ପୁରୀ: କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ଶୀଘ୍ର ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡକୁ ଆସିବେ। ତାଙ୍କ ସହ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ମଧ୍ୟ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ବଡ଼ଦାଣ୍ଡରେ ତିନି ରଥର ଶେଷ ପର୍ଯ୍ୟାୟ ସଜସଜ୍ଜା କାର୍ଯ୍ୟ ଚାଲିଛି।
ମହାପ୍ରଭୁଙ୍କ ରଥ ଉପରେ ଟିକିଏ ଝଲକ ପାଇବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେଶ ଓ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀକୁ ଆସିବେ। ସେଥିପାଇଁ ରାଜ୍ୟ ସରକାର ପକ୍ଷରୁ ସୁରକ୍ଷା, ଯାତାୟାତ ଏବଂ ପରିବହନ ବ୍ୟବସ୍ଥାକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ସୁରକ୍ଷିତ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ପରିବହନ କମିଶନର ଅମୀତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ପ୍ରତିନିଧି, ପୋଲିସ ଅଧିକାରୀ ଓ ବିଭିନ୍ନ ବିଭାଗର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।
ରଥଯାତ୍ରା ସମୟରେ ବଢ଼ୁଥିବା ଭିଡ଼କୁ ଦୃଷ୍ଟିରେ ରଖି କିପରି ସୁରୁଖୁରୁରେ ବସ୍ ଚଳାଚଳ କରାଯିବ ଏବଂ ଯାତ୍ରୀମାନଙ୍କୁ ଯଥାସମ୍ଭବ ସୁବିଧା ଯୋଗାଇ ଦିଆଯିବ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ଟୋଲ୍ ଫି ଛାଡ଼, ବ୍ୟାପକ ପାର୍କିଂ ବ୍ୟବସ୍ଥା
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ଦିନ ପିପିଲି ଟୋଲ୍ ଗେଟ୍ରେ କୌଣସି ଗାଡ଼ିଠାରୁ ଟୋଲ୍ ଫି ଆଦାୟ କରାଯିବ ନାହିଁ। ଏହି ସୁବିଧା ବସ୍, କାର୍ ଓ ଅନ୍ୟାନ୍ୟ ଯାନବାହନ ପାଇଁ ଲାଗୁ ହେବ।
ସେହିପରି ବାହାରୁ ଆସୁଥିବା ଗାଡ଼ିଗୁଡ଼ିକ ପାଇଁ ମାଳତୀପାଟପୁରରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ, ତାଳବଣିଆରେ ସ୍ଥାନୀୟ ଗାଡ଼ି ଏବଂ ସ୍ୱତନ୍ତ୍ର ଅନୁମତିପ୍ରାପ୍ତ ଯାନ ପାଇଁ ପାର୍କିଂ ବ୍ୟବସ୍ଥା ରହିବ।
ଦିନରାତି ଚାଲିବ ବସ୍ ସେବା
ରଥଯାତ୍ରା ସମୟରେ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦିନରାତି ବସ୍ ସେବା ଉପଲବ୍ଧ କରାଯିବ। ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୬୦୦ ବସ୍ ଚଳାଚଳ କରିବାକୁ ଯୋଜନା ଥିବା ବେଳେ, ଅନ୍ୟ ରାଜ୍ୟର ବସ୍ଗୁଡ଼ିକୁ ମିଶାଇ ମୋଟ ପ୍ରାୟ ଏକ ହଜାର ବସ୍ ରଥଯାତ୍ରା ସମୟରେ ସେବା ଯୋଗାଇବ ବୋଲି ନିଷ୍ପତ୍ତି ହୋଇଛି।
ପ୍ରଶାସନର ଲକ୍ଷ୍ୟ ହେଉଛି ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ, ସୁବିଧାଜନକ ଓ ସୁଗମ ଯାତ୍ରା ଅନୁଭୂତି ପ୍ରଦାନ କରିବା। ଏଥିପାଇଁ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଥିବା ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।
