ଅନୁଗୋଳ ଜିଲ୍ଲାର ତାଳଚେର ନିକଟ ଗୁରୁଜାଙ୍ଗରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ଏକ ବିଶେଷ ମହୋତ୍ସବ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସ୍ୱାମୀଜୀଙ୍କ ଜୀବନ, ସେବା ଓ ଆଦର୍ଶକୁ ସ୍ମରଣ କରିଥିଲେ।ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କେବଳ ଜଣେ ସନ୍ନ୍ୟାସୀ ନୁହେଁ, ସେବା, ତ୍ୟାଗ ଓ ଶିକ୍ଷାର ଏକ ପ୍ରେରଣାଦାୟକ ପ୍ରତୀକ। କନ୍ଧମାଳର ଦୁର୍ଗମ ଅଞ୍ଚଳରେ ରହି ସେ ଆଦିବାସୀ ଓ ଅସହାୟ ଲୋକଙ୍କ ଶିକ୍ଷା ଓ ସାମାଜିକ ବିକାଶ ପାଇଁ କାମ କରିଥିଲେ।
ଚକାପାଦ ଓ ଜଲେଶପଟ୍ଟା ଆଶ୍ରମ ସହ କନ୍ୟା ଗୁରୁକୁଳ ପ୍ରତିଷ୍ଠା କରି ଶିକ୍ଷା ଓ ସଂସ୍କାର ମାଧ୍ୟମରେ ଅନେକ ଛାତ୍ରୀଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦେଇଥିବା କଥା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ। ତାଙ୍କର ଆଦର୍ଶ ଓ ସେବା କାର୍ଯ୍ୟ ଆଜି ମଧ୍ୟ ସମାଜକୁ ପ୍ରେରଣା ଦେଉଛି ବୋଲି ସେ କହିଥିଲେ।ଏହି ଅବସରରେ ଗୁରୁଜାଙ୍ଗକୁ ‘ଐତିହ୍ୟ ଗ୍ରାମ’ ଭାବେ ବିକଶିତ କରିବା ସହ ଗୁରୁଜାଙ୍ଗ ପଞ୍ଚାୟତକୁ ‘ଆଦର୍ଶ ପଞ୍ଚାୟତ’ ଭାବେ ଗଢ଼ିତୋଳିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସ୍ୱାମୀଜୀଙ୍କ ସ୍ମୃତି ଓ ଅବଦାନକୁ ସମ୍ମାନ ଦେବା ପାଇଁ ଫୁଲବାଣୀ ସରକାରୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କରି ‘ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମେଡିକାଲ କଲେଜ’ ରଖାଯାଇଥିବା କଥା ମଧ୍ୟ ଜଣାଇଥିଲେ।ସେହିପରି ଜଲେଶପଟ୍ଟା ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମର ବିକାଶ ସହ ଐତିହ୍ୟ ସଂରକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ ୧୩ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି। ଏଥିରେ ୩୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ, ଐତିହ୍ୟସ୍ଥଳୀ ସଂରକ୍ଷଣ ଏବଂ ପାନୀୟ ଜଳ ଯୋଗାଣ ପାଇଁ ମେଗା ରିଭର ଲିଫ୍ଟ ପ୍ରକଳ୍ପ ଭଳି କାର୍ଯ୍ୟ ସାମିଲ ରହିଛି।
ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଜନ୍ମଶତବାର୍ଷିକୀ ଅବସରରେ ନିଆଯାଇଥିବା ଏହି ପଦକ୍ଷେପ ତାଙ୍କ ସ୍ମୃତିକୁ ସଂରକ୍ଷଣ କରିବା ସହ ଗୁରୁଜାଙ୍ଗ ଓ ଜଲେଶପଟ୍ଟା ଅଞ୍ଚଳର ବିକାଶକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।
