ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷାର ମାନୋନ୍ନତି ପାଇଁ ଆରମ୍ଭ ହୋଇଥିବା ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସ୍ଥାପନ ହେବାକୁ ଥିବା ୨୨୦୦ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ମାର୍ଚ୍ଚ ୨୦୨୭ ସୁଦ୍ଧା ଜମି ଚିହ୍ନଟ କରିବାକୁ ସେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପ୍ରକଳ୍ପ ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷା କ୍ଷେତ୍ରର ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ। ଜାତୀୟ ଶିକ୍ଷା ନୀତି–୨୦୨୦ ଓ ଶିକ୍ଷା ଅଧିକାର ଆଇନ–୨୦୦୯ର ଲକ୍ଷ୍ୟ ପୂରଣ ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ବିଶ୍ୱସ୍ତରୀୟ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯିବ।
ଯୋଜନାର ଅଗ୍ରଗତି ଉପରେ ନିୟମିତ ନଜର ରଖିବା ପାଇଁ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ସାପ୍ତାହିକ ସମୀକ୍ଷା କରି ରିପୋର୍ଟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପଠାଇବାକୁ କୁହାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ନିଜେ ପ୍ରତି ମାସରେ ଥରେ ଏହି ପ୍ରକଳ୍ପର ସମୀକ୍ଷା କରିବେ ବୋଲି ସ୍ପଷ୍ଟ କରିଛନ୍ତି।
ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ୨୨୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୨୨ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇ କାମ ଆରମ୍ଭ ହୋଇଥିବାବେଳେ ବାକି ସ୍କୁଲଗୁଡ଼ିକ ପାଇଁ ଜମି ଚିହ୍ନଟ କାର୍ଯ୍ୟକୁ ଶୀଘ୍ର ସମ୍ପନ୍ନ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି।
ଜମି ଚିହ୍ନଟ ପ୍ରକ୍ରିୟାରେ ସ୍ଥାନୀୟ ବିଧାୟକମାନଙ୍କୁ ସାମିଲ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏହାଦ୍ୱାରା ସ୍ଥାନ ଚୟନ ପ୍ରକ୍ରିୟା ଅଧିକ ସହଜ ଓ ଦ୍ରୁତ ହେବ। ସେ ଜିଲ୍ଲାପାଳମାନଙ୍କୁ ଏହି ଯୋଜନାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ଆହ୍ୱାନ କରିଛନ୍ତି।
ଏହି ସମୀକ୍ଷା ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି. କେ. ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଏନ୍. ତିରୁମାଲା, ଓସେପାର ନିର୍ଦ୍ଦେଶିକା ଅନନ୍ୟା ଦାସଙ୍କ ସମେତ ସମସ୍ତ ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ।
