ଭୁବନେଶ୍ୱର, ୨୪ ଜୁଲାଇ: ଓଡ଼ିଶାର ଆଇଟି ଓ କୃତ୍ରିମ ବୁଦ୍ଧିମତ୍ତା (AI) କ୍ଷେତ୍ରରେ ବଡ଼ ପଦକ୍ଷେପ ନିଆଯାଇଛି। ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଶ୍ୱପ୍ରସିଦ୍ଧ HCLTech ଏବଂ ଦେଶର ସ୍ୱଦେଶୀ AI କମ୍ପାନୀ Sarvam AI ସହ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (MoU) ସ୍ୱାକ୍ଷର ହୋଇଛି। ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର, AI Park ଓ AI-Optimised Data Centre ସ୍ଥାପନ ହେବ।
ଏହି ପ୍ରକଳ୍ପରେ ପ୍ରାରମ୍ଭିକ ଭାବେ ୭୩୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଥିବାବେଳେ ଆଗାମୀ ୫ ବର୍ଷରେ ମୋଟ ୧୫ ହଜାର କୋଟି ଟଙ୍କାର ନିବେଶ ହେବ ବୋଲି ସୂଚନା ମିଳିଛି। ଏହା ସହିତ ୬,୦୦୦ରୁ ଅଧିକ ଉଚ୍ଚଶିକ୍ଷିତ ଯୁବକ-ଯୁବତୀଙ୍କ ପାଇଁ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଓଡ଼ିଶାରେ ଗଢ଼ିବ AI Park
MoU ଅନୁଯାୟୀ, HCLTech ଓଡ଼ିଶାରେ ନିଜର Global Delivery Centre ସ୍ଥାପନ କରିବ। ସେହିପରି HCLTech ଓ Sarvam AIର ସହଯୋଗରେ AI-Optimised Data Centre ନିର୍ମାଣ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ୱଦେଶୀ AI Park ମଧ୍ୟ ପ୍ରତିଷ୍ଠା କରାଯିବ, ଯେଉଁଠାରେ ଏହି Data Centre କାର୍ଯ୍ୟ କରିବ।
“ନୀତି ଆୟୋଗ ତାଲିକାରେ ଟପ୍-୩ରେ ପହଞ୍ଚିବା ଲକ୍ଷ୍ୟ”
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶା ଏବେ କେବଳ ଖଣିଜ ଶିଳ୍ପରେ ସୀମିତ ନୁହେଁ। ସେମିକଣ୍ଡକ୍ଟର, AI, IT, ଟେକ୍ସଟାଇଲ୍ ଓ ଫାର୍ମା ଭଳି ଉଦୀୟମାନ କ୍ଷେତ୍ରରେ ରାଜ୍ୟ ଦ୍ରୁତ ଅଗ୍ରଗତି କରୁଛି। ସମ୍ପ୍ରତି ନୀତି ଆୟୋଗର Investment Friendliness Index-2026ରେ ଓଡ଼ିଶା ଶୀର୍ଷ ୫ରେ ସ୍ଥାନ ପାଇଥିବାବେଳେ ଖୁବ୍ଶୀଘ୍ର Top-3ରେ ପହଞ୍ଚିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।
“ସ୍ୱଦେଶୀ AI ସର୍ଭମ ବିଶ୍ୱସ୍ତରୀୟ”
ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବରୁ ଭାରତ ବିଦେଶୀ AI ଉପରେ ନିର୍ଭର କରୁଥିଲା। କିନ୍ତୁ ବର୍ତ୍ତମାନ Sarvam AI ବିଶ୍ୱର ଯେକୌଣସି AI ପ୍ରଯୁକ୍ତି ସହ ପ୍ରତିଯୋଗିତା କରିବାର କ୍ଷମତା ରଖିଛି। ଏହାର ବ୍ୟବହାର କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରରେ ବଢ଼ାଯିବ।
ସେ ଆହୁରି କହିଛନ୍ତି, Sarvam AI ଓଡ଼ିଆ ସମେତ ଦେଶର ପ୍ରମୁଖ ଭାରତୀୟ ଭାଷାରେ AI Platform ଓ Application ବିକାଶ କରିସାରିଛି। ଓଡ଼ିଶାରେ AI Park ସ୍ଥାପନ ହେଲେ ଓଡ଼ିଆ ଭାଷାକୁ କେନ୍ଦ୍ର କରି AI ସେବା ବିକାଶରେ ରାଜ୍ୟ ଏକ ପ୍ରମୁଖ କେନ୍ଦ୍ର ପାଲଟିବ।
ଦୁଇ ବର୍ଷରେ ୨୦ ଲକ୍ଷ କୋଟିରୁ ଅଧିକ ନିବେଶ ପ୍ରସ୍ତାବ
ରାଜ୍ୟର ଶିଳ୍ପାୟନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଦୁଇ ବର୍ଷରେ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଆସିଛି। ସେଥିମଧ୍ୟରୁ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ଅନୁମୋଦିତ ହୋଇଥିବାବେଳେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇସାରିଛି। ନୂଆ ଶିଳ୍ପ ନୀତି, Single Window Clearance ଓ Land Bank ବ୍ୟବସ୍ଥା ଯୋଗୁଁ ପ୍ରକଳ୍ପ ଅନୁମୋଦନରୁ କାର୍ଯ୍ୟାରମ୍ଭ ପର୍ଯ୍ୟନ୍ତ ସମୟ ୧୦୦ ଦିନରୁ କମିଛି ବୋଲି ସେ କହିଛନ୍ତି।
HCLTechର ବଡ଼ ଘୋଷଣା
HCLTechର ଚେୟାରପର୍ସନ୍ ରୋଶନୀ ନାଦର ମାଲହୋତ୍ରା କହିଛନ୍ତି, ଓଡ଼ିଶାରେ ନିବେଶ ପାଇଁ କମ୍ପାନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରାଜ୍ୟ ସରକାରଙ୍କ ସହଯୋଗ ଓ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରି ସେ କହିଛନ୍ତି, ଓଡ଼ିଶାରେ ପ୍ରସ୍ତାବିତ AI Park ଦେଶର AI ଇକୋସିଷ୍ଟମ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
