ଡାଟା ସେଣ୍ଟର, AI ଓ ସେମିକଣ୍ଡକ୍ଟରକୁ ଗୁରୁତ୍ୱ; ୫୦ ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା
ଭୁବନେଶ୍ୱର, ୨୩ ସେପ୍ଟେମ୍ବର: ଓଡ଼ିଶାରେ ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା ୪୬ତମ ହାଇ ଲେଭେଲ୍ କ୍ଲିୟରାନ୍ସ ଅଥରିଟି (HLCA) ବୈଠକରେ ୨୭ଟି ବୃହତ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକର ମୋଟ ପ୍ରସ୍ତାବିତ ପୁଞ୍ଜିନିବେଶ ପରିମାଣ ₹୨,୪୭,୧୧୫.୭୦ କୋଟି ବୋଲି ସରକାରୀ ସୂଚନାରେ କୁହାଯାଇଛି।
ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ୧୫ଟି ଜିଲ୍ଲାରେ ସ୍ଥାପିତ ହେବାକୁ ଥିବାବେଳେ ପ୍ରାୟ ୫୦,୧୬୨ଟି ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି। ଡାଟା ସେଣ୍ଟର, କୃତ୍ରିମ ବୁଦ୍ଧିମତ୍ତା (AI), IT/ITES, ସେମିକଣ୍ଡକ୍ଟର, ଶକ୍ତି, ଇସ୍ପାତ, ସବୁଜ ଶକ୍ତି, ଲ୍ୟାବ୍-ଗ୍ରୋନ୍ ଡାଇମଣ୍ଡ, ଟେକ୍ସଟାଇଲ୍, ସ୍ୱାସ୍ଥ୍ୟସେବା, ଜାହାଜ ନିର୍ମାଣ ଓ ଉନ୍ନତ ଉତ୍ପାଦନ ଭଳି କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଛି।
ଡିଜିଟାଲ୍ କ୍ଷେତ୍ରରେ ବଡ଼ ନିବେଶ
୪୬ତମ HLCAର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି IT, ITES, AI ଓ ଡାଟା ସେଣ୍ଟର କ୍ଷେତ୍ରରେ ବୃହତ୍ ପୁଞ୍ଜିନିବେଶ। ଏହି କ୍ଷେତ୍ରର ଚାରିଟି ପ୍ରମୁଖ ପ୍ରକଳ୍ପରେ ମୋଟ ପ୍ରାୟ ₹୧,୪୨,୯୪୧ କୋଟି ନିବେଶକୁ ଅନୁମୋଦନ ଦିଆଯାଇଛି।
ଖୋର୍ଦ୍ଧାରେ High Density Data Centre Limited ପକ୍ଷରୁ ₹୧,୦୪,୫୫୦ କୋଟି ବ୍ୟୟରେ ଏକ ଇଣ୍ଟିଗ୍ରେଟେଡ୍ ଡାଟା ସେଣ୍ଟର ପାର୍କ ସ୍ଥାପନ ହେବ। ଏଥିରୁ ପ୍ରାୟ ୧,୦୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆକଳନ ରହିଛି।
ସେହିପରି HCL Technologies ଖୋର୍ଦ୍ଧାରେ ₹୧୪,୨୫୭ କୋଟିରେ AI-ଅପ୍ଟିମାଇଜ୍ଡ ଡାଟା ସେଣ୍ଟର ଗଢ଼ିବ। ଏଥିରେ ପ୍ରାୟ ୩୮୫ ଜଣଙ୍କ ନିଯୁକ୍ତି ସମ୍ଭାବନା ରହିଛି।
ପୁରୀରେ Sentraforge AI Limited ₹୨୨,୬୩୪ କୋଟି ବିନିଯୋଗରେ AI ଡାଟା ସେଣ୍ଟର ଓ ଗ୍ଲୋବାଲ୍ କାପାବିଲିଟି ସେଣ୍ଟର ସ୍ଥାପନ କରିବ। ଏହି ପ୍ରକଳ୍ପରେ ୨,୩୨୦ ଜଣଙ୍କ ନିଯୁକ୍ତି ସମ୍ଭାବନା ରହିଛି। କଟକରେ RKD Construction ପକ୍ଷରୁ ₹୧,୫୦୦ କୋଟିର ଡାଟା ସେଣ୍ଟର ପ୍ରକଳ୍ପ ହେବ।
ସେମିକଣ୍ଡକ୍ଟରରୁ ଲ୍ୟାବ୍-ଗ୍ରୋନ୍ ଡାଇମଣ୍ଡ
ପ୍ରଯୁକ୍ତି କ୍ଷେତ୍ର ସହ ସେମିକଣ୍ଡକ୍ଟର ଓ ରତ୍ନ ଶିଳ୍ପକୁ ମଧ୍ୟ ଏହି ଅନୁମୋଦନରେ ଗୁରୁତ୍ୱ ଦିଆଯାଇଛି। ଖୋର୍ଦ୍ଧାରେ SiCSem ପକ୍ଷରୁ Silicon Carbide wafer ଓ Gallium Nitride ଉତ୍ପାଦନ ପାଇଁ ₹୨,୦୭୮ କୋଟିର ପ୍ରକଳ୍ପ ଅନୁମୋଦିତ ହୋଇଛି।
ଲ୍ୟାବ୍-ଗ୍ରୋନ୍ ଡାଇମଣ୍ଡ କ୍ଷେତ୍ରରେ ମଧ୍ୟ ଏକାଧିକ ପ୍ରକଳ୍ପ ରହିଛି। ଖୋର୍ଦ୍ଧାରେ Dholakia Lab Grown Diamond ₹୪,୫୦୦ କୋଟି, Greenlab Diamonds ₹୨,୫୦୦ କୋଟି, Nouveau Diamonds ₹୧,୦୮୦ କୋଟି ଏବଂ Supreme Green Diamonds ₹୧,୦୦୦ କୋଟିର ପ୍ରକଳ୍ପ କରିବେ। ଗଞ୍ଜାମରେ Neorganic Diamonds ପକ୍ଷରୁ ₹୧,୬୦୦ କୋଟିର ପ୍ରକଳ୍ପ ରହିଛି।
ଶକ୍ତି କ୍ଷେତ୍ରରେ ବଡ଼ ପ୍ରସ୍ତାବ
ପାୱାର ଓ ରିନ୍ୟୁଏବଲ୍ ଏନର୍ଜି କ୍ଷେତ୍ରରେ ମଧ୍ୟ ବଡ଼ ନିବେଶ ପ୍ରସ୍ତାବ ରହିଛି। ଏହି କ୍ଷେତ୍ରରେ ମୋଟ ₹୫୪,୨୮୭.୭୦ କୋଟିର ପୁଞ୍ଜିନିବେଶ ଅନୁମୋଦିତ ହୋଇଛି।
ଦେବଗଡ଼ରେ NLC India Limited ପକ୍ଷରୁ ୩,୨୦୦ ମେଗାୱାଟ୍ କ୍ଷମତାର ଥର୍ମାଲ୍ ପାୱାର ପ୍ଲାଣ୍ଟ ପାଇଁ ₹୩୪,୭୬୩.୫୧ କୋଟିର ପ୍ରକଳ୍ପ ରହିଛି। ଅନୁଗୋଳରେ ୧,୦୮୦ ମେଗାୱାଟ୍ କ୍ଷମତାର ଆଉ ଏକ ଥର୍ମାଲ୍ ପାୱାର ପ୍ଲାଣ୍ଟ ପାଇଁ ₹୧୧,୬୦୪.୧୯ କୋଟି ବିନିଯୋଗ ହେବ।
ରାୟଗଡ଼ାରେ ₹୪,୦୨୦ କୋଟିର ୬୦୦ ମେଗାୱାଟ୍ Pumped Storage Hydro Power ପ୍ରକଳ୍ପ ଏବଂ କୋରାପୁଟରେ ₹୩,୯୦୦ କୋଟିର ୭୫୦ ମେଗାୱାଟ୍ କ୍ଷମତାର ଏକ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି।
ଇସ୍ପାତ, ସବୁଜ ଶକ୍ତି ଓ ଜାହାଜ ନିର୍ମାଣ
ସୁନ୍ଦରଗଡ଼ରେ Rungta Mines ଓ Shakambhari Ispat & Powerର ଦୁଇଟି ପ୍ରକଳ୍ପରେ ମିଳିତ ଭାବେ ₹୧୪,୦୦୦ କୋଟିର ନିବେଶ ପ୍ରସ୍ତାବ ରହିଛି। ଏଥିରୁ ହଜାର ହଜାର ନିଯୁକ୍ତି ସୁଯୋଗ ଆସିବାର ସମ୍ଭାବନା ରହିଛି।
କେନ୍ଦ୍ରାପଡ଼ାରେ Green Hydrogen, Green Ammonia, Green Methanol ଓ e-SAF ଉତ୍ପାଦନ ପାଇଁ ₹୩,୦୦୦ କୋଟିର ପ୍ରକଳ୍ପ ରହିଛି। ନୂଆପଡ଼ାରେ ₹୧,୦୫୦ କୋଟିର Battery Energy Storage System ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି।
ଗଞ୍ଜାମରେ Larsen & Toubro ପକ୍ଷରୁ Green Energy Equipment Manufacturing Unit ପାଇଁ ₹୫,୦୦୦ କୋଟି, Advanced Fabrication & Manufacturing Complex ପାଇଁ ₹୨,୧୦୦ କୋଟି ଏବଂ Shipbuilding & Ship Repair Complex ପାଇଁ ₹୧,୦୦୦ କୋଟିର ତିନିଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।
ସ୍ୱାସ୍ଥ୍ୟ, ବୟନ ଓ ରାସାୟନିକ ଶିଳ୍ପରେ ମଧ୍ୟ ନିବେଶ
ଖୋର୍ଦ୍ଧାରେ Adani Foundation ପକ୍ଷରୁ ୧,୦୦୦ ଶଯ୍ୟା ବିଶିଷ୍ଟ Multi-Super Speciality Hospital ସ୍ଥାପନ କରାଯିବ। ଏଥିପାଇଁ ₹୨,୧୫୦ କୋଟିର ନିବେଶ ପ୍ରସ୍ତାବ ରହିଛି ଏବଂ ପ୍ରାୟ ୧,୭୦୦ ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି।
କଳାହାଣ୍ଡିରେ Leaomax Textile ପକ୍ଷରୁ ₹୧,୨୦୦ କୋଟିର Composite Textile Mill ସ୍ଥାପନ ହେବ। ଭଦ୍ରକରେ Chiripal Poly Films ₹୧,୧୨୫ କୋଟିରେ OHT Tire Manufacturing Unit କରିବ। ଗଞ୍ଜାମରେ Grasim Industries ₹୧,୪୨୫ କୋଟିରେ Chemical Products Manufacturing Plant ସ୍ଥାପନ କରିବ।
ଏହା ବ୍ୟତୀତ ଢେଙ୍କାନାଳରେ Talcher Gasifier and Chemicals ପକ୍ଷରୁ ₹୧,୭୫୦ କୋଟିର ରାସାୟନିକ ଉତ୍ପାଦନ ୟୁନିଟ୍ ଏବଂ ଯାଜପୁରରେ Tata Steel ପକ୍ଷରୁ ୭ MTPA କ୍ଷମତାର Iron Ore Grinding Unit ଓ Slurry Pipeline ପାଇଁ ₹୩,୩୨୯ କୋଟିର ପ୍ରକଳ୍ପ ଅନୁମୋଦିତ ହୋଇଛି।
୧୫ ଜିଲ୍ଲାରେ ପହଞ୍ଚିବ ନିବେଶ
ଏହି ୨୭ଟି ପ୍ରକଳ୍ପ ଅନୁଗୋଳ, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୂଆପଡ଼ା, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼—ଏହି ୧୫ଟି ଜିଲ୍ଲାରେ ଆସିବ।
ସରକାରଙ୍କ ଅନୁସାରେ, ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଶିଳ୍ପ କ୍ଷେତ୍ରକୁ ଅଧିକ ବିବିଧ କରିବା ସହିତ ବିଭିନ୍ନ ଅଞ୍ଚଳରେ ଶିଳ୍ପାୟନକୁ ବଢ଼ାଇବାରେ ସହାୟକ ହେବ।
‘ସନ୍ତୁଳିତ ଶିଳ୍ପ ବିକାଶ ଆମର ପ୍ରାଥମିକତା’
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ୪୬ତମ HLCAରେ ମଞ୍ଜୁରି ପାଇଥିବା ପ୍ରକଳ୍ପର ପରିମାଣ ଓ ବିବିଧତା ରାଜ୍ୟ ପ୍ରତି ନିବେଶକଙ୍କ ଆଗ୍ରହକୁ ପ୍ରତିଫଳିତ କରୁଛି। ଡାଟା ସେଣ୍ଟର, AI ଓ ସେମିକଣ୍ଡକ୍ଟର ଭଳି ନୂଆ କ୍ଷେତ୍ର ସହିତ ସବୁଜ ଶକ୍ତି, ଉନ୍ନତ ଉତ୍ପାଦନ, ଇସ୍ପାତ ଓ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ରରେ ମଧ୍ୟ ନିବେଶ ବଢ଼ୁଛି ବୋଲି ସେ କହିଛନ୍ତି।
ରାଜ୍ୟରେ ସନ୍ତୁଳିତ ଆଞ୍ଚଳିକ ଶିଳ୍ପ ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଥିବା ସହିତ ନିବେଶକଙ୍କ ପାଇଁ ସ୍ୱଚ୍ଛ, ଉତ୍ତରଦାୟୀ ଓ ଅନୁକୂଳ ପରିବେଶ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
