Home Cultureରଥ ନିର୍ମାଣରେ ଦ୍ରୁତ ଅଗ୍ରଗତି: କନ୍ୟା ପଟା ବାଡ଼ିଆ କାମ ଶେଷ, ଶେଷ ପର୍ଯ୍ୟାୟରେ ରଙ୍ଗ ଓ ସାଜସଜ୍ଜା

ରଥ ନିର୍ମାଣରେ ଦ୍ରୁତ ଅଗ୍ରଗତି: କନ୍ୟା ପଟା ବାଡ଼ିଆ କାମ ଶେଷ, ଶେଷ ପର୍ଯ୍ୟାୟରେ ରଙ୍ଗ ଓ ସାଜସଜ୍ଜା

by Lokanath Panigrahi
0 comments

ପୁରୀ ଶ୍ରୀକ୍ଷେତ୍ରରେ ଚଳିତ ବର୍ଷର ବାହୁଡ଼ା ଯାତ୍ରା ପୂର୍ବରୁ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥ ନିର୍ମାଣର ୭୮ତମ ଦିନରେ ବିଭିନ୍ନ ସେବାୟତ ନିଜ ନିଜ ଦାୟିତ୍ୱକୁ ସୁଚାରୁ ଭାବେ ସମ୍ପାଦନ କରିଥିବାବେଳେ ରଥଖଳାରେ କାର୍ଯ୍ୟକଳାପ ଜୋରଦାର ଭାବେ ଚାଲିଛି। ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ କାଠ କାମ, ଚିତ୍ରକଳା, ସିଲେଇ ଓ ଲୁହା କାମ ସମାନ୍ତରାଳ ଭାବେ ଆଗକୁ ବଢ଼ୁଛି।

ଏହି ପର୍ଯ୍ୟାୟରେ ତିନି ରଥର ଚକ ତଳେ ଲାଗୁଥିବା ଫାଳି କାଠକୁ ଆବଶ୍ୟକ ମାପ ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ସେହିପରି କନ୍ୟା ପଟା ବାଡ଼ିଆ କାମ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୧୨ଟି ଲେଖାଏଁ କନ୍ୟା ପଟା ସ୍ଥାପନ କରାଯାଇଥିବାବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ୮ଟି କନ୍ୟା ପଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି।

ଚିତ୍ରକାର ସେବକମାନେ ତିନି ରଥର ପ୍ରଭାରେ ଥିବା ଖୋଦିତ ଅଳଙ୍କାରିକ ରୂପଗୁଡ଼ିକର ରଙ୍ଗ କାମ ସମ୍ପୂର୍ଣ୍ଣ କରିଛନ୍ତି। ରଥର ବାହ୍ୟ ଅଂଶ, ବ୍ରେକ୍ ପୁଲି, ଘୋଡ଼ା ଓ ସାରଥିଙ୍କ ମୂର୍ତ୍ତିରେ ରଙ୍ଗ କାମ ମଧ୍ୟ ପ୍ରାୟ ଶେଷ ହୋଇଆସିଛି। ଏହା ସହ ଦର୍ଜି ସେବକମାନେ ରଥର କନା କାଟିବା ପରେ ବିଳାସ ପଟି ଓ ଜରି ଲେସ୍ ଲଗାଇବା କାମ ସମାପ୍ତ କରିଛନ୍ତି। ଦୁଆର ବେଢ଼ା ଚନ୍ଦ୍ରଶାଳି ପାଇଁ କପଡ଼ାରେ ଫୁଲ, ଲତା ଓ ଅନ୍ୟାନ୍ୟ ଅଳଙ୍କାରିକ ନକ୍ସା ପ୍ରସ୍ତୁତି କାମ ମଧ୍ୟ ଚାଲିଛି। ପୋଟଳ କପଡ଼ା ପ୍ରସ୍ତୁତି ମଧ୍ୟ ସମ୍ପୂର୍ଣ୍ଣ ହୋଇଛି।

ଅନ୍ୟପଟେ, ଦୋଳବେଦି ନିକଟରେ ଥିବା ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ରଥ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ କଣ୍ଟା ତିଆରି କାର୍ଯ୍ୟ ଶେଷ କରିଛନ୍ତି। ସମସ୍ତ ସେବାୟତଙ୍କ ସମନ୍ୱିତ ପ୍ରୟାସରେ ତିନି ରଥ ବର୍ତ୍ତମାନ ଅନ୍ତିମ ସାଜସଜ୍ଜା ପର୍ଯ୍ୟାୟରେ ପହଞ୍ଚିଥିବାରୁ ବାହୁଡ଼ା ଯାତ୍ରା ପୂର୍ବରୁ ନିର୍ଦ୍ଧାରିତ ସମୟରେ ରଥ ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

You may also like

Leave a Comment