Home Featuredବନ୍ୟା ସ୍ଥିତି ଉପରେ ସରକାରଙ୍କ କଡ଼ା ନଜର, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଦିଆଯାଇଛି ସର୍ବାଧିକ ଗୁରୁତ୍ୱ

ବନ୍ୟା ସ୍ଥିତି ଉପରେ ସରକାରଙ୍କ କଡ଼ା ନଜର, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଦିଆଯାଇଛି ସର୍ବାଧିକ ଗୁରୁତ୍ୱ

by Shubham Kumar
0 comments

ଲଗାତାର ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନଜର ରଖିଛନ୍ତି। ପ୍ରଭାବିତ ଅଞ୍ଚଳର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିୟମିତ ଭାବେ ସମୀକ୍ଷା କରୁଥିବାବେଳେ, ପ୍ରଶାସନକୁ ଉଦ୍ଧାର, ସ୍ଥାନାନ୍ତରଣ ଓ ରିଲିଫ୍ କାର୍ଯ୍ୟରେ କୌଣସି ଅବହେଳା ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ହୋଇଥିବା ସମୀକ୍ଷା ବୈଠକରେ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ବନ୍ୟା ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଉପରେ ଜୋର ଦିଆଯାଇଛି। ଏହି ତିନି ଜିଲ୍ଲାରେ କାର୍ଯ୍ୟର ତଦାରଖ ପାଇଁ ତିନିଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି।

ରାଜ୍ୟର ବନ୍ୟା ସ୍ଥିତି ଉପରେ ଲଗାତାର ନଜର ରଖିବା ପାଇଁ SRC ନିୟନ୍ତ୍ରଣ କକ୍ଷ ଓ ଜରୁରୀକାଳୀନ ନିୟନ୍ତ୍ରଣ ବ୍ୟବସ୍ଥାକୁ ଦିନରାତି ସକ୍ରିୟ ରଖାଯାଇଛି। NDRF, ODRAF, ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଏବଂ ସହାୟତା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଏପଟେ ରାଜସ୍ୱ ମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ପ୍ରଶାସନିକ ଅଧିକାରୀଙ୍କୁ ତୁରନ୍ତ ରିଲିଫ୍ ଓ ଆବଶ୍ୟକ ସହାୟତା ପହଞ୍ଚାଇବା ସହ କ୍ଷେତ୍ରସ୍ତରରେ ଅଧିକ ସକ୍ରିୟ ରହିବାକୁ ପରାମର୍ଶ ଦେଇଛନ୍ତି।

ସହରାଞ୍ଚଳରେ ଜଳ ଜମା ସମସ୍ୟା ଦୂର କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ପମ୍ପସେଟ୍ ମୁତୟନ, ଜଳ ନିଷ୍କାସନ ବ୍ୟବସ୍ଥା ଏବଂ ୨୪ ଘଣ୍ଟିଆ ନଜରଦାରିକୁ ଜୋରଦାର କରିଛି। ବିଭାଗର ଅଧିକାରୀମାନଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି।

ଜଳ ସମ୍ପଦ ବିଭାଗ ନଦୀ, ବନ୍ଧ ଓ ବନ୍ୟା ନିୟନ୍ତ୍ରଣ ସଂରଚନା ଉପରେ କଡ଼ା ନଜର ରଖିଛି। ବରିଷ୍ଠ ଯନ୍ତ୍ରୀମାନେ ବିଭିନ୍ନ ସ୍ଥାନରେ ରହି ପରିସ୍ଥିତିର ସମୀକ୍ଷା କରୁଛନ୍ତି ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି।

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ସମେତ ୪୪ଟି ବ୍ଲକ୍, ୨୪୩ଟି ଗ୍ରାମପଞ୍ଚାୟତ ଏବଂ ୭୪୮ଟି ଗ୍ରାମ ବନ୍ୟା ପ୍ରଭାବରେ ରହିଛି। ପ୍ରାୟ ୩୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ରିଲିଫ୍ କେନ୍ଦ୍ରଗୁଡ଼ିକରେ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ସର୍ପାଘାତ ପ୍ରତିଷେଧକ ଔଷଧ ଓ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଆଶ୍ରୟସ୍ଥଳୀରେ ରହୁଥିବା ମହିଳା ଓ ଶିଶୁଙ୍କ ସୁରକ୍ଷା ସହ ଖାଲି ପଡ଼ିଥିବା ଘରଗୁଡ଼ିକର ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ପେଟ୍ରୋଲିଂ ବଢ଼ାଯାଇଛି।

ବନ୍ୟା ପରେ କ୍ଷତିଗ୍ରସ୍ତ ଘର, ଚାଷଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ଆକଳନ କରି ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସହାୟତା ଓ କ୍ଷତିପୂରଣ ଶୀଘ୍ର ପ୍ରଦାନ କରିବାକୁ ପ୍ରଶାସନକୁ କୁହାଯାଇଛି।

ରାଜ୍ୟ ସରକାର କହିଛନ୍ତି ଯେ, ସମସ୍ତ ବିଭାଗ ପରସ୍ପର ସମନ୍ୱୟ ରଖି ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି। ସାଧାରଣ ଲୋକ ଗୁଜବକୁ ବିଶ୍ୱାସ ନ କରି ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସୂଚନା ଓ ପରାମର୍ଶକୁ ପାଳନ କରିବାକୁ ଅନୁରୋଧ କରାଯାଇଛି।

You may also like

Leave a Comment