉଦ୍ଦିଷ୍ଟ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ୍‌ (ଡିଏମ୍‌ଏଫ୍‌) ପାଣ୍ଠିର ବ୍ୟବହାରକୁ ନେଇ ସିଏଜି ଅଡିଟ୍‌ରେ ବିଭିନ୍ନ ଅନିୟମିତତା ଚିହ୍ନଟ ହୋଇଥିବା ଦର୍ଶାଯାଇଛି। ଖଣି ଯୋଗୁଁ ଜମି, ଜୀବିକା ଓ ପରିବେଶ ପ୍ରଭାବିତ ହେଉଥିବା ଅଞ୍ଚଳର ଲୋକଙ୍କ ଜୀବନମାନ ସୁଧାରିବା ଡିଏମ୍‌ଏଫ୍‌ର ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ କେତେକ କ୍ଷେତ୍ରରେ ଏହି ଅର୍ଥ ଅନ୍ୟ କାମରେ ଖର୍ଚ୍ଚ ହୋଇଥିବା ଅଡିଟ୍‌ରେ ଉଲ୍ଲେଖ ରହିଛି।

ରିପୋର୍ଟ ଅନୁସାରେ, ୨୦୧୫-୧୬ରୁ ଡିଏମ୍‌ଏଫ୍‌ ପାଇଁ ପ୍ରାୟ ୯,୫୦୭ କୋଟି ଟଙ୍କା ସଂଗ୍ରହ ହୋଇଥିବାବେଳେ ବିଭିନ୍ନ ପ୍ରକଳ୍ପ ପାଇଁ ୧୩,୧୩୫ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ଦର୍ଶାଯାଇଛି। ଏହା ମଧ୍ୟରୁ ପ୍ରଶାସନିକ ଖର୍ଚ୍ଚରେ ଥିବା ୯୯.୮୧ କୋଟି ଟଙ୍କାରୁ ୨୫.୦୧ କୋଟି ଟଙ୍କାର ବ୍ୟବହାର ନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି।

ଅଡିଟ୍‌ରେ ରାଉରକେଲା ପୁଲିସ ପାଇଁ ପାଟ୍ରୋଲିଂ ଗାଡ଼ି କିଣା, କୋଭିଡ୍‌ ସମୟରେ କର୍ମଚାରୀଙ୍କୁ ପ୍ରୋତ୍ସାହନ ଏବଂ ଶିଳ୍ପ ଶ୍ରମିକଙ୍କୁ ପିପିଇ କିଟ୍‌ ଯୋଗାଣରେ ଡିଏମ୍‌ଏଫ୍‌ ଅର୍ଥ ଖର୍ଚ୍ଚକୁ ନେଇ ମଧ୍ୟ ଆପତ୍ତି ଦର୍ଶାଯାଇଛି। ରାଉରକେଲା ହକି ଷ୍ଟାଡିୟମ୍‌ ପାଇଁ ଡିଏମ୍‌ଏଫ୍‌ରୁ ଅର୍ଥ ବ୍ୟବହାର ଏବଂ କେତେକ ପ୍ରକଳ୍ପ ବିନା ଆବଶ୍ୟକ ଅନୁମୋଦନରେ କାର୍ଯ୍ୟକାରୀ ହେବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଏହାସହ କିଛି ଚିକିତ୍ସା ଉପକରଣ ବ୍ୟବହାର ନହୋଇ ପଡ଼ିରହିବା, ମହୁ ଉତ୍ପାଦନ ପ୍ରକଳ୍ପ ଆଶାନୁରୂପ ସଫଳ ନହେବା ଏବଂ ସୌର ଆଲୋକୀକରଣ ପ୍ରକଳ୍ପର ଅନେକ ୟୁନିଟ୍‌ ଅଚଳ ଥିବା କଥା ମଧ୍ୟ ରିପୋର୍ଟରେ ଉଲ୍ଲେଖ ହୋଇଛି। ବିଶେଷକରି ଖଣି ପ୍ରଭାବିତ ଗାଁଗୁଡ଼ିକରେ ଡିଏମ୍‌ଏଫ୍‌ ପ୍ରକଳ୍ପର ଅଭାବକୁ ନେଇ ଅଡିଟ୍‌ ଗୁରୁତ୍ୱ ଦେଇଛି। ଫଳରେ ଡିଏମ୍‌ଏଫ୍‌ ପାଣ୍ଠିର ଯୋଜନା, ପ୍ରକଳ୍ପ ଚୟନ ଓ ଅର୍ଥ ବ୍ୟବହାର ପ୍ରକ୍ରିୟା ନେଇ ଆଲୋଚନା ତୀବ୍ର ହୋଇଛି।

You may also like

Leave a Comment