Home Odishaଏମ୍ସ ଭୁବନେଶ୍ୱରର ବଡ଼ ସଫଳତା: ୧୦ ବର୍ଷରେ ୧୫୦୦ରୁ ଅଧିକ ପୋଡ଼ା ରୋଗୀଙ୍କୁ ନୂଆ ଜୀବନ

ଏମ୍ସ ଭୁବନେଶ୍ୱରର ବଡ଼ ସଫଳତା: ୧୦ ବର୍ଷରେ ୧୫୦୦ରୁ ଅଧିକ ପୋଡ଼ା ରୋଗୀଙ୍କୁ ନୂଆ ଜୀବନ

by Akshay Maharana
0 comments

୭ ହଜାରରୁ ଅଧିକ ପ୍ଲାଷ୍ଟିକ୍ ଓ ପୁନଃନିର୍ମାଣ ଅସ୍ତ୍ରୋପଚାର; ଶୀଘ୍ର ହେବ ସ୍କିନ୍ ବ୍ୟାଙ୍କ ଓ ଟିସୁ ପ୍ରତିରୋପଣ ୟୁନିଟ୍

ଶଲ୍ୟଚିକିତ୍ସା, ନବସୃଜନ, ରୋଗୀ ସେବା, ତାଲିମ ଓ ଶୈକ୍ଷିକ ଉତ୍କର୍ଷତାରେ ଏକ ଦଶନ୍ଧିର ସଫଳ ଯାତ୍ରା ପୂରଣ କରିଛି ଏମ୍ସ ଭୁବନେଶ୍ୱରର ବର୍ଣ୍ଣସ୍ ଓ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ। ଗତ ୧୦ ବର୍ଷ ମଧ୍ୟରେ ବିଭାଗ ୧୫୦୦ରୁ ଅଧିକ ପୋଡ଼ା ରୋଗୀଙ୍କୁ ସଫଳ ଚିକିତ୍ସା ପ୍ରଦାନ କରିଥିବାବେଳେ ୭ ହଜାରରୁ ଅଧିକ ପୁନଃନିର୍ମାଣ ଓ ସୌନ୍ଦର୍ଯ୍ୟକରଣ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ କରିଛି।

ଏହି ଗୌରବମୟ ଦଶନ୍ଧି ପୂର୍ତ୍ତି ଅବସରରେ ଚଳିତ ମାସ ୨୧ ଓ ୨୨ ତାରିଖରେ ବିଭାଗ ପକ୍ଷରୁ ଦୁଇଦିନିଆ ଜାତୀୟ ସିଏମ୍‌ଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦେଶର ବିଭିନ୍ନ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଅନୁଷ୍ଠାନରୁ ଖ୍ୟାତନାମା ଶଲ୍ୟଚିକିତ୍ସକମାନେ ଏଥିରେ ଯୋଗ ଦେଇଥିଲେ। କର୍ମଶାଳାରେ ବ୍ରାକିଆଲ୍ ପ୍ଲେକ୍ସସ୍ ଆଘାତରେ ମାଧ୍ୟମିକ ପ୍ରକ୍ରିୟା ଉପରେ ଲାଇଭ୍ ସର୍ଜରୀ ପ୍ରଦର୍ଶନ ମଧ୍ୟ କରାଯାଇଥିଲା। କ୍ରମାଗତ ଭାବେ ୧୦ଟି ଲାଇଭ୍ ସର୍ଜିକାଲ୍ ପ୍ରଦର୍ଶନ କରାଯାଇଥିବା ସୂଚନା ମିଳିଛି।

ଏମ୍ସ ଭୁବନେଶ୍ୱରରେ ଥିବା ୩୬ ଶଯ୍ୟା ବିଶିଷ୍ଟ ଆଧୁନିକ ବର୍ଣ୍ଣ ୟୁନିଟ୍ ପୋଡ଼ା ରୋଗୀଙ୍କ ସମ୍ପୂର୍ଣ୍ଣ ଚିକିତ୍ସା, ପୁନଃନିର୍ମାଣ ଅସ୍ତ୍ରୋପଚାର ଓ ପୁନର୍ବାସ ସେବା ପାଇଁ ଉତ୍ସର୍ଗୀକୃତ। ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟରୁ ଆସୁଥିବା ଗୁରୁତର ପୋଡ଼ା ରୋଗୀଙ୍କୁ ମଧ୍ୟ ଏଠାରେ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

ଗତ ଦଶ ବର୍ଷରେ ବିଭାଗ ପକ୍ଷରୁ ୫୦୦ରୁ ଅଧିକ ମାଇକ୍ରୋସର୍ଜରୀ, ୩୦୦ରୁ ଅଧିକ ବ୍ରାକିଆଲ୍ ପ୍ଲେକ୍ସସ୍ ଆଘାତ ପୁନଃନିର୍ମାଣ, ୩୦୦ ଜନ୍ମଗତ ଅସଙ୍ଗତି ସଂଶୋଧନ ଓ ୨୦୦ ସ୍ମାଇଲ୍ ଟ୍ରେନ୍ କ୍ଲେଫ୍ଟ ଲିପ୍ ଏବଂ ପାଲେଟ୍ ଅସ୍ତ୍ରୋପଚାର କରାଯାଇଛି। ଏହାସହ ପ୍ରାୟ ୩ ହଜାର ଜରୁରୀକାଳୀନ ଚିକିତ୍ସା ମାମଲାରେ ସେବା ପ୍ରଦାନ କରାଯାଇଛି।

ଆଗାମୀ ଦିନରେ ବିଭାଗକୁ ଆହୁରି ସୁଦୃଢ଼ କରିବାକୁ ସ୍ୱତନ୍ତ୍ର ସବ୍‌ସ୍ପେଶାଲିଟି କ୍ଲିନିକ୍, ସିମୁଲେସନ୍‌ ଆଧାରିତ ଶଲ୍ୟଚିକିତ୍ସା ତାଲିମ, ହାଇପରବାରିକ୍ ଅକ୍ସିଜେନ୍ ଥେରାପିର ବିସ୍ତାର ଓ ହାତ ପ୍ରତିରୋପଣ ଭଳି ସେବା ଆରମ୍ଭ କରିବାର ଯୋଜନା ରହିଛି। ସବୁଠୁ ବଡ଼ କଥା ହେଲା, ଖୁବଶୀଘ୍ର ଏଠାରେ ସ୍କିନ୍ ବ୍ୟାଙ୍କ ଏବଂ ଟିସୁ ପ୍ରତିରୋପଣ ୟୁନିଟ୍ ପ୍ରତିଷ୍ଠା କରିବାକୁ ପଦକ୍ଷେପ ନିଆଯାଉଛି।

ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ସିଇଓ ଡ. ଆଶୁତୋଷ ବିଶ୍ୱାସ ବିଭାଗର ଏକ ଦଶନ୍ଧିର ସଫଳତା ପାଇଁ ଟିମ୍‌କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଏହି କେନ୍ଦ୍ର ଆହୁରି ଅନେକ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଆଶା ପ୍ରକାଶ କରିଛନ୍ତି।

ଦୁଇଦିନିଆ ଜାତୀୟ କର୍ମଶାଳାରେ ସାରା ଦେଶରୁ ୧୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ପୁରୀ ଲୋକସଭା ସାଂସଦ ଡ. ସମ୍ବିତ ପାତ୍ର ଏବଂ ଏମ୍ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫେସର ଅଶୋକ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବିଭାଗୀୟ ମୁଖ୍ୟ ଡ. ସଞ୍ଜୟ କୁମାର ଗିରିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏକ ଦଶନ୍ଧିର ସଫଳ ଯାତ୍ରା ପରେ ଏବେ ଏମ୍ସ ଭୁବନେଶ୍ୱରର ବର୍ଣ୍ଣ ଓ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ଏକ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବା ଲକ୍ଷ୍ୟ ରଖାଯାଇଛି।

You may also like

Leave a Comment