Home SPORTSଗ୍ଲାସଗୋରୁ ଅହମଦାବାଦ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭବିଷ୍ୟତ ଏବେ ଭାରତ ହାତରେ

ଗ୍ଲାସଗୋରୁ ଅହମଦାବାଦ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭବିଷ୍ୟତ ଏବେ ଭାରତ ହାତରେ

by Lokanath Panigrahi
0 comments

ରାଜ୍ୟଗୋଷ୍ଠୀ କ୍ରୀଡ଼ା (କମନୱେଲଥ୍ ଗେମ୍ସ) କ୍ରମଶଃ ନିଜର ପ୍ରାସଙ୍ଗିକତା ଓ ଗୁରୁତ୍ୱ ହରାଉଛି। ଗ୍ଲାସଗୋରେ ଆୟୋଜିତ ୨୦୨୬ ସଂସ୍କରଣ ଏହାର ସବୁଠାରୁ ବଡ଼ ଉଦାହରଣ। ମାତ୍ର ୧୦ଟି ଖେଳରେ ସୀମିତ ଏହି ଆସର, କମ୍ ବଜେଟ୍ ଏବଂ ସଂକ୍ଷିପ୍ତ ଆୟୋଜନ ଯୋଗୁଁ ପୂର୍ବ ସଂସ୍କରଣଗୁଡ଼ିକର ଚମକ ହରାଇଥିଲା।

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ଅଧିକାର ପ୍ରଥମେ ଅଷ୍ଟ୍ରେଲିଆର ଭିକ୍ଟୋରିଆ ପ୍ରଦେଶ ପାଇଥିଲା। କିନ୍ତୁ ୨୦୨୩ରେ ବଢ଼ୁଥିବା ବ୍ୟୟ ଦର୍ଶାଇ ସେ ଆୟୋଜନରୁ ଓହରି ଯାଇଥିଲା। ପରେ ରାଜ୍ୟଗୋଷ୍ଠୀ ମହାସଂଘ କ୍ଷତିପୂରଣ ଓ ଅନ୍ୟାନ୍ୟ ସୂତ୍ରରୁ ଅର୍ଥ ସଂଗ୍ରହ କରି ଗ୍ଲାସଗୋରେ ସଂକ୍ଷିପ୍ତ ଆକାରରେ କ୍ରୀଡ଼ା ଆୟୋଜନ କରିଥିଲା।

ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୭ରୁ ୨୦ଟି ଖେଳ ସାମିଲ ହେଉଥିବା ବେଳେ ଏଥର ଅର୍ଥାଭାବ କାରଣରୁ ଅନେକ ଲୋକପ୍ରିୟ ଇଭେଣ୍ଟକୁ ବାଦ ଦିଆଯାଇଥିଲା। ପାରମ୍ପରିକ ‘କିଙ୍ଗ୍ସ ବାଟନ୍ ରିଲେ’ (ମଶାଲ ଶୋଭାଯାତ୍ରା) ମଧ୍ୟ ରଦ୍ଦ କରାଯାଇଥିଲା, ଯାହା ଏହି କ୍ରୀଡ଼ାର ଇତିହାସରେ ଏକ ବିରଳ ଘଟଣା।

ଏବେ ଭାରତ ଉପରେ ରାଜ୍ୟଗୋଷ୍ଠୀ ମହାସଂଘର ଆଶା

ଏଭଳି ପରିସ୍ଥିତିରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭବିଷ୍ୟତକୁ ନୂଆ ଦିଗ ଦେବା ପାଇଁ ମହାସଂଘର ନଜର ଏବେ ଭାରତ ଉପରେ ରହିଛି। ୨୦୩୦ରେ ହେବାକୁ ଥିବା ଶତବାର୍ଷିକୀ ସଂସ୍କରଣକୁ ଅହମଦାବାଦରେ ଭବ୍ୟ ଆୟୋଜନ କରି ଏହି ବହୁଦେଶୀୟ କ୍ରୀଡ଼ାର ପୂର୍ବ ଗୌରବ ଫେରାଇ ଆଣିବାକୁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି।

ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ମଧ୍ୟ ଦାବିଦାର ଥିବାରୁ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ବିଶ୍ୱସ୍ତରୀୟ ମାନରେ ଆୟୋଜନ କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି। ଗୁଜରାଟ ସରକାର ସଙ୍କେତ ଦେଇଛନ୍ତି ଯେ ଗ୍ଲାସଗୋ ତୁଳନାରେ ଅହମଦାବାଦରେ ଦଶଗୁଣରୁ ଅଧିକ ବ୍ୟୟ କରାଯିବ।

‘ଅହମଦାବାଦ ହେବ ଗେମ୍‌ଚେଞ୍ଜର’

ରାଜ୍ୟଗୋଷ୍ଠୀ ମହାସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ କେଟି ସାଡଲେୟର କହିଛନ୍ତି, ଅହମଦାବାଦ ସଂସ୍କରଣ ରୋମାଞ୍ଚକର ଓ ଗତିଶୀଳ ହେବ। ସେହିପରି ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭୀ କହିଛନ୍ତି, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଭାରତ ପାଇଁ ଏକ ଐତିହାସିକ ମାଇଲ୍‌ଖୁଣ୍ଟ ହେବ ଏବଂ ଏହା ଦେଶର ବିଶ୍ୱସ୍ତରୀୟ କ୍ରୀଡ଼ା ଆୟୋଜନ କ୍ଷମତାକୁ ପ୍ରଦର୍ଶନ କରିବ।

ଗ୍ଲାସଗୋ ଦେଲା ନୂଆ ମଡେଲ୍

ମାତ୍ର ଦୁଇ ବର୍ଷରୁ କମ୍ ସମୟର ପ୍ରସ୍ତୁତିରେ ଗ୍ଲାସଗୋ ୧୧ ଦିନ ଧରି ପ୍ରତିଯୋଗିତା ଆୟୋଜନ କରିଥିଲା। ପ୍ରାୟ ୩ ହଜାର କ୍ରୀଡ଼ାବିତ୍ ଓ ୪.୩୪ ଲକ୍ଷ ଦର୍ଶକ ଏଥିରେ ସାମିଲ ହୋଇଥିଲେ। ୨୦୧୪ ସଂସ୍କରଣ ତୁଳନାରେ ପ୍ରାୟ ଏକ-ତୃତୀୟାଂଶ ବଜେଟ୍‌ରେ ଏହି କ୍ରୀଡ଼ା ଆୟୋଜନ ହୋଇଥିଲା।

ଗ୍ଲାସଗୋ ଆୟୋଜନ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଫିଲ୍ ବାଟିଙ୍କ କହିବା ଅନୁସାରେ, ଭବିଷ୍ୟତରେ ପ୍ରତ୍ୟେକ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜକ ଦେଶର ସଂସ୍କୃତି, ଭିତ୍ତିଭୂମି ଓ ଆର୍ଥିକ ସାମର୍ଥ୍ୟକୁ ଧ୍ୟାନରେ ରଖି ଆୟୋଜନ ହେବା ଉଚିତ୍।

ଅହମଦାବାଦ ହୋଇପାରେ ନୂଆ ମାନଦଣ୍ଡ

୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସହ ଜଡ଼ିତ ଜଣେ ଭାରତୀୟ ଅଧିକାରୀଙ୍କ ମତରେ, ଅହମଦାବାଦ ସଂସ୍କରଣ ଆଗାମୀ ଦିନରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନର ନୂଆ ରୋଲ୍ ମଡେଲ୍ ହେବ। ବିଶ୍ୱ ଯାହା ଆଗରୁ ଦେଖିନାହିଁ, ତାହା ଭାରତ ଦେଖାଇବାକୁ ପ୍ରସ୍ତୁତ। ୨୦୩୦ର ଅହମଦାବାଦ ଆୟୋଜନ କେବଳ ଏକ କ୍ରୀଡ଼ା ମହୋତ୍ସବ ନୁହେଁ, ବରଂ ଭାରତର ବିଶ୍ୱ କ୍ରୀଡ଼ା ଶକ୍ତି ଭାବେ ଉଦୟର ପ୍ରତୀକ ହୋଇପାରେ।

You may also like

Leave a Comment