ସାମୁଦ୍ରିକ ବାଣିଜ୍ୟିକ ବିବାଦକୁ କେନ୍ଦ୍ର କରି ପାରାଦୀପ ବନ୍ଦରରେ ଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୋଇଲରମ୍ୟାନ ଲିମିଟେଡ୍ ପକ୍ଷରୁ ଦାଖଲ ହୋଇଥିବା ଅନ୍ତରୀଣ ଆବେଦନର ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହି ଆଦେଶ ପରେ ପାରାଦୀପ ବନ୍ଦରରେ ଥିବା ଏମ୍ଟି ୟୁନିଟି (IMO 9388792) ଜାହାଜକୁ ଅଟକାଇ ରଖିବାର ପଥ ସ୍ପଷ୍ଟ ହୋଇଛି।ଜଷ୍ଟିସ୍ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଜାହାଜଟିକୁ ପାରାଦୀପ ବନ୍ଦରରୁ ବାହାରି ଯିବାକୁ ନଦେବା ନେଇ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାସହ ମୂଳ ସାମୁଦ୍ରିକ ବିବାଦ ମାମଲାରେ ଜାହାଜ ସମେତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଦୁଇ ପକ୍ଷ ମଧ୍ୟରେ ଏକ ବ୍ୟାବସାୟିକ ଆର୍ଥିକ ବିବାଦକୁ ନେଇ ମାମଲା ଉପୁଜିଛି। ଆବେଦନକାରୀ ସଂସ୍ଥା ପକ୍ଷରୁ ଜାହାଜ ଏବଂ ଏହାର ମାଲିକଙ୍କ ବିରୋଧରେ ପ୍ରାୟ ୧ ଲକ୍ଷ ୧୦ ହଜାର ୧୬୮.୫୦ ଆମେରିକୀୟ ଡଲାର ଦାବି କରାଯାଇଛି। ଏହି ଦାବି ସମ୍ପର୍କିତ ମୂଳ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି।ଆବେଦନକାରୀଙ୍କ ଯୁକ୍ତି ଥିଲା ଯେ, ମାମଲାର ବିଚାର ଶେଷ ହେବା ପୂର୍ବରୁ ଜାହାଜଟି ପାରାଦୀପ ବନ୍ଦର ଛାଡ଼ି ଅନ୍ୟତ୍ର ଚାଲିଯିବାର ସମ୍ଭାବନା ରହିଛି। ଏପରି ହେଲେ ଆର୍ଥିକ ଦାବି ସମ୍ପର୍କିତ ମାମଲାରେ ଆବେଦନକାରୀଙ୍କ ସ୍ୱାର୍ଥ ପ୍ରଭାବିତ ହୋଇପାରେ। ଏହି କାରଣରୁ ମାମଲାର ନିଷ୍ପତ୍ତି ପର୍ଯ୍ୟନ୍ତ ଜାହାଜଟିକୁ ଅଟକାଇ ରଖିବାକୁ ଅନୁରୋଧ କରାଯାଇଥିଲା।
ଶୁଣାଣି ସମୟରେ ଅଦାଲତଙ୍କ ନଜରକୁ ମଧ୍ୟ ଏହି ଆଶଙ୍କା ଅଣାଯାଇଥିଲା ଯେ, ଜାହାଜଟି ଯଦି ବନ୍ଦର ଛାଡ଼ି ଚାଲିଯାଏ, ତେବେ ମାମଲାରେ ତତ୍କାଳ ପ୍ରତିକାର ପାଇବା କଷ୍ଟକର ହୋଇପାରେ। ଏହାକୁ ବିଚାରକୁ ନେଇ ହାଇକୋର୍ଟ ଜାହାଜଟିକୁ ପାରାଦୀପ ବନ୍ଦରରେ ଆରେଷ୍ଟ କରି ରଖିବାକୁ ଆଦେଶ ଦେଇଛନ୍ତି।ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କାଜଲ ସାହୁ ମାମଲା ପରିଚାଳନା କରୁଛନ୍ତି। ହାଇକୋର୍ଟ ମୂଳ ମାମଲାରେ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହ ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର ୧୦ ତାରିଖ ଧାର୍ଯ୍ୟ କରିଛନ୍ତି। ସେହି ଦିନ ମାମଲାର ପରବର୍ତ୍ତୀ ଗତିପଥ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
