ରାଜ୍ୟସ୍ତରୀୟ ବନ୍ୟଜୀବ ସପ୍ତାହ ୨୦୨୬ ପାଳିତ; ନୂଆ ଇକୋ-ଟୁରିଜିମ୍ ପ୍ରକଳ୍ପ, ପ୍ରକାଶନ ଓ ପର୍ଯ୍ୟଟକ ସୁବିଧାର ଲୋକାର୍ପଣ,ବନ୍ୟଜୀବ ସୁରକ୍ଷା, ବୈଜ୍ଞାନିକ ଗବେଷଣା, ପରିବେଶ ସଚେତନତା ଓ ଦାୟିତ୍ୱପୂର୍ଣ୍ଣ ଇକୋ-ଟୁରିଜିମ୍କୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ କନଭେନ୍ସନ୍ ସେଣ୍ଟରରେ ରାଜ୍ୟସ୍ତରୀୟ ବନ୍ୟଜୀବ ସପ୍ତାହ–୨୦୨୬ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ମନ୍ତ୍ରୀ କହିଥିଲେ, ବନ୍ୟଜୀବ ସପ୍ତାହ କେବଳ ପଶୁପକ୍ଷୀ ପ୍ରତି ଭଲପାଇବା ପ୍ରକାଶର ଅବସର ନୁହେଁ, ବରଂ ପ୍ରକୃତି ଓ ମଣିଷ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ ବନ୍ୟଜୀବ ସୁରକ୍ଷା ପ୍ରତି ନୂଆ ସଙ୍କଳ୍ପ ନେବାର ସମୟ। ଗତ ଦୁଇ ବର୍ଷରେ ଓଡ଼ିଶା ବନ୍ୟଜୀବ ସୁରକ୍ଷା କ୍ଷେତ୍ରରେ ବହୁ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାବେଳେ ଏଥିରେ ବୈଜ୍ଞାନିକ ପଦ୍ଧତି, ଆଧୁନିକ ପ୍ରଯୁକ୍ତି, ପ୍ରଶାସନିକ ପଦକ୍ଷେପ ସହ ବନ କର୍ମଚାରୀ ଓ ସ୍ଥାନୀୟ ସମୁଦାୟର ବଡ଼ ଅବଦାନ ରହିଛି।
କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲା CM-GROW (Chief Minister’s Grant for Research on Odisha’s Wildlife)ର ଶୁଭାରମ୍ଭ। ଏହି ଯୋଜନା ମାଧ୍ୟମରେ ଓଡ଼ିଶାର ବନ୍ୟଜୀବ ସମ୍ପର୍କିତ ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ସୁରକ୍ଷା ପଦକ୍ଷେପକୁ ଆହୁରି ବୈଜ୍ଞାନିକ ଭିତ୍ତି ଦେବା ଲକ୍ଷ୍ୟ ରହିଛି।
ଏହି ଅବସରରେ ରାଜ୍ୟର ଅନେକ ନୂଆ ଦିନିକିଆ ଇକୋ-ଟୁରିଜିମ୍ ଗନ୍ତବ୍ୟସ୍ଥଳର ଅନ୍ଲାଇନ୍ ଉଦଘାଟନ କରାଯାଇଥିଲା। ଚନ୍ଦକା ବନ୍ୟଜୀବ ବିଭାଗର ପିକକ୍ ଭ୍ୟାଲି ଓ ନାଗେଶ୍ୱର ଡ୍ୟାମ୍, ସିମିଳିପାଳ ଉତ୍ତର ବନ୍ୟଜୀବ ବିଭାଗର କିଛି ସ୍ଥାନ, ଚିଲିକା ବନ୍ୟଜୀବ ବିଭାଗର କରାଖୋଲ, ସମ୍ବଲପୁର ଚିଡ଼ିଆଖାନା ଏବଂ ହୀରାକୁଦ ବନ୍ୟଜୀବ ବିଭାଗର ପର୍ଯ୍ୟଟକ ସୁବିଧାକୁ ଲୋକାର୍ପିତ କରାଯାଇଥିଲା।
ସେହିପରି ଚିଲିକା ବନ୍ୟଜୀବ ବିଭାଗର ରାଜହଂସ, କୋରାପୁଟ ବନ ବିଭାଗର ରାଣୀ ଦୁଦୁମା, ମହାନଦୀ ବନ୍ୟଜୀବ ବିଭାଗର ବଡ଼ମୂଳ, ରାଜନଗର ବନ୍ୟଜୀବ ବିଭାଗର ପେଣ୍ଠ ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନୂଆ ସୁବିଧା ପାଇଁ ଭର୍ଚୁଆଲ୍ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।
କାର୍ଯ୍ୟକ୍ରମରେ ‘The Biodiversity of Eastern Ghats’ ଚଳଚ୍ଚିତ୍ରକୁ ଲୋକାର୍ପଣ କରାଯାଇଥିଲା। ପୂର୍ବଘାଟ ପର୍ବତମାଳାର ସମୃଦ୍ଧ ଜୈବବିବିଧତା ଓ ପରିବେଶୀୟ ଗୁରୁତ୍ୱକୁ ଏଥିରେ ଉପସ୍ଥାପନ କରାଯାଇଛି। ‘The Intertidal Ecosystem of Bhitarkanika’ ସହ ଅନେକ ପ୍ରକାଶନ ଓ ବୈଷୟିକ ଦଲିଲ ମଧ୍ୟ ଉନ୍ମୋଚିତ ହୋଇଛି।
ଏଥିରେ ‘Wildlife Odisha–2026’, ‘The Long Walk to Similipal’, ‘Explore Odisha’, ‘Orchid Genera of Odisha in Pictures’, ‘ମହାନଦୀରେ ଘଡ଼ିଆଳର ଜୀବନୀ’, ‘Tracking the Ocean Wanderers’ ଏବଂ ‘Two Flamingos Two Journeys’ ଭଳି ପୁସ୍ତକ ଓ ରିପୋର୍ଟ ସାମିଲ ଥିଲା। ଏହି ପ୍ରକାଶନଗୁଡ଼ିକରେ ରାଜ୍ୟର ଜୈବବିବିଧତା, ବନ୍ୟଜୀବ ଗବେଷଣା, ଇକୋ-ଟୁରିଜିମ୍ ସମ୍ଭାବନା ଓ ବିଭିନ୍ନ ପ୍ରଜାତିର ସ୍ୟାଟେଲାଇଟ୍ ଟେଲିମେଟ୍ରି ଅଧ୍ୟୟନକୁ ସ୍ଥାନ ଦିଆଯାଇଛି।
ମଣିଷ-ବନ୍ୟଜୀବ ସଂଘର୍ଷରେ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ପୀଡ଼ିତ ପରିବାରମାନଙ୍କୁ ମଧ୍ୟ ଏହି ଅବସରରେ ଅନୁମୋଦନ ପତ୍ର ଓ ଚେକ୍ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା, PCCF ଓ HoFF ଡ. କେ. ମୁରୁଗେସନ୍, PCCF (Wildlife) ଓ Chief Wildlife Warden ପ୍ରେମ କୁମାର ଝା, Additional PCCF (Wildlife) ଡ. ମନୋଜ ଭି. ନାୟରଙ୍କ ସହ ବରିଷ୍ଠ ଅଧିକାରୀ, ପରିବେଶବିତ୍ ଓ ବନ୍ୟଜୀବ ପ୍ରେମୀମାନେ ଯୋଗଦେଇଥିଲେ।
