କଟକର ଐତିହାସିକ ବାଲିଯାତ୍ରାକୁ ନେଇ ଏବେଠାରୁ ପ୍ରସ୍ତୁତି ଜୋରଦାର ହୋଇଛି। ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଆଠଦିନ ଧରି ଏହି ମହୋତ୍ସବ ଆୟୋଜିତ ହେବ। ଉପର ପଡ଼ିଆ ସହିତ ତଳ ପଡ଼ିଆରେ ମଧ୍ୟ ମେଳା ଆୟୋଜନ କରାଯିବାର ଯୋଜନା ରହିଛି।ପ୍ରତିବର୍ଷ ବାଲିଯାତ୍ରାରେ ବିପୁଳ ଜନସମାଗମ ହେଉଥିବାରୁ ଚଳିତବର୍ଷ ଭିଡ଼ ପରିଚାଳନାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଦର୍ଶକଙ୍କ ଯାନବାହନ ପାଇଁ ପୂର୍ବବର୍ଷ ଅପେକ୍ଷା ଅଧିକ ପାର୍କିଂ ବ୍ୟବସ୍ଥା କରାଯିବ। ଏଥିସହ ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତ ହେଉଛି।ଏଥର ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆକର୍ଷଣୀୟ ହେବ। ଓଡ଼ିଶାର କଳାକାରଙ୍କ ସହ ଅନ୍ୟ ରାଜ୍ୟରୁ ମଧ୍ୟ କଳାକାରମାନେ ଆସି ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିବେ। ଫଳରେ ଦର୍ଶକଙ୍କ ପାଇଁ ମେଳାରେ ମନୋରଞ୍ଜନର ଭରପୂର ସୁଯୋଗ ରହିବ।
ବାଲିଯାତ୍ରାର ଅନ୍ୟତମ ପ୍ରମୁଖ ଆକର୍ଷଣ ଭାବେ ଏଥର ମହାନଦୀରେ ଜଳକ୍ରୀଡ଼ାର ବ୍ୟବସ୍ଥା କରାଯିବ। ମେଳା ଚାଲିଥିବା ସମଗ୍ର ସମୟରେ ଦର୍ଶକମାନେ ଏହାର ମଜା ନେଇପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଯାତାୟାତ, ପାର୍କିଂ, ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ଉପରେ ସମନ୍ୱିତ ପଦକ୍ଷେପ ନିଆଯାଉଛି। ଐତିହ୍ୟ, ବ୍ୟବସାୟ ଓ ମନୋରଞ୍ଜନର ଏହି ବଡ଼ ଉତ୍ସବକୁ ଚଳିତବର୍ଷ ଅଧିକ ଆକର୍ଷଣୀୟ ଓ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ କଟକ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି।
