ପୁରୀ: ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ୫୮ତମ ଦିନରେ ପହଞ୍ଚିଛି। ଆଜି ରଥଖଳାରେ ତିନି ରଥର ଈଷ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଯଦିଓ ସକାଳେ କିଛି ସମୟ ପାଇଁ ବିବାଦ ଯୋଗୁଁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା, ପରେ ଦିନ ପ୍ରାୟ ୧୨ଟା ପରେ ପୁନର୍ବାର ରଥ ନିର୍ମାଣ କାମ ଆରମ୍ଭ ହୋଇଥିଲା।
ରଥ ନିର୍ମାଣରେ ଈଷ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି କାଠ ମାଧ୍ୟମରେ ରଥରେ ଘୋଡ଼ାମାନଙ୍କୁ ଯୋଖାଯାଇଥାଏ। ଆବଶ୍ୟକ ଆକାର ଅନୁଯାୟୀ କାଠକୁ ପ୍ରସ୍ତୁତ କରିବା ପରେ ମହାରଣା ସେବକମାନେ ଈଷ ନିର୍ମାଣ କାର୍ଯ୍ୟରେ ଲାଗିପଡ଼ିଛନ୍ତି।
ଏହା ସହ ତିନି ରଥର ଦ୍ୱିତୀୟ ଭୂଇଁର ଉଭୟ ପାର୍ଶ୍ୱରେ ଅନ୍ଧାରି ତାଗ ବାଡ଼ିଆ କାମ ଚାଲିଥିବା ବେଳେ ତୃତୀୟ ଭୂଇଁରେ କଇଞ୍ଚି ସହ ଅନ୍ଧାରି ତାଗ ବାଡ଼ିଆ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ସେହିପରି ତିନି ରଥରେ ପଟା ବାଡ଼ିଆ କାର୍ଯ୍ୟ ମଧ୍ୟ ଜାରି ରହିଛି।
ରଥର ପଛ ନାହାକାରେ ପଛ ଢମକ ସଂଯୋଜନ ସହ କଣ୍ଟା ବାଡ଼ିଆ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆଗ ଓ ପଛ ଢମକ ଉପରେ ପାଞ୍ଚଟି ଜଗତ ପୃଷ୍ଠ ସେଣି ପଡ଼ିବା ପରେ ବେଦୀ ସିଂହାସନ ନିର୍ମାଣ କାମ ଆରମ୍ଭ ହେବ।
ଅନ୍ୟପକ୍ଷରେ, ରୂପକାର ସେବକମାନେ ନାଟଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ କାର୍ଯ୍ୟକୁ ଆଗେଇ ନେଉଛନ୍ତି। ଦୋଳବେଦୀ ନିକଟସ୍ଥ ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ତିନି ରଥ ପାଇଁ ଗୋଡ଼ିଛାଲ ଓ ପୋଟଳ ବାଗିଆ କଣ୍ଟା ନିର୍ମାଣ ଶେଷ କରିଥିବା ବେଳେ ବର୍ତ୍ତମାନ ପାଦି କଣ୍ଟା ଓ ଚାନ୍ଦି କ୍ଲାମ୍ପ କଣ୍ଟା ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି।
ଚିତ୍ରକାର ସେବକମାନେ ରଥ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତିରେ ରଙ୍ଗ ଦେବା ସହ ରଥ ଚକ, ଗୁଜ, ପଟାଗୁଜ ଆଦିରେ ଧଳା ପ୍ରାଇମର୍ ଲଗାଇବା କାମ ଜାରି ରଖିଛନ୍ତି। ସେହିପରି ପାହି ମହାରଣା ସେବକମାନେ ସେବାପୂଜାରେ ବ୍ୟବହୃତ ହେବାକୁ ଥିବା ବେଶ ଘୋଡ଼ିଆ, ଚାଙ୍ଗଡ଼ା ଷ୍ଟାଣ୍ଡ ସମେତ ବିଭିନ୍ନ କାଠ ସରଞ୍ଜାମ ପ୍ରସ୍ତୁତ କରୁଛନ୍ତି।
ରଥଯାତ୍ରା ନିକଟତର ହେଉଥିବାରୁ ରଥଖଳାରେ ବିଭିନ୍ନ ସେବକଙ୍କ ଦ୍ୱାରା ଦିନରାତି ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି।
