କେନ୍ଦୁଝର: ସମଗ୍ର ରାଜ୍ୟ ତଥା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ଜିତୁ ମୁଣ୍ଡା କଙ୍କାଳ ବୋହିବା ଘଟଣାରେ କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମାମଲାର ତଦନ୍ତ ପରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ମଲ୍ଲୀପଶି ଶାଖା ପ୍ରବନ୍ଧକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।
କିଛି ଦିନ ତଳେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ମଲ୍ଲୀପଶି ଅଞ୍ଚଳରେ ଘଟିଥିବା ଏହି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ନିଜ ମୃତ ଭଉଣୀଙ୍କ ବ୍ୟାଙ୍କ ଖାତାରୁ ଜମା ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ବ୍ୟାଙ୍କକୁ ଯାଇଥିଲେ। ମାତ୍ର ମୃତ୍ୟୁ ପ୍ରମାଣପତ୍ର ନଥିବା ଦର୍ଶାଇ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ଆବେଦନ ଗ୍ରହଣ କରିନଥିଲେ ଏବଂ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରିବାକୁ କହିଥିଲେ।
ଏହାପରେ ଜିତୁ ମୁଣ୍ଡା ନିଜ ଭଉଣୀଙ୍କ କଙ୍କାଳ ନେଇ ବ୍ୟାଙ୍କରେ ପହଞ୍ଚିଥିଲେ। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଏବଂ ପ୍ରଶାସନିକ ବ୍ୟବସ୍ଥା ଓ ସେବା ପ୍ରଦାନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଥିଲା।
ଘଟଣାର ତଦନ୍ତ ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ଓ ସମ୍ବେଦନଶୀଳତାର ଅଭାବ ସ୍ପଷ୍ଟ ହୋଇଥିବା କୁହାଯାଇଛି। ଉତ୍ତରାଞ୍ଚଳ ଆରଡିସି ମଧ୍ୟ ଏହି ଘଟଣାରେ ବ୍ୟାଙ୍କର ଭୂମିକା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ମୃତ୍ୟୁ ପ୍ରମାଣପତ୍ର ପ୍ରଦାନରେ ଅଯଥା ବିଳମ୍ବ ଘଟିଥିଲା ଏବଂ ଜିତୁ ମୁଣ୍ଡାଙ୍କୁ ଆବଶ୍ୟକ ସହଯୋଗ ମିଳିନଥିଲା।
ସେହିପରି, ବ୍ୟାଙ୍କରୁ କଙ୍କାଳ ନେଇ ଫେରୁଥିବା ବେଳେ ଜିତୁ ମୁଣ୍ଡାଙ୍କୁ ପରିବହନ ସୁବିଧା ଯୋଗାଇ ନଦେବା ଘଟଣାରେ ପୋଲିସ ପ୍ରଶାସନର ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।
ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ରିପୋର୍ଟ ଆଧାରରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ମଲ୍ଲୀପଶି ଶାଖା ପ୍ରବନ୍ଧକଙ୍କୁ ନିଲମ୍ବନ କରାଯାଇଛି। ଏହି ପଦକ୍ଷେପକୁ ଘଟଣା ପ୍ରତି ପ୍ରଶାସନର ଜବାବଦେହିତା ଓ ସମ୍ବେଦନଶୀଳତାର ପ୍ରତିଫଳନ ବୋଲି ଦେଖାଯାଉଛି।
