Home Featuredଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଦର୍ଶରୁ ଯୁବପିଢ଼ି ପ୍ରେରଣା ନେବା ଆବଶ୍ୟକ: ମନମୋହନ ସାମଲ

ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଦର୍ଶରୁ ଯୁବପିଢ଼ି ପ୍ରେରଣା ନେବା ଆବଶ୍ୟକ: ମନମୋହନ ସାମଲ

by Lokanath Panigrahi
0 comments

ଭୁବନେଶ୍ୱର, ଜୁଲାଇ ୬: ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୀବନ ଓ କାର୍ଯ୍ୟ ଦେଶପ୍ରେମ, ରାଷ୍ଟ୍ରବାଦ ଏବଂ ଜନସେବାର ଏକ ଉଜ୍ଜ୍ୱଳ ଉଦାହରଣ ବୋଲି ଭାରତୀୟ ଜନତା ପାର୍ଟିର ଓଡ଼ିଶା ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ କହିଛନ୍ତି। ତାଙ୍କ ମତରେ, ଡ. ମୁଖାର୍ଜୀଙ୍କ ଆଦର୍ଶ, ଦୂରଦୃଷ୍ଟି ଓ ରାଷ୍ଟ୍ରହିତ ପ୍ରତି ନିଷ୍ଠା ସମ୍ପର୍କରେ ବର୍ତ୍ତମାନର ଯୁବପିଢ଼ି ଅବଗତ ହେବା ସମୟର ଆବଶ୍ୟକତା।

ଭୁବନେଶ୍ୱରସ୍ଥିତ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ତାଙ୍କ ୧୨୫ତମ ଜନ୍ମଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସାମଲ କହିଥିଲେ ଯେ, ଡ. ମୁଖାର୍ଜୀ ଶିକ୍ଷା, ଆଇନ ଓ ରାଜନୀତି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଅଳ୍ପ ବୟସରେ ବିଶ୍ୱବିଦ୍ୟାଳୟର କୁଳପତି ହେବା ସହ ସ୍ୱାଧୀନ ଭାରତର ପ୍ରଥମ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଭାବେ ସେ ଦେଶର ଶିଳ୍ପ ବିକାଶ ନୀତି ପ୍ରସ୍ତୁତିରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ।

ସେ କହିଥିଲେ ଯେ, ଦେଶର ଏକତା, ଅଖଣ୍ଡତା ଓ ଜାତୀୟ ସ୍ୱାର୍ଥ ପ୍ରସଙ୍ଗରେ ଡ. ମୁଖାର୍ଜୀ ସଦା ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିଥିଲେ। ଜାମ୍ମୁ-କାଶ୍ମୀର ପାଇଁ ପୃଥକ୍ ବ୍ୟବସ୍ଥାର ବିରୋଧ କରି ସେ “ଏକ ଦେଶ, ଏକ ବିଧାନ, ଏକ ପ୍ରଧାନ ଓ ଏକ ନିଶାନ”ର ଧାରଣାକୁ ସମର୍ଥନ କରିଥିଲେ। ୧୯୫୧ ମସିହାରେ ପ୍ରତିଷ୍ଠିତ ଭାରତୀୟ ଜନସଂଘ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟିରେ ପରିଣତ ହୋଇ ଆଜି ଦେଶର ଏକ ପ୍ରମୁଖ ରାଜନୈତିକ ଦଳ ଭାବେ ସ୍ଥାନ ପାଇଛି ବୋଲି ସେ କହିଥିଲେ।

ଶ୍ରୀ ସାମଲ ସୂଚନା ଦେଇଥିଲେ ଯେ, ଡ. ମୁଖାର୍ଜୀଙ୍କ ବଳିଦାନ ଦିବସରୁ ଜନ୍ମଜୟନ୍ତୀ ପର୍ଯ୍ୟନ୍ତ ସାରା ରାଜ୍ୟରେ ସ୍ମୃତିପକ୍ଷ ପାଳନ କରାଯାଇଛି। ଏହି ଅବସରରେ ବିଭିନ୍ନ ବୁଥ୍‌, ମଣ୍ଡଳ ଓ ଜିଲ୍ଲାସ୍ତରରେ ଆଲୋଚନାଚକ୍ର, ଶ୍ରଦ୍ଧାଞ୍ଜଳି ସଭା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆଗାମୀ ଦିନରେ ମଧ୍ୟ ତାଙ୍କ ଜୀବନ ଓ ଅବଦାନକୁ ନେଇ ବିଭିନ୍ନ ସ୍ଥାନରେ ଆଲୋଚନା ଜାରି ରହିବ ବୋଲି ସେ କହିଥିଲେ।

ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ବୃକ୍ଷରୋପଣ ମଧ୍ୟ କରିଥିଲେ।

କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ବିଧାୟକ ବାବୁ ସିଂ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ବିଜେପିର ବହୁ ପଦାଧିକାରୀ ଓ କର୍ମୀ ଉପସ୍ଥିତ ଥିଲେ।

You may also like

Leave a Comment