Home Featuredପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି; ପ୍ରକାଶ ପାଇଲା ସଂରକ୍ଷଣ ତାଲିକା, ଘରକୁ ଘର ସର୍ଭେ ହେବ

ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି; ପ୍ରକାଶ ପାଇଲା ସଂରକ୍ଷଣ ତାଲିକା, ଘରକୁ ଘର ସର୍ଭେ ହେବ

by Lokanath Panigrahi
0 comments

ରାଜ୍ୟରେ ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ପୌରାଞ୍ଚଳ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବା ବେଳେ, ଏହା ପରେ ୱାର୍ଡ ଭିତ୍ତିକ ଘରକୁ ଘର ସର୍ଭେ କରାଯିବ। ଏହି ସର୍ଭେ ମାଧ୍ୟମରେ ଭୋଟରମାନଙ୍କୁ ସଠିକ୍ ୱାର୍ଡ ଓ ବୁଥରେ ସାମିଲ କରିବାକୁ ଆୟୋଗ ଯୋଜନା କରିଛନ୍ତି।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାଶଙ୍କ ସୂଚନା ଅନୁଯାୟୀ, ପୌର ନିର୍ବାଚନ ପାଇଁ ପ୍ରାୟ ୧୨ ହଜାର ଇଭିଏମ ଉପଲବ୍ଧ ଥିବା ବେଳେ ଆହୁରି ୬ ହଜାର ନୂଆ ଇଭିଏମ ଆବଶ୍ୟକ ହେବ। ଏନଏସିର ପ୍ରତ୍ୟେକ ୱାର୍ଡ ପାଇଁ ଗୋଟିଏ ବୁଥ ବ୍ୟବସ୍ଥା କରାଯିବ।

ଆୟୋଗର ପ୍ରାଥମିକ ଯୋଜନା ଅନୁସାରେ, ୨୦୨୭ ମାର୍ଚ୍ଚରେ ପୌର ଓ ପଞ୍ଚାୟତ ନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇବ। ଏପ୍ରିଲ କିମ୍ବା ମେ ମାସରେ ଉଭୟ ନିର୍ବାଚନ ପ୍ରାୟ ଏକାସାଙ୍ଗରେ ଅନୁଷ୍ଠିତ ହେବ ଏବଂ ଜୁନ୍ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସେପ୍ଟେମ୍ବରରେ SIR (Special Intensive Revision) ପ୍ରକ୍ରିୟା ସମାପ୍ତ ହେବା ପରେ ଅକ୍ଟୋବରରୁ ଘରକୁ ଘର ସର୍ଭେ ଆରମ୍ଭ ହେବ। ଏହା ପ୍ରଥମ ଥର ପାଇଁ କରାଯାଉଥିବା ବ୍ୟବସ୍ଥା, ଯାହା ମାଧ୍ୟମରେ ୱାର୍ଡ ସୀମା ଓ ଭୋଟର ତାଲିକାରେ ଥିବା ତ୍ରୁଟିକୁ ଦୂର କରାଯିବ। ଲକ୍ଷ୍ୟ ରହିଛି, ପ୍ରତ୍ୟେକ ଭୋଟର ନିଜ ୱାର୍ଡର ନିର୍ଦ୍ଧାରିତ ବୁଥରେ ହିଁ ଭୋଟ ଦେଇପାରିବେ।

ରାଜ୍ୟର ୧୪୩ଟି ପୌରସଂସ୍ଥା, ଏନଏସି ଓ ମ୍ୟୁନିସିପାଲ କର୍ପୋରେସନରେ ନିର୍ବାଚନ ହେବ। ସମ୍ବଲପୁର ମହାନଗର ନିଗମ ସମ୍ବନ୍ଧୀୟ ହାଇକୋର୍ଟ ମାମଲାର ସମାଧାନ ହୋଇଥିବା ସହ ଏନେଇ ଆବଶ୍ୟକ ଆଦେଶ ମଧ୍ୟ ଜାରି ହୋଇସାରିଛି ବୋଲି ସଚିବ ସୂଚନା ଦେଇଛନ୍ତି।

ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ ଆୟୋଗ RDC ଓ ଜିଲ୍ଲାପାଳମାନଙ୍କ ସହ ବୈଠକ କରିସାରିଛନ୍ତି। ଆସନ୍ତା ୨୧ ତାରିଖରେ ପୁଣି ଏକ ସମୀକ୍ଷା ବୈଠକ ହେବ। ବିଭିନ୍ନ ପ୍ରକାରର ବାଲାଟ ପେପର ମୁଦ୍ରଣ ପାଇଁ ସରକାରୀ ମୁଦ୍ରଣ ସଂସ୍ଥାକୁ ମଧ୍ୟ ଚିଠି ପଠାଯାଇଛି।

ଏପଟେ, ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡି ୭୬୬ଟି ଜିଲ୍ଲା ପରିଷଦ ଆସନ ଜିତି ସମସ୍ତ ଜିଲ୍ଲା ପରିଷଦ ଦଖଲ କରିଥିଲା। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟର ପଞ୍ଚାୟତ ରାଜନୀତିର ସମୀକରଣ ବଦଳିଥିବା ଚର୍ଚ୍ଚା ହେଉଛି। ବିଭିନ୍ନ ରାଜନୈତିକ ଦଳ ଗ୍ରାମାଞ୍ଚଳରେ ସଂଗଠନ ସୁଦୃଢ଼ କରିବାରେ ଲାଗିପଡ଼ିଥିବା ବେଳେ, ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ରାଜ୍ୟର ରାଜନୈତିକ ପରିବେଶ ଧୀରେ ଧୀରେ ସରଗରମ ହେବାର ସମ୍ଭାବନା ଦେଖାଯାଉଛି।

You may also like

Leave a Comment