ଆଉ ଦିନକ ପରେ ପବିତ୍ର ଘୋଷଯାତ୍ରା। ନବଯୌବନ ଦର୍ଶନ ପାଇଁ ଆଜିଠାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି। ବଡ଼ଦାଣ୍ଡ ସମେତ ସହରର ବିଭିନ୍ନ ସ୍ଥାନରେ ଗହଳି ବଢ଼ିଥିବାରୁ ରଥଯାତ୍ରା ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଟ୍ରାଫିକ୍ ପରାମର୍ଶ ଓ ପାର୍କିଂ ବ୍ୟବସ୍ଥା ଜାରି କରିଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସୁବିଧା ଏବଂ ସୁଚାରୁ ଦର୍ଶନକୁ ଦୃଷ୍ଟିରେ ରଖି ଏହି କଟକଣା ପାଳନ କରିବାକୁ ପୋଲିସ ଅନୁରୋଧ କରିଛି।
୩୦ଟି ପାର୍କିଂ ସ୍ଥଳରେ ଗାଡ଼ି ରଖିବାର ସୁବିଧା
ଚଳିତ ବର୍ଷ ପୁରୀ ସହରରେ ମୋଟ ୩୦ଟି ପାର୍କିଂ ସ୍ଥଳ ପ୍ରସ୍ତୁତ କରାଯାଇଛି।
- ୪ ଚକିଆ ଯାନ ପାଇଁ: ୨୨ଟି ପାର୍କିଂ ସ୍ଥଳ
- ୧୮ଟି ସର୍ବସାଧାରଣଙ୍କ ପାଇଁ
- ୪ଟି ପାସ୍ ଧାରକଙ୍କ ପାଇଁ
- ପ୍ରାୟ ୭,୭୩୦ଟି କାର୍ ପାର୍କିଂ କ୍ଷମତା
ବାଇକ୍ କେଉଁଠି ରଖିବେ?
୨ ଚକିଆ ଯାନ ପାଇଁ ୪ଟି ସ୍ୱତନ୍ତ୍ର ପାର୍କିଂ ସ୍ଥଳ ବ୍ୟବସ୍ଥା କରାଯାଇଛି—
- ମାଟିତୋଟା-୧
- ମାଟିତୋଟା-୨
- ପୁରୁଣା ଜଗନ୍ନାଥ ବଲ୍ଲଭ
- ବ୍ଲୁ ଫ୍ଲାଗ-ନୀଳାଚଳ ଅଶୋକ
ଏହି ସ୍ଥାନଗୁଡ଼ିକରେ ପ୍ରାୟ ୧୫ ହଜାର ବାଇକ୍ ପାର୍କିଂ କରାଯାଇପାରିବ।
ବସ୍ ପାର୍କିଂ ବ୍ୟବସ୍ଥା
ବସ୍ ଯୋଗେ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି—
- ମାଳତୀପାଟପୁର
- ତାଳବଣିଆ
- ସ୍ୱାମୀ ନାରାୟଣ ମନ୍ଦିର
- ସମଙ୍ଗ
ଏଠାରେ ମୋଟ ୭୫୦ଟି ବସ୍ ପାର୍କିଂ କରାଯାଇପାରିବ।
୨୦୨୫ ତୁଳନାରେ ବଢ଼ିଛି ପାର୍କିଂ ସୁବିଧା
ଗତ ବର୍ଷ ତୁଳନାରେ ଏଥର ୬ଟି ନୂଆ ପାର୍କିଂ ସ୍ଥଳ ଯୋଡ଼ାଯାଇଛି। ସେଗୁଡ଼ିକ ହେଲା—
- ଭୂଦାନ
- କେନ୍ଦ୍ରୀୟ ବିଦ୍ୟାଳୟ
- କେନ୍ଦ୍ରୀୟ ବିଦ୍ୟାଳୟ ପଛ ପାର୍ଶ୍ୱ
- ତାଜ
- ସମଙ୍ଗ
- ଶ୍ରୀ ସେତୁ
ଏହା ଫଳରେ ସହରର ସମୁଦାୟ ପାର୍କିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ପାସ୍ ଧାରକଙ୍କ ପାଇଁ ମଧ୍ୟ ଅଧିକ ପାର୍କିଂ ସ୍ଥାନ ଉପଲବ୍ଧ କରାଯାଇଛି।
ସର୍ବସାଧାରଣଙ୍କ ପାଇଁ ପ୍ରମୁଖ ପାର୍କିଂ ସ୍ଥାନ
ସମଙ୍ଗ, ସେଣ୍ଟ୍ରାଲ ସ୍କୁଲ୍ (ଏସସିଏସ୍ କଲେଜ ଅଞ୍ଚଳ), ସେଣ୍ଟ୍ରାଲ ସ୍କୁଲ୍ ପରିସର, ଶ୍ରୀ ସେତୁ, ଭୂଦାନ, ଜେଲ୍ ରୋଡ୍/ପୁରୁଷୋତ୍ତମ ପାର୍କିଂ (ଆକସ୍ମିକ), ଆଇଟିଆଇ କଲେଜ, ହେଲିପ୍ୟାଡ୍, ଉଦ୍ୟାନ ପାର୍କିଂ, ଓଲା ଗେଷ୍ଟ ହାଉସ୍, ତାଳବଣିଆ ମାଛ ମାର୍କେଟ ଓ ସଂଲଗ୍ନ ଅଞ୍ଚଳ, ଇଣ୍ଡୋର ଷ୍ଟାଡିୟମ୍, ଷ୍ଟର୍ଲିଂ ଛକ, ତାଜ ହୋଟେଲ ନିକଟ, ଷ୍ଟର୍ଲିଂ ଛକ ରାସ୍ତା ତଳ ଅଞ୍ଚଳ, ଶରଧାବାଲି (ସୁନାବେଶ) ଏବଂ ସ୍ୱସ୍ତି-ଷ୍ଟର୍ଲିଂ ରୋଡ୍ (ସୁନାବେଶ)ରେ ପାର୍କିଂ ସୁବିଧା ରହିଛି।
AI ସହାୟତାରେ ଟ୍ରାଫିକ୍ ନିୟନ୍ତ୍ରଣ
ରଥଯାତ୍ରା ସମୟରେ ଯାନବାହନର ଚଳାଚଳ ଉପରେ AI ଆଧାରିତ ବ୍ୟବସ୍ଥା ମାଧ୍ୟମରେ ନଜର ରଖାଯିବ। LED ଡିସପ୍ଲେ ଓ ମୋବାଇଲ୍ LED ୟୁନିଟ୍ ମାଧ୍ୟମରେ ରିଅଲ୍-ଟାଇମ୍ ଟ୍ରାଫିକ୍ ଓ ଭିଡ଼ ସମ୍ପର୍କିତ ସୂଚନା ପ୍ରଦାନ କରାଯିବ। ଉତ୍ତରା-ଲିଙ୍ଗିପୁର ରାସ୍ତା, ଭୁବନେଶ୍ୱର-ପୁରୀ କରିଡର, ମାଳତୀପାଟପୁର ଓ ବାଟଗାଁର ଟ୍ରାଫିକ୍ ସ୍ଥିତି ବିଷୟରେ ସମୟୋପଯୋଗୀ ସୂଚନା ଉପଲବ୍ଧ ହେବ।
ଟ୍ରାଫିକ୍ ସହାୟତା ପୋଷ୍ଟ
ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ମାଳତୀପାଟପୁର ଏବଂ ତାଳବଣିଆରେ ପାନୀୟ ଜଳ, ବିଶ୍ରାମ ଓ ଆବଶ୍ୟକ ସେବା ସହିତ ୨ଟି ମଡେଲ୍ ଟ୍ରାଫିକ୍ ସହାୟତା ପୋଷ୍ଟ ସ୍ଥାପନ କରାଯାଇଛି। ଏହାଛଡ଼ା ସମଗ୍ର ପୁରୀ ଜିଲ୍ଲାରେ ୭୩ଟି ଟ୍ରାଫିକ୍ ସହାୟତା ପୋଷ୍ଟ, ୩ଟି ଡ୍ରୋନ୍ ଏବଂ ୨୪୪ଟି ସିସିଟିଭି କ୍ୟାମେରା ମାଧ୍ୟମରେ ନିରନ୍ତର ନଜରଦାରି କରାଯିବ।
ଏହି ସବୁ ସ୍ଥାନ ରହିବ ‘ନୋ ଭେହିକିଲ୍ ଜୋନ୍’
ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ୧୬ ତାରିଖ ରାତି ୧୨ଟାରୁ ୧୭ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବଡ଼ଦାଣ୍ଡକୁ ‘ନୋ ଭେହିକିଲ୍ ଜୋନ୍’ ଘୋଷଣା କରାଯାଇଛି।
ଏହାସହ ନିମ୍ନଲିଖିତ ରାସ୍ତାରେ ମଧ୍ୟ ଯାନବାହନ ଚଳାଚଳ ନିଷିଦ୍ଧ ରହିବ—
- ଝାଡ଼େଶ୍ୱରୀ ଛକରୁ ହସ୍ପିଟାଲ କ୍ରସିଂ
- ଜେଲ୍ ରୋଡ୍ ପାର୍କିଂରୁ ହସ୍ପିଟାଲ କ୍ରସିଂ
- ବୃଷଭ ଛକରୁ ଶ୍ରୀଜଗନ୍ନାଥ ମନ୍ଦିର
- ସୋଲାଖିଆ ବରଗଛ ଛକରୁ ଶ୍ରୀଜଗନ୍ନାଥ ମନ୍ଦିର
- ମୋଚିସାହି ଛକରୁ ଶ୍ରୀଜଗନ୍ନାଥ ମନ୍ଦିର
- ଯାତ୍ରୀକା ପାର୍କିଂରୁ ଦିଗବାରେଣୀ ଛକ ପର୍ଯ୍ୟନ୍ତ
ରଥଯାତ୍ରା ଅବସରରେ ପୁରୀ ଯାଉଥିବା ଶ୍ରଦ୍ଧାଳୁମାନେ ଘରୁ ବାହାରିବା ପୂର୍ବରୁ ଟ୍ରାଫିକ୍ ପରାମର୍ଶ ଅନୁସରଣ କରିବା ସହ ନିର୍ଦ୍ଧାରିତ ପାର୍କିଂ ସ୍ଥଳରେ ଗାଡ଼ି ରଖି ପାଦରେ କିମ୍ବା ଅନୁମୋଦିତ ଯାତାୟାତ ବ୍ୟବସ୍ଥା ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
