ବର୍ତ୍ତମାନ କୃତ୍ରିମ ବୁଦ୍ଧିମତା (AI) ବ୍ୟବହାର କରିବା ମୋବାଇଲ୍ ଡାଟା ବ୍ୟବହାର କରିବା ଭଳି ସହଜ ହୋଇଯାଇଛି। ୨୦୨୬ ଷ୍ଟାନଫୋର୍ଡ AI ଇଣ୍ଡେକ୍ସ ରିପୋର୍ଟ ଅନୁସାରେ, ଆମେରିକା ଓ ଚୀନର ଶୀର୍ଷ AI ମଡେଲ୍ଗୁଡ଼ିକ ମଧ୍ୟରେ କାର୍ଯ୍ୟଦକ୍ଷତାର ବ୍ୟବଧାନ ଏବେ ମାତ୍ର ୨.୭ ପ୍ରତିଶତ ରହିଛି। ଚୀନର AI ମଡେଲ୍ଗୁଡ଼ିକ ରିଜନିଂ, କୋଡିଂ ଏବଂ ବହୁଭାଷୀ କ୍ଷମତାରେ ଆମେରିକୀୟ ମଡେଲ୍ର ପ୍ରାୟ ୯୦ରୁ ୯୫ ପ୍ରତିଶତ ସ୍ତରରେ ପହଞ୍ଚି ସାରିଛି। ଅନ୍ୟପଟେ, ଭାରତ ପାଖରେ ଏପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ଫ୍ରଣ୍ଟିୟର AI ମଡେଲ୍ ନାହିଁ।
ଚୀନ କିପରି AI କ୍ଷେତ୍ରରେ ଦ୍ୱିତୀୟ ସୁପରପାୱାର ହେଲା?
ଚୀନର AI ସଫଳତା ପଛରେ ଦୀର୍ଘମିଆଦି ଯୋଜନା, ବୃହତ୍ ନିବେଶ ଓ ଦୃଢ଼ ନୀତି ରହିଛି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଚୀନ ପ୍ରାୟ ୨ ଟ୍ରିଲିୟନ୍ ୟୁଆନ୍ (ପ୍ରାୟ ୨୯୫ ବିଲିୟନ୍ ଡଲାର୍) AI ଡାଟା ସେଣ୍ଟର ନିର୍ମାଣରେ ବିନିଯୋଗ କରିବାକୁ ଯୋଜନା କରିଛି। ବିଶେଷକରି DeepSeek, Alibabaର Qwen ଏବଂ Zhipu AIର GLM ଭଳି ଓପନ୍-ସୋର୍ସ ମଡେଲ୍ ବିଶ୍ୱବ୍ୟାପୀ ଡେଭଲପରଙ୍କ ମଧ୍ୟରେ ଦ୍ରୁତ ଲୋକପ୍ରିୟ ହୋଇଛି।
ଭାରତ କେଉଁଠି ରହିଛି?
ଷ୍ଟାନଫୋର୍ଡ ଗ୍ଲୋବାଲ୍ AI ଭାଇବ୍ରେନ୍ସି ଇଣ୍ଡେକ୍ସ-୨୦୨୬ ଅନୁଯାୟୀ, AI କ୍ଷେତ୍ରରେ ଆମେରିକା ଓ ଚୀନ ପରେ ଭାରତ ତୃତୀୟ ସ୍ଥାନରେ ରହିଛି।
ଭାରତରେ ପ୍ରାୟ ୯.୨ ଲକ୍ଷ AI ପେସାଦାର ଅଛନ୍ତି। ସେଥିରୁ ୨.୫୭ ଲକ୍ଷ କୋର୍ AI କ୍ଷେତ୍ରରେ କାର୍ଯ୍ୟରତ। ବିଶ୍ୱର ପ୍ରାୟ ୧୬ ପ୍ରତିଶତ AI କର୍ମଶକ୍ତି ଭାରତରେ ରହିଛି।
ଭାରତର AI ବଜାର ୨୦୨୪ରେ ୬ ବିଲିୟନ୍ ଡଲାର୍ ଥିବା ବେଳେ ୨୦୩୧ ସୁଦ୍ଧା ଏହା ୩୨ ବିଲିୟନ୍ ଡଲାର୍ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।
ଭାରତର ଚ୍ୟାଲେଞ୍ଜ କଣ?
ବିଶେଷଜ୍ଞଙ୍କ ମତରେ, AI କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଭାରତ ସମ୍ମୁଖରେ ତିନୋଟି ବଡ଼ ଚ୍ୟାଲେଞ୍ଜ ରହିଛି।
- ପର୍ଯ୍ୟାପ୍ତ GPU ଏବଂ କମ୍ପ୍ୟୁଟିଂ ଶକ୍ତିର ଅଭାବ।
- ଆମେରିକା ଓ ଚୀନ ତୁଳନାରେ କମ୍ ବିନିଯୋଗ।
- ଡାଟା ସେଣ୍ଟର କ୍ଷମତା ଏପର୍ଯ୍ୟନ୍ତ ସୀମିତ।
ଭାରତୀୟ କମ୍ପାନୀ କାହିଁକି ଚୀନର AI ବ୍ୟବହାର କରୁଛନ୍ତି?
ଅନେକ ଭାରତୀୟ ଷ୍ଟାର୍ଟଅପ୍ ବର୍ତ୍ତମାନ OpenAI ପରି ମହଙ୍ଗା AI ମଡେଲ୍ ବଦଳରେ ଚୀନର DeepSeek, Qwen ଓ Moonshot AI ଭଳି ମଡେଲ୍ ବ୍ୟବହାର କରୁଛନ୍ତି। କାରଣ ଏହି ମଡେଲ୍ଗୁଡ଼ିକର ଖର୍ଚ୍ଚ ବହୁତ କମ୍ ଥିବା ବେଳେ କାର୍ଯ୍ୟଦକ୍ଷତା ମଧ୍ୟ ପ୍ରାୟ ସମାନ ରହିଛି।
ଭାରତ AI ସୁପରପାୱାର ହୋଇପାରିବ କି?
ବିଶେଷଜ୍ଞଙ୍କ ମତରେ, ChatGPT କିମ୍ବା DeepSeek ଭଳି ବିଶ୍ୱର ଶୀର୍ଷ ଫ୍ରଣ୍ଟିୟର AI ମଡେଲ୍ ତିଆରି କରିବାରେ ଭାରତ ଏବେବି ପଛରେ ରହିଛି। ତେବେ ବାସ୍ତବ ଜୀବନର ସମସ୍ୟା ସମାଧାନ କରୁଥିବା AI ଆପ୍ଲିକେସନ୍ ବିକାଶ କରିବାରେ ଭାରତ ବିଶ୍ୱର ଅଗ୍ରଣୀ ଦେଶ ହୋଇପାରିବ।
ସରକାରଙ୍କ India AI Mission ଅଧୀନରେ ୨୦ଟି ସ୍ୱଦେଶୀ AI ମଡେଲ୍ ବିକାଶ କରାଯାଉଛି। ଏହାସହ AI ଇନ୍ଫ୍ରାଷ୍ଟ୍ରକ୍ଚର କ୍ଷେତ୍ରରେ ୭୦ ବିଲିୟନ୍ ଡଲାର୍ରୁ ଅଧିକ ବିନିଯୋଗ ସୁନିଶ୍ଚିତ ହୋଇଥିବା ବେଳେ ଆସନ୍ତା ୧୨ ମାସରେ ଆହୁରି ୫୦ ବିଲିୟନ୍ ଡଲାର୍ ନିବେଶ ଆସିବାର ଆଶା କରାଯାଉଛି।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦିଓ ଭାରତ ତୁରନ୍ତ GPT କିମ୍ବା DeepSeek ପରି ଫ୍ରଣ୍ଟିୟର AI ମଡେଲ୍ ତିଆରି କରିପାରିବ ନାହିଁ, ତଥାପି AI ଆଧାରିତ ସେବା ଓ ବ୍ୟବହାରିକ ସମାଧାନ ଯୋଗାଇବାରେ ବିଶ୍ୱର ଅଗ୍ରଣୀ କେନ୍ଦ୍ର ହେବାର ସମ୍ଭାବନା ରହିଛି।
