Home Featuredଏଣିକି ଟିକଟ ବୁକିଂ ସହ ହେବ ଅତିରିକ୍ତ ଲଗେଜ୍‌ ବୁକିଂ, ପାର୍ସଲ୍‌ ଅଫିସ୍‌କୁ ଯିବାର ଝଞ୍ଜଟ ଶେଷ

ଏଣିକି ଟିକଟ ବୁକିଂ ସହ ହେବ ଅତିରିକ୍ତ ଲଗେଜ୍‌ ବୁକିଂ, ପାର୍ସଲ୍‌ ଅଫିସ୍‌କୁ ଯିବାର ଝଞ୍ଜଟ ଶେଷ

by Lokanath Panigrahi
0 comments

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ସୁବିଧାକୁ ଆହୁରି ସହଜ କରିବା ପାଇଁ ଭାରତୀୟ ରେଳ ନୂଆ ଅନଲାଇନ୍‌ ଲଗେଜ୍‌ ବୁକିଂ ବ୍ୟବସ୍ଥା ଆରମ୍ଭ କରିଛି। ଏହି ବ୍ୟବସ୍ଥା ଅନୁଯାୟୀ, ଯାତ୍ରୀମାନେ ଟ୍ରେନ୍‌ ଟିକଟ ବୁକିଂ ସମୟରେ ହିଁ ନିଜର ଅତିରିକ୍ତ ଲଗେଜ୍‌କୁ ଅନଲାଇନ୍‌ରେ ବୁକ୍‌ କରିପାରିବେ। ଫଳରେ ପାର୍ସଲ୍‌ ଅଫିସ୍‌କୁ ଯାଇ ଅଲଗା ଭାବେ ବୁକିଂ କରିବା ଏବଂ ଦୀର୍ଘ ସମୟ ଧରି ଧାଡ଼ିରେ ଅପେକ୍ଷା କରିବାର ଆବଶ୍ୟକତା ରହିବ ନାହିଁ।

ଏହି ସୁବିଧା କେବଳ କନ୍‌ଫର୍ମ ଟିକଟ ଥିବା ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ। ଯେଉଁ ଯାତ୍ରୀମାନେ ନିର୍ଦ୍ଧାରିତ ମାଗଣା ସୀମାଠାରୁ ଅଧିକ ଲଗେଜ୍‌ ନେବାକୁ ଚାହାନ୍ତି, ସେମାନେ ନିୟମ ଅନୁଯାୟୀ ଅତିରିକ୍ତ ଲଗେଜ୍‌ ବୁକିଂ କରିପାରିବେ।

ଏସି ପ୍ରଥମ ଶ୍ରେଣୀ, ଏସି-୨ ଟାୟାର, ପ୍ରଥମ ଶ୍ରେଣୀ, ସ୍ଲିପର ଏବଂ ଦ୍ୱିତୀୟ ଶ୍ରେଣୀର ଯାତ୍ରୀମାନେ ଏହି ସୁବିଧାର ଲାଭ ପାଇବେ। ତେବେ ଏସି-୩ ଟାୟାର ଏବଂ ଚେୟାର କାର୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବର୍ତ୍ତମାନ ଏହି ବ୍ୟବସ୍ଥା ଲାଗୁ ହେବ ନାହିଁ।

ଲଗେଜ୍‌ ବହନ ସୀମା ମଧ୍ୟ ଶ୍ରେଣୀ ଅନୁସାରେ ନିର୍ଦ୍ଧାରିତ ହୋଇଛି। ଏସି ପ୍ରଥମ ଶ୍ରେଣୀରେ ୭୦ କେଜି ପର୍ଯ୍ୟନ୍ତ ଲଗେଜ୍‌ ମାଗଣାରେ ନେବାକୁ ଅନୁମତି ରହିଛି। ଅନ୍ୟ ଶ୍ରେଣୀଗୁଡ଼ିକରେ ୩୫ରୁ ୫୦ କେଜି ପର୍ଯ୍ୟନ୍ତ ମାଗଣା ସୀମା ରହିଥିବା ବେଳେ, ନିର୍ଦ୍ଧାରିତ ଶୁଳ୍କ ଦେଇ ଏହାଠାରୁ ଅଧିକ ଲଗେଜ୍‌ ବୁକ୍‌ କରାଯାଇପାରିବ।

ପ୍ରତ୍ୟେକ ଶ୍ରେଣୀ ପାଇଁ ସର୍ବାଧିକ ଲଗେଜ୍‌ ବହନ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି, ଯାହା ୭୦ କେଜିରୁ ୧୫୦ କେଜି ପର୍ଯ୍ୟନ୍ତ ହୋଇପାରେ। ଏହା ସହିତ ଲଗେଜ୍‌ର ଆକାର ଓ ଓଜନ ସମ୍ପର୍କରେ ରେଳ ବିଭାଗର ନିର୍ଦ୍ଧାରିତ ନିୟମ ମାନିବା ଅନିବାର୍ଯ୍ୟ ହେବ।

You may also like

Leave a Comment