Home Cultureଗୁଣ୍ଡିଚାଘରେ ପହଞ୍ଚିଲେ ତିନି ରଥ; ଆସନ୍ତାକାଲି ଚତୁର୍ଦ୍ଧାମୂରତିଙ୍କ ଆଡ଼ପ ମଣ୍ଡପ ବିଜେ

ଗୁଣ୍ଡିଚାଘରେ ପହଞ୍ଚିଲେ ତିନି ରଥ; ଆସନ୍ତାକାଲି ଚତୁର୍ଦ୍ଧାମୂରତିଙ୍କ ଆଡ଼ପ ମଣ୍ଡପ ବିଜେ

by Lokanath Panigrahi
0 comments

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଉତ୍ସାହ ମଧ୍ୟରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତିନି ରଥ ଶରଧାବାଲିରେ ପହଞ୍ଚିଛି। ଭକ୍ତମାନେ ଭାବର ଡୋରିରେ ମହାପ୍ରଭୁଙ୍କୁ ଜନ୍ମବେଦି ଗୁଣ୍ଡିଚା ମନ୍ଦିରକୁ ଆଣିଛନ୍ତି।

ଆଜି ସକାଳେ ପ୍ରଥମେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିବା ଆରମ୍ଭ କରିଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରଚିକୋଟ ଛକରୁ ଗଡ଼ିଥିଲା। “ଜୟ ମା’ ସୁଭଦ୍ରା” ଓ “ହରିବୋଲ” ଧ୍ୱନିରେ ସମଗ୍ର ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିବା ବେଳେ ଭକ୍ତମାନେ ଅପାର ଉତ୍ସାହର ସହ ରଥ ଟାଣିଥିଲେ। ଉଭୟ ରଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଶରଧାବାଲିରେ ପହଞ୍ଚିଥିଲା।

ଗତକାଲି ମାତ୍ର ଦୁଇ ହାତ ଗଡ଼ି ଅଟକି ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଜି ସକାଳେ ପୁଣି ଗଡ଼ିବା ଆରମ୍ଭ କରିଥିଲା। ଘଣ୍ଟ, ଘଣ୍ଟା ଓ ହରିବୋଲ ଧ୍ୱନିରେ ବଡ଼ଦାଣ୍ଡ ମୁଖରିତ ହୋଇଥିବା ବେଳେ ଲକ୍ଷଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ମହାବାହୁଙ୍କ ରଥ ଶେଷରେ ଶରଧାବାଲିରେ ପହଞ୍ଚିଥିଲା। ଗତକାଲି ଗୁମୁଟ ନିକଟରୁ ସିଂହଦ୍ୱାର ପର୍ଯ୍ୟନ୍ତ ଆସିବାରେ ଦୀର୍ଘ ସମୟ ଲାଗିଥିଲେ ମଧ୍ୟ ଆଜି କୌଣସି ବାଧା ବିନା ରଥ ନିର୍ଦ୍ଧାରିତ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଛି।

ତିନି ରଥ ଶରଧାବାଲିରେ ପହଞ୍ଚିବା ପରେ ଆସନ୍ତାକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂରତିଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ। ଏହି ନୀତି ପରେ ମହାପ୍ରଭୁ ଓ ସହୋଦର-ସହୋଦରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ଭକ୍ତମାନଙ୍କୁ ଦର୍ଶନ ଦେବେ।

You may also like

Leave a Comment