ଶ୍ରୀଜଗନ୍ନାଥ ସଂସ୍କୃତିରେ ମାହାରୀ ବା ଦେବଦାସୀ ପରମ୍ପରା ଏକ ସ୍ୱତନ୍ତ୍ର ଅଧ୍ୟାୟ। ମହାପ୍ରଭୁଙ୍କ ସେବାକୁ ଜୀବନର ଏକମାତ୍ର ଲକ୍ଷ୍ୟ ମାନି ଏହି ମହିଳାମାନେ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ଭକ୍ତି ଅର୍ପଣ କରୁଥିଲେ। ଶ୍ରୀମନ୍ଦିରର ପାରମ୍ପରିକ ୧୧୯ଟି ସେବା ମଧ୍ୟରେ ମାହାରୀ ସେବା ଏକମାତ୍ର ମହିଳା ସେବା ଭାବେ ପରିଚିତ ଥିଲା।
ଇତିହାସବିଦ୍ ଓ ଗବେଷକଙ୍କ ମତାନୁସାରେ, ଗଜପତି ପ୍ରତାପରୁଦ୍ର ଦେବଙ୍କ ଶାସନକାଳରୁ ଏହି ପରମ୍ପରାର ସ୍ପଷ୍ଟ ପ୍ରମାଣ ମିଳିଥାଏ। ଜୟ-ବିଜୟ ଦ୍ୱାରର ଗୀତଗୋବିନ୍ଦ ଶିଳାଲେଖ ଏବଂ ଶ୍ରୀମନ୍ଦିରର ପୁରାତନ ଅଭିଲେଖରେ ମାହାରୀ ସେବା ସମ୍ପର୍କରେ ଉଲ୍ଲେଖ ରହିଛି। ବିଷ୍ଣୁ ମନ୍ଦିରମାନଙ୍କ ମଧ୍ୟରେ ଶ୍ରୀମନ୍ଦିରରେ ମହିଳାଙ୍କୁ ଏଭଳି ନୃତ୍ୟ ଓ ସଙ୍ଗୀତ ସେବାର ସୁଯୋଗ ମିଳିବା ଏକ ଅପୂର୍ବ ପରମ୍ପରା ଥିଲା।
ମାହାରୀଙ୍କ ବିଭିନ୍ନ ଶ୍ରେଣୀ
ସେବାର ପ୍ରକୃତି ଅନୁଯାୟୀ ମାହାରୀମାନଙ୍କୁ ବାହାର ଗାଆଣୀ, ଭିତର ଗାଆଣୀ, ନାଚୁଣୀ, ପଟୁଆର, ରାଜଅଙ୍ଗିଲା ଏବଂ ରୁଦ୍ରଗଣିକା ପରି ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଉଥିଲା। ପ୍ରତ୍ୟେକଙ୍କର ସେବାର ସମୟ ଓ ଦାୟିତ୍ୱ ଅଲଗା ଥିଲା।
ଦୈନିକ ଓ ପାର୍ବଣ ସେବା
ମାହାରୀମାନେ ଜଗମୋହନରେ ନୃତ୍ୟ ପରିବେଷଣ କରିବା ସହିତ ବଡ଼ସିଂହାର ନୀତି ସମୟରେ ଗୀତଗୋବିନ୍ଦ ଗାନ କରୁଥିଲେ। ଚନ୍ଦନ ଯାତ୍ରା, ରୁକ୍ମିଣୀ ବିବାହ, ନୀଳାଦ୍ରି ବିଜେ, ଗୁଣ୍ଡିଚା ଯାତ୍ରା, ସ୍ନାନଯାତ୍ରା, ନବକଳେବର, ବିମଳା ପୂଜା ସହ ଅନେକ ବିଶେଷ ଅବସରରେ ସେମାନଙ୍କ ସେବା ଅପରିହାର୍ଯ୍ୟ ଥିଲା। କିଛି ଧାର୍ମିକ ଆଚାରରେ ଯେଉଁଠାରେ ସାଧାରଣ ମହିଳାଙ୍କ ପ୍ରବେଶ ନଥିଲା, ସେଠାରେ ମାହାରୀମାନେ ସେବା ପାଇଁ ଅନୁମତି ପାଉଥିଲେ।
କଠୋର ନିୟମ ଓ ସରଳ ଜୀବନ
ମାହାରୀ ହେବା ପାଇଁ ନୃତ୍ୟ ଓ ସଙ୍ଗୀତରେ ପାରଦର୍ଶିତା ଆବଶ୍ୟକ ଥିଲା। ସେମାନେ ଅବିବାହିତ ରହି ନିଜ ଜୀବନକୁ ମହାପ୍ରଭୁଙ୍କ ସେବାରେ ସମର୍ପିତ କରୁଥିଲେ। ସେବା ବଦଳରେ ପ୍ରସାଦ ଓ କିଛି ପାରମ୍ପରିକ ପ୍ରାପ୍ୟ ମିଳୁଥିଲା। ନାଚପାଳି ଥିଲେ ଅତିରିକ୍ତ ଭାବେ ‘ମାଠପୁଳି’ ମଧ୍ୟ ପ୍ରଦାନ କରାଯାଉଥିଲା।
ଧୀରେ ଧୀରେ ଲୋପ ପାଇଲା ପରମ୍ପରା
ସମୟ ସହିତ ସାମାଜିକ ପରିବର୍ତ୍ତନ, ଆର୍ଥିକ ଅନିଶ୍ଚିତତା ଓ ପ୍ରୋତ୍ସାହନର ଅଭାବ ଯୋଗୁଁ ମାହାରୀ ପରମ୍ପରା କ୍ରମେ କ୍ଷୀଣ ହେବାକୁ ଲାଗିଲା। ବିଶ ଶତାବ୍ଦୀର ମଧ୍ୟଭାଗରେ ମଧ୍ୟ କେତେକ ଦେବଦାସୀ ସେବାରେ ନିୟୋଜିତ ଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ସଂଖ୍ୟା ନିରନ୍ତର କମିଗଲା।
ଶେଷ ଜୀବନରେ ଅଧିକାଂଶ ମାହାରୀ ଆର୍ଥିକ ସଙ୍କଟରେ ଦିନ କାଟିଥିବା କଥା ବିଭିନ୍ନ ଗବେଷଣାରେ ଉଲ୍ଲେଖ ରହିଛି। ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଭତ୍ତା କିମ୍ବା ସାମାଜିକ ସୁରକ୍ଷା ବ୍ୟବସ୍ଥା ନଥିବାରୁ ପରମ୍ପରାକୁ ଆଗକୁ ନେବା ପ୍ରତି ଆଗ୍ରହ କମିଯାଇଥିଲା।
ପୁନରୁଜ୍ଜୀବନର ପ୍ରୟାସ
୧୯୯୦ ଦଶକରେ ଏହି ପରମ୍ପରାକୁ ପୁଣି ଜୀବନ୍ତ କରିବା ପାଇଁ କିଛି ଉଦ୍ୟମ ହୋଇଥିଲେ ମଧ୍ୟ ବିଭିନ୍ନ ମତଭେଦ ଓ ବିବାଦ କାରଣରୁ ତାହା ସଫଳ ହୋଇପାରିନଥିଲା। ଫଳରେ ଶତାବ୍ଦୀ ପୁରୁଣା ଏହି ଐତିହ୍ୟ କେବଳ ଇତିହାସ ଓ ଗବେଷଣାର ବିଷୟ ହୋଇ ରହିଗଲା।
ଆଜି ମାହାରୀ ପରମ୍ପରା ଆଉ ଚଳିତ ନଥିଲେ ମଧ୍ୟ ଏହା ଶ୍ରୀଜଗନ୍ନାଥ ସଂସ୍କୃତି, ଓଡ଼ିଶୀ ନୃତ୍ୟ ଓ ଓଡ଼ିଶାର ଧାର୍ମିକ ଐତିହ୍ୟର ଏକ ଅମୂଲ୍ୟ ଅଧ୍ୟାୟ ଭାବେ ସ୍ମରଣୀୟ ହୋଇ ରହିଛି।
