ବଲାଙ୍ଗୀର: ବଲାଙ୍ଗୀରର ଲୋୟର ସୁକତେଲ ଡ୍ୟାମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷିଦ୍ଧାଞ୍ଚଳ (Prohibited Area) ଭାବେ ଘୋଷଣା କରାଯାଇଛି। ଲୋକଙ୍କ ସୁରକ୍ଷା ଏବଂ ପ୍ରକଳ୍ପର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୬୩ ଲାଗୁ କରାଯାଇଛି। ଡ୍ୟାମ ଏବଂ ଏହାର ସମ୍ବେଦନଶୀଳ ଅଞ୍ଚଳରେ ଫଟୋ ଉଠାଇବା, ଭିଡିଓ ପ୍ରସ୍ତୁତ କରିବା ଓ ଡ୍ରୋନ୍ ଉଡ଼ାଇ ଦୃଶ୍ୟ ଭାଇରାଲ କରିବା ଉପରେ କଟକଣା ଜାରି କରାଯାଇଛି।
ବର୍ତ୍ତମାନ ଲୋୟର ସୁକତେଲ ପ୍ରକଳ୍ପରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ପ୍ରତିଦିନ ଦୁଇରୁ ତିନୋଟି ସ୍ପିଲୱେ ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏହି ଦୃଶ୍ୟ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଲୋକ ଆସୁଥିବାବେଳେ ଅନେକେ ବିପଦପୂର୍ଣ୍ଣ ଭାବେ ସ୍ପିଲୱେ ଓ ମାଟିବନ୍ଧ ନିକଟକୁ ଯାଇ ଫଟୋ ଓ ଭିଡିଓ ଉଠାଉଛନ୍ତି। କେତେକ ବ୍ୟକ୍ତି ଡ୍ରୋନ୍ ମାଧ୍ୟମରେ ପ୍ରକଳ୍ପର ଭିଡିଓ ଧାରଣ କରି ସୋସିଆଲ୍ ମିଡିଆରେ ପ୍ରସାରଣ କରୁଥିବା ମଧ୍ୟ ନଜରକୁ ଆସିଛି।
ପ୍ରଶାସନର କହିବା ଅନୁସାରେ, ରିଲ୍ ଓ ସୋସିଆଲ୍ ମିଡିଆ ନିଶାରେ ଲୋକେ ନିଜ ଜୀବନକୁ ବିପଦରେ ପକାଉଛନ୍ତି। ତା’ସହ ପ୍ରକଳ୍ପର ସମ୍ବେଦନଶୀଳ ସ୍ଥାନର ଫଟୋ ଓ ଭିଡିଓ ସାର୍ବଜନୀନ କରିବା ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଉଦ୍ବେଗର ବିଷୟ। ବର୍ତ୍ତମାନ ସେଠାରେ ବୋଟ୍, ଅଗ୍ନିଶମ ବାହିନୀ କିମ୍ବା ଲାଇଫଗାର୍ଡ ବ୍ୟବସ୍ଥା ନଥିବାରୁ ଦୁର୍ଘଟଣା ଘଟିଲେ ଜୀବନହାନିର ଆଶଙ୍କା ରହିଛି।
ଏହି ପରିସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ଡ୍ୟାମ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି। ନିୟମ ଉଲ୍ଲଂଘନ କରି ଫଟୋ କିମ୍ବା ଭିଡିଓ ଭାଇରାଲ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।
ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ ପଟେଲ କହିଛନ୍ତି ଯେ, ଲୋୟର ସୁକତେଲ ପ୍ରକଳ୍ପରେ ବର୍ତ୍ତମାନ ଜଳସ୍ତର ଅଧିକ ରହିଥିବା ସହ ସ୍ପିଲୱେ ଗେଟ୍ ମାଧ୍ୟମରେ ଉଚ୍ଚ ବେଗରେ ପାଣି ନିଷ୍କାସନ ହେଉଛି। ଏହା ଅତ୍ୟନ୍ତ ବିପଦଜନକ ହୋଇଥିବାରୁ ଲୋକଙ୍କ ସୁରକ୍ଷା ଏବଂ ପ୍ରକଳ୍ପର ସୁରକ୍ଷା ପାଇଁ BNSର ଧାରା ୧୬୩ ଲାଗୁ କରାଯାଇଛି।
ସେ କହିଛନ୍ତି, ଡ୍ୟାମ ପରିସରରେ ବାଡ଼ ଲଗାଯିବା ସହ ଏହି କଟକଣା ପ୍ରାରମ୍ଭିକ ଭାବେ ୬୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାଛଡ଼ା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ମୁତୟନ ହେବା ପର୍ଯ୍ୟନ୍ତ ଏହି ସୁରକ୍ଷା ବ୍ୟବସ୍ଥା ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।
ପ୍ରଶାସନ ସାଧାରଣ ଲୋକଙ୍କୁ ଡ୍ୟାମ ନିକଟରେ ବିପଦପୂର୍ଣ୍ଣ ଭାବେ ଯିବା, ସେଲ୍ଫି କିମ୍ବା ରିଲ୍ ପ୍ରସ୍ତୁତ କରିବା ଏବଂ ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡ଼ାଇବାରୁ ବିରତ ରହିବାକୁ ଅପିଲ୍ କରିଛି।
