ମହାରାଜଗଞ୍ଜ (ଉତ୍ତରପ୍ରଦେଶ): ନେପାଳ ସୀମା ଦେଇ ବୈଧ ଯାତ୍ରା ଦସ୍ତାବିଜ ବିନା ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ଆମେରିକୀୟ ନାଗରିକଙ୍କୁ ସଶସ୍ତ୍ର ସୀମା ବଳ (ଏସଏସବି) ଅଟକ ରଖିଛି। ଘଟଣାଟି ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲା ଅନ୍ତର୍ଗତ ସୋନୌଲି ସୀମା ଅଞ୍ଚଳରେ ଘଟିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଅଟକ ବ୍ୟକ୍ତି ନିଜକୁ କାଲିଫର୍ଣ୍ଣିଆର ବାସିନ୍ଦା ଜୋର୍ଡାନ ବ୍ରାଉନ ବୋଲି ପରିଚୟ ଦେବା ସହ ସେ ପୂର୍ବରୁ ଆମେରିକୀୟ ନୌସେନାରେ କାର୍ଯ୍ୟ କରୁଥିବା ଦାବି କରିଛନ୍ତି। ସୀମାରେ ନିୟମିତ ପାଟ୍ରୋଲିଂ ସମୟରେ ତାଙ୍କ ଚଳପ୍ରଚଳ ସନ୍ଦେହଜନକ ଲାଗିବାରୁ ଏସଏସବି ଯବାନମାନେ ତାଙ୍କୁ ଅଟକାଇଥିଲେ। ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସେ ଧରାପଡ଼ିଥିବା ସୂଚନା ମିଳିଛି।
ତଲାସି ବେଳେ ତାଙ୍କ ନିକଟରୁ କୌଣସି ପାସପୋର୍ଟ କିମ୍ବା ବୈଧ ଯାତ୍ରା ଦସ୍ତାବିଜ ମିଳିନଥିଲା। ତେବେ ତାଙ୍କ ପାଖରୁ ପ୍ରାୟ ୩୧ ହଜାର ୪୬୦ ଟଙ୍କା ନଗଦ ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ପଚରାଉଚରା ବେଳେ ସମ୍ପୃକ୍ତ ବ୍ୟକ୍ତି କହିଥିବା ଅନୁସାରେ, ସେ ପ୍ରଥମେ ପର୍ଯ୍ୟଟନ ଭିସାରେ ଥାଇଲ୍ୟାଣ୍ଡ ଯାଇଥିଲେ ଏବଂ ସେଠାରେ ତାଙ୍କର ପାସପୋର୍ଟ ହଜିଯାଇଥିଲା। ପରେ ସମୁଦ୍ର ପଥରେ ଶ୍ରୀଲଙ୍କା ଦେଇ ୨ ନଭେମ୍ବର ୨୦୨୫ରେ ଭାରତରେ ପ୍ରବେଶ କରିଥିବା ଏବଂ ପ୍ରାୟ ସାତ ମାସ ଧରି ଗୋଆରେ ରହୁଥିବା ଦାବି କରିଛନ୍ତି। ସେଠାରୁ ବେଙ୍ଗାଲୁରୁ ହୋଇ ନେପାଳ ଯିବା ଉଦ୍ଦେଶ୍ୟରେ ସୋନୌଲି ସୀମାରେ ପହଞ୍ଚିଥିବା ସେ କହିଛନ୍ତି।
ଘଟଣାକୁ ନେଇ ସୋନୌଲି ଥାନାରେ ବିଦେଶୀ ନାଗରିକ ସମ୍ବନ୍ଧୀୟ ପ୍ରଯୁଜ୍ୟ ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି। ପୋଲିସ ଓ ସୁରକ୍ଷା ଏଜେନ୍ସି ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ, ଭାରତରେ ତାଙ୍କ ରହଣି ଏବଂ ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛନ୍ତି।
