₹୩,୯୦୭ କୋଟିର ଦୁଇଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପ, ଓଡ଼ିଶାର ଶିଳ୍ପ ଓ ଲଜିଷ୍ଟିକ୍ସ କ୍ଷେତ୍ରକୁ ମିଳିବ ନୂଆ ଗତି
ଭୁବନେଶ୍ୱର: ଓଡ଼ିଶାର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ପାରାଦୀପ–ହରିଦାସପୁର ରେଳପଥ ଡବଲିଂ ପ୍ରକଳ୍ପ ସହ ରାଜଖରସୱାନ–ଡାଙ୍ଗୋଆପୋସି ଚତୁର୍ଥ ରେଳ ଲାଇନ୍ ପ୍ରକଳ୍ପକୁ ମଞ୍ଜୁରି ଦେଇଛି। ଏହି ଦୁଇଟି ପ୍ରକଳ୍ପ ଓଡ଼ିଶା ଓ ଝାଡ଼ଖଣ୍ଡର ଚାରୋଟି ଜିଲ୍ଲାକୁ ସଂଯୋଗ କରିବା ସହ ଭାରତୀୟ ରେଳ ନେଟୱର୍କରେ ପ୍ରାୟ ୧୪୫ କିଲୋମିଟର ନୂତନ ମଲ୍ଟି-ଟ୍ରାକିଂ ସୁବିଧା ଯୋଡ଼ିବ।
ଏହି ପ୍ରକଳ୍ପଗୁଡ଼ିକ ପାଇଁ ପ୍ରାୟ ₹୩,୯୦୭ କୋଟି ବ୍ୟୟ ହେବ ଏବଂ ୨୦୩୦-୩୧ ସୁଦ୍ଧା କାମ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି।
ପାରାଦୀପ ବନ୍ଦରକୁ ମିଳିବ ବଡ଼ ସୁବିଧା
ପାରାଦୀପ–ହରିଦାସପୁର ରେଳପଥ ଡବଲିଂ ଫଳରେ ପାରାଦୀପ ବନ୍ଦରକୁ ରେଳ ସଂଯୋଗ ଆହୁରି ସୁଦୃଢ଼ ହେବ। ମାଲବାହୀ ଟ୍ରେନ୍ର ଚଳାଚଳ ବଢ଼ିବା ସହ ଯାତାୟାତ ଜନିତ ସମସ୍ୟା କମିବ। ଶିଳ୍ପ ସଂସ୍ଥା, ବନ୍ଦର ଏବଂ ବ୍ୟବସାୟୀମାନେ ଦ୍ରୁତ ଓ ସୁଗମ ପରିବହନ ସୁବିଧା ପାଇବେ।
୧୫୨୬ଟି ଗାଁକୁ ମିଳିବ ଲାଭ
ଏହି ଦୁଇଟି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧,୫୨୬ଟି ଗାଁ ଏବଂ ପ୍ରାୟ ୧୪ ଲକ୍ଷ ଜନସଂଖ୍ୟା ଉନ୍ନତ ରେଳ ସଂଯୋଗର ସୁବିଧା ପାଇବେ। ସେହିପରି ପ୍ରତିବର୍ଷ ଅତିରିକ୍ତ ୪୪ ମିଲିୟନ ଟନ୍ ମାଲ ପରିବହନ କ୍ଷମତା ସୃଷ୍ଟି ହେବ।
ପିଏମ୍ ଗତିଶକ୍ତି ଯୋଜନାକୁ ମିଳିବ ବଳ
ଏହି ପ୍ରକଳ୍ପଗୁଡ଼ିକ ପିଏମ୍ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ୍ ଅଧୀନରେ ଓଡ଼ିଶାକୁ ଏକ ପ୍ରମୁଖ ଲଜିଷ୍ଟିକ୍ସ ଓ ଶିଳ୍ପ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ ସହାୟକ ହେବ। ଏହା ଦ୍ୱାରା ଶିଳ୍ପ, ବାଣିଜ୍ୟ, ରପ୍ତାନି, ନିଯୁକ୍ତି ଏବଂ ଆଞ୍ଚଳିକ ଅର୍ଥନୀତିକୁ ନୂଆ ଗତି ମିଳିବ।
ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା
ଏହି ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପ ଓଡ଼ିଶାର ରେଳ ଭିତ୍ତିଭୂମିକୁ ନୂଆ ଶକ୍ତି ଦେବା ସହ ରାଜ୍ୟର ଶିଳ୍ପ, ବନ୍ଦର, ଲଜିଷ୍ଟିକ୍ସ ଏବଂ ସାମଗ୍ରିକ ଅର୍ଥନୈତିକ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ।
