ଭୁବନେଶ୍ୱର, ୧୩ ଜୁଲାଇ: ରାଜ୍ୟର କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଏବଂ ସିଜିନାଲ୍ କର୍ମଚାରୀଙ୍କ ଆର୍ଥିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକାଧିକ କଲ୍ୟାଣମୂଳକ ପଦକ୍ଷେପ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ଲକ୍ଷାଧିକ କେନ୍ଦୁପତ୍ର ସଂଗ୍ରହକାରୀ ଓ ସମ୍ପୃକ୍ତ କର୍ମଚାରୀମାନେ ସିଧାସଳଖ ଭାବେ ଉପକୃତ ହେବେ।
ନୂତନ ବ୍ୟବସ୍ଥା ଅନୁଯାୟୀ ପ୍ରୋସେସ୍ ଏରିଆରେ କେନ୍ଦୁପତ୍ର କେରି (୨୦ଟି ପତ୍ର) ପିଛା ଦର ୧୦ ପଇସା ବୃଦ୍ଧି ପାଇଛି। ସେହିପରି ଫାଳ (୪୦ଟି ପତ୍ର) ପିଛା ମୂଲ୍ୟରେ ୨୦ ପଇସା ବୃଦ୍ଧି କରାଯାଇଛି। ଏହି ଦରବୃଦ୍ଧି ବାବଦରେ ସରକାର ପ୍ରାୟ ୧୦.୭୮ କୋଟି ଟଙ୍କା ବ୍ୟୟ କରିବେ।
ଏହା ସହ କେନ୍ଦୁପତ୍ର ତୋଳାଳୀଙ୍କୁ ୨୫ ପ୍ରତିଶତ ବୋନସ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ବନ୍ଧାଳୀ ଏବଂ ସିଜିନାଲ୍ କର୍ମଚାରୀଙ୍କ ପାଇଁ ୫ ପ୍ରତିଶତ ପ୍ରୋତ୍ସାହନ ରାଶି ଦିଆଯିବ। ଏହି ବୋନସ ଓ ପ୍ରୋତ୍ସାହନ ପାଇଁ ସରକାର ପ୍ରାୟ ୬୪ କୋଟି ଟଙ୍କା ବ୍ୟୟ କରିବେ।
ଦରବୃଦ୍ଧି, ବୋନସ ଏବଂ ପ୍ରୋତ୍ସାହନ ରାଶିକୁ ମିଶାଇ ଏହି ସମଗ୍ର କଲ୍ୟାଣ ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୋଟ ୭୪.୭୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସରକାରଙ୍କ ମତରେ, ଏହି ପଦକ୍ଷେପ କେନ୍ଦୁପତ୍ର ସଂଗ୍ରହ ସହ ଜଡ଼ିତ ଶ୍ରମିକ ଓ କର୍ମଚାରୀଙ୍କ ଆୟ ବୃଦ୍ଧି କରିବା ସହ ସେମାନଙ୍କ ଜୀବନଜୀବିକାକୁ ଅଧିକ ସୁରକ୍ଷିତ କରିବ।
