ଓଡ଼ିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ଏକ ସୁସ୍ଥ ଏବଂ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିତୋଳିବାକୁ ୧୦୦ ସପ୍ତାହର ଏକ ବ୍ୟାପକ ଜନ-ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଅଭିଯାନ ମାଧ୍ୟମରେ ସାରା ଓଡ଼ିଶାରୁ ନିଶା କାରବାର ଓ ଏହାର ବ୍ୟବହାରକୁ ସମ୍ପୂର୍ଣ୍ଣ ଶେଷ କରାଯିବ।
ନିଶାମୁକ୍ତ ଯୁବ-ବିକଶିତ ଭାରତ’ ସଙ୍କଳ୍ପ ଅଭିଯାନ ଅନ୍ତର୍ଗତ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନିଶା କେବଳ ଗୋଟିଏ ବ୍ୟକ୍ତି ନୁହେଁ, ବରଂ ସମ୍ପୂର୍ଣ୍ଣ ପରିବାର ଏବଂ ସମାଜକୁ ଧ୍ୱଂସ କରିଦିଏ। ଏଥିପାଇଁ ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବାକୁ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯେଉଁମାନେ ନିଶା କାରବାରରେ ଲିପ୍ତ ରହିବେ, ସେମାନଙ୍କ ବିରୋଧରେ ବୁଲଡୋଜର ଆକ୍ସନ ସହ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ସଙ୍କଳ୍ପ କାର୍ଯ୍ୟକ୍ରମରେ ଦେଶର ପ୍ରାୟ ୯ କୋଟି ଯୁବକ ଯୋଡ଼ି ହୋଇ ନିଶାମୁକ୍ତିର ଶପଥ ନେଇଛନ୍ତି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ହୋଇଥିଲେ। ଏଥିସହିତ ରାଜ୍ୟପାଳ ରଘୁବର ଦାସ ମଧ୍ୟ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସରକାର ‘ଜିରୋ ଟଲରାନ୍ସ’ ନୀତି ଆପଣେଇ ଓଡ଼ିଶାର କୋଣ-ଅନୁକୋଣକୁ ନିଶାମୁକ୍ତ କରିବେ ଏବଂ ଏଥିପାଇଁ ସମସ୍ତ ନାଗରିକଙ୍କ ସହଯୋଗ ଜରୁରୀ।
7
